ଓଡିଶା

ରାଜ୍ୟରେ ଖୋଲିବ ଲଜି‌ଷ୍ଟିକ୍ସ ସ୍କୁଲ: ଲଜିଷ୍ଟିକ୍ସରେ ୧.୨ ନିୟୁତ ନୂଆ ନିଯୁକ୍ତି ସୃଷ୍ଟି ହେବ – bajravana

[ad_1]

ମହିଳାଙ୍କ ଅଂଶଗ୍ରହଣ ବଢ଼ାଇବାକୁ ଆହ୍ବାନ

ଭୁବନେଶ୍ବର: ଅନେକ ପୁରୁଷ ପ୍ରଧାନ କ୍ଷେତ୍ରରେ ମହିଳାମାନେ ସଫଳତାର ସହ ନିଜ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଲଜିଷ୍ଟିକ୍ସ କ୍ଷେତ୍ରକୁ କେବଳ ପୁରୁଷମାନଙ୍କ ଲାଗି ବିଚାର ନକରି ସେଥିରେ କିଭଳି ଅଧିକରୁ ଅଧିକ ମହିଳାଙ୍କୁ ଯୋଡ଼ାଯାଇପାରିବ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି। ଆଜି ସିଆଇଆଇ ଓଡ଼ିଶା ପକ୍ଷରୁ ଆୟୋଜିତ ଲଜିଷ୍ଟିକ୍ସ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଦେଶ ଭଳି ରାଜ୍ୟର ମୋଟ ଘରୋଇ ଉତ୍ପାଦ ପ୍ରତି ଲଜି‌ଷ୍ଟିକ୍ସ କ୍ଷେତ୍ରର ଅବଦାନ ୧୪-୧୫% ଭଳି ସ୍ତରରେ ରହିଛି। ଓଡ଼ିଶା ଆଚିଭର ବର୍ଗରେ ସ୍ଥାନ ପାଇଛି। ତେବେ ଲଜିଷ୍ଟିକ୍ସ କ୍ଷେତ୍ର ଲାଗି ଦକ୍ଷତା ବିକାଶର ଆବଶ୍ୟକତା ରହିଛି। ରାଜ୍ୟରେ ଏକ ଲଜିଷ୍ଟିକ୍ସ ସ୍କୁଲ ଖୋଲିବା ଲାଗି ଚେନ୍ନାଇରେ ଥିବା ଲଜିଷ୍ଟିକ୍ସ ସ୍କୁଲ ସହ ଆଲୋଚନା ହେଉଛି ବୋଲି ସେ ସୂଚନା ଦେଇଛନ୍ତି। ଦକ୍ଷତା ବିକାଶ ଓ ଭିତ୍ତିଭୂମି କ୍ଷେତ୍ରକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ରାଜ୍ୟରେ କ୍ୟାପ୍‌ଟିଭ୍ ଜେଟି ସ୍ଥାପନ କରିବାକୁ ଅଧିକ ସଂସ୍ଥା ଆଗ୍ରହୀ ଥିବା ସେ କହିଛନ୍ତି। ରାଜ୍ୟରେ ରେଳ ନେଟ୍‌ୱର୍କ ବଢ଼ାଇବାରେ ଗତବର୍ଷ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଚଳିତ ବର୍ଷ ମଧ୍ୟ ସମାନ ପରିମାଣର ବ୍ୟୟବରାଦ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଏହି ଅବସରରେ ବାଲ୍‌ମର ଲରିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଆଦିକା ରତ୍ନ ଶେଖର କହିଛନ୍ତି ଯେ ୨୦୨୪ ପର୍ଯ୍ୟନ୍ତ ଲଜିଷ୍ଟିକ୍ସ ଶିଳ୍ପ ବାର୍ଷିକ ୧୫.୫ ପ୍ରତିଶତ ହାରରେ ଆଗକୁ ବଢ଼ିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଏହି କ୍ଷେତ୍ରରେ ୨୨ ନିୟୁତ ଲୋକ ନିୟୋଜିତ ହୋଇଥିବା ବେଳେ ୨୦୨୫ ସୁଦ୍ଧା ଆଉ ୧.୨ ନିୟୁତ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ପାରାଦୀପ ବନ୍ଦରର ଉପାଧ୍ୟକ୍ଷ ନୀଳଭ୍ର ଦାସଗୁପ୍ତା କହିଛନ୍ତି ଯେ ପାରାଦୀପ ବନ୍ଦର ଗତ ୬ ବର୍ଷ ଧରି ଲଗାତାର ଭାବେ ବାର୍ଷିକ ୧୦୦ ନିୟୁତ ଟନ୍‌ରୁ ଅଧିକ ପଣ୍ୟ ପରିବହନ କରୁଛି। ଗତ ଆର୍ଥିକ ବର୍ଷରେ ଏହା ରେକର୍ଡ ୧୩୬.୩୬ ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ଶଶି ଶେଖର ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ମହାପାତ୍ର, ସିଆଇଆଇର ଭିତ୍ତିଭୂମି ଓ ଲଜିଷ୍ଟିକ୍ସ କମିଟିର ସଂଯୋଜକ ପ୍ରମୋଦ ଜୈନ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button