ଓଡିଶା

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ରହସ୍ୟରେ ରଖିଦେଲେ – bajravana

[ad_1]

୫ ବର୍ଷ ପରେ ବି ବିଧାନସଭା ଦେଖିପାରିଲାନି ରଘୁବୀର ଦାଶ କମିସନ ରିପୋର୍ଟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର ୫ ବର୍ଷ ତଳେ ଜଷ୍ଟିସ ରଘୁବୀର ଦାଶ ତଦନ୍ତ କମିସନ ଗଠନ କରିଥିଲେ। ତଦନ୍ତ କମିସନ ଗଠନର ମୂଳ ଲକ୍ଷ୍ୟ ଥିଲା, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉପରୁ ପରଦା ହଟାଇବା। କିଏ ପ୍ରକୃତ ଦୋଷୀ ଖୋଜି ବାହାର କରିବା। ଇତିମଧ୍ୟରେ କମିସନ ତଦନ୍ତ କରି ରିପୋର୍ଟ ଦେବା ୫ ବର୍ଷ ପୂରିବାକୁ ଯାଉଛି। ହେଲେ ଏହି ରହସ୍ୟ ଉପରୁ ଆଜି ସୁଦ୍ଧା ସନ୍ଦେହର ବାଦଲ ଉଠିପାରିନି। ରତ୍ନଭଣ୍ଡାର କିଭଳି ସ୍ଥିତିରେ ଅଛି, ଏଥିରେ କେତେ ପ୍ରକାରର ଓ କେତେ ପରିମାଣର ଅଳଙ୍କାର ରହିଛି, ଏଥିରୁ କିଛି ଚୋରି ହୋଇଯାଇନି ତ? ଏଭଳି ବହୁ ଅସମାହିତ ପ୍ରଶ୍ନ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କୁ ଆନ୍ଦୋଳିତ କରୁଛି। ହେଲେ କୋଟି କୋଟି ଶ୍ରଦ୍ଧାଳୁଙ୍କ ମନର ଏ ପ୍ରଶ୍ନର ଉତ୍ତର କେହି ଦେଉନାହାନ୍ତି। ସବୁଠାରୁ ବଡ଼ କଥା ହେଲା, ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାଶ କମିସନ ରିପୋର୍ଟ ସାର୍ବଜନୀନ ନ କରିବା ଭକ୍ତଙ୍କ ମନରେ ଉଠିଥିବା ସନ୍ଦେହକୁ ଦୃଢ଼ୀଭୂତ କରିବାରେ ଲାଗିଛି।

୫ ବର୍ଷ ପରେ ବି ବିଧାନସଭା ଦେଖିପାରିଲାନି ରଘୁବୀର ଦାଶ କମିସନ ରିପୋର୍ଟ
ଅକ୍ଟୋବର ୩ରେ ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏଥିପାଇଁ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ବରେ ୧୭ଜଣିଆ ରତ୍ନଭଣ୍ଡାର ଯାଞ୍ଚ କମିଟି ଗଠନ ହୋଇଥିଲା। କିନ୍ତୁ ରତ୍ନଭଣ୍ଡାର ନ ଖୋଲି ଏହି କମିଟି ଫେରି ଆସିଥିଲା। ଜଣାପଡ଼ିଲା ଯେ ଚାବି ହଜିଯିବା ରତ୍ନଭଣ୍ଡାର ନ ଖୋଲାଯିବା ପଛର କାରଣ। ଏଥିସହିତ ଚାବି ହଜିବା ପ୍ରସଙ୍ଗକୁ ନେଇ ରାଜ୍ୟରେ ଆନ୍ଦୋଳନ ମୁଣ୍ଡ ଟେକିଲା। ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ପରେ ମୁଖ୍ୟମନ୍ତ୍ରୀ ତଦନ୍ତ କମିସନ ଗଠନ କଲେ। ୨୦୧୮ ଜୁନ ୮ରେ ଜଷ୍ଟିସ୍‌ ରଘୁବୀର ଦାଶଙ୍କ ନେତୃତ୍ବରେ ଚାବି ହଜିବା ପ୍ରସଙ୍ଗର ତଦନ୍ତ ଆରମ୍ଭ ହେଲା। କୌତୂହଳର କଥା ହେଲା, ଏହାର ୪ ଦିନ ପରେ ଅର୍ଥାତ୍‌ ଜୁନ ୧୩ ତାରିଖରେ ତତ୍କାଳୀନ ଜିଲ୍ଲାପାଳ ହଜିଥିବା ଚାବି ମିଳିଯାଇଛି ବୋଲି ଯୁକ୍ତି ବାଢ଼ିଲେ। ମାତ୍ର ଚାବି କାହାରିକୁ ଦେଖାଗଲାନି। ତଥାପି ରଘୁବୀର ଦାଶ ତଦନ୍ତ କମିସନଙ୍କ ତଦନ୍ତ ଅଟକି ନ ଥିଲା। ୬ ମାସର ତଦନ୍ତ ପରେ ଜଷ୍ଟିସ୍‌ ରଘୁବୀର ଦାଶ ତଦନ୍ତ କମିସନ ୨୦୧୮ ନଭେମ୍ବର ୨୯ ତାରିଖରେ ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ୩୨୪ ପୃଷ୍ଠାର ବିସ୍ତୃତ ରିପୋର୍ଟ ଦେଲେ। ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ ତଦନ୍ତ କମିସନଙ୍କ ପାଇଁ ରାଜ୍ୟ ରାଜକୋଷରୁ ୨୨ଲକ୍ଷ ୨୭ହଜାର ୯୧୮ ଟଙ୍କା ଖର୍ଚ୍ଚ କରାଗଲା। ତଦନ୍ତ କମିସନ ସରକାରଙ୍କୁ ରିପୋର୍ଟ ଦେବା ଆଉ ଦୁଇ ମାସ ପରେ ୫ ବର୍ଷ ପୂରିବାକୁ ଯାଉଛି। ହେଲେ ଏହି ରିପୋର୍ଟ ସାର୍ବଜନୀନ ହୋଇପାରିନି। ସବୁଠାରୁ ବଡ଼ କଥା ହେଲା, ଏହି ବାଦବିବାଦ ଭିତରେ ରତ୍ନଭଣ୍ଡାର ଭିତରେ ଥିବା ରତ୍ନ, ହୀରା, ମୋତି, ମାଣିକ ଆଦିର ଗଣତି ଓ ମଣତି ୫ ବର୍ଷ ହେଲାଣି ଝୁଲି ରହିଛି।

ତଦନ୍ତ କମିସନ ଆଇନ-୧୯୫୨, ଧାରା-୩(ଉପଧାରା-୪)ରେ ଉଲ୍ଲେଖ ରହିଛି, କୌଣସି ତଦନ୍ତ କମିସନ ରିପୋର୍ଟ ଦେବାର ୬ ମାସ ଭିତରେ ଏହା ବିଧାନସଭାରେ ଉପସ୍ଥାପିତ ହେବା ବାଧ୍ୟତାମୂଳକ। ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ୨୦୧୮ ନଭେମ୍ବର ୨୯ ତାରିଖରୁ ଜଷ୍ଟିସ ରଘୁବୀର ଦାଶ କମିସନ ତଦନ୍ତ କରି ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ସବିଶେଷ ରିପୋର୍ଟ ପ୍ରଦାନ କରି ସାରିଥିଲେ ବି ଆଜି ପର୍ଯ୍ୟନ୍ତ ଏହା ବିଧାନସଭାରେ ଉପସ୍ଥାପିତ ନ ହେବା ତଦନ୍ତ କମିସନ ଆଇନକୁ ମଧ୍ୟ ଖୋଲା ଉଲ୍ଲଂଘନ କରୁଛି। ଏଠାରେ ଉଲ୍ଲେଖଥାଉକି, ଜଷ୍ଟିସ ରଘୁବୀର ଦାଶ ତଦନ୍ତ କମିସନ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ନ ହେବା ଓ ସାର୍ବଜନୀନ ନ ହେବାରୁ ଚଳିତବର୍ଷ ଏପ୍ରିଲ ୨୫ ତାରିଖରେ ପୁରୀର ସମାଜସେବୀ ଦିଲୀପ କୁମାର ବରାଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜଷ୍ଟିସ ରଘୁବୀର ଦାଶ କମିସନ ତଦନ୍ତ ରିପୋର୍ଟ ସ୍ଥିତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁଲାଇ ୧୦ ତାରିଖ ଶୁଣାଣି ପୂର୍ବରୁ ତଦନ୍ତର ସ୍ଥିତି ଜଣାଇବାକୁ ଆଉ ଦୁଇ ମାସ ସମୟ ମାଗିଥିଲେ ରାଜ୍ୟ ସରକାର। ଇତିମଧ୍ୟରେ ଦୁଇ ମାସର ଅବଧି ବି ପୂରିସାରିଛି। ଆସନ୍ତା ଅକ୍ଟୋବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଥିବା ବେଳେ ବିଧାନସଭାରେ ଏହି ତଦନ୍ତ ରିପୋର୍ଟ ଉପସ୍ଥାପିତ ନ ହୋଇପାରିବା, ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button