ଓଡିଶା

ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ମା’ ଓ ଭାଇ – bajravana

[ad_1]

ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ତାଙ୍କ ମା’ ସିଲେଷ୍ଟିନା ମିଞ୍ଜ ଏବଂ ଭାଇ ସଂନ୍ଦୀପ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୁସ୍ମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି। ପିଠିରେ ପୋଡ଼ା ଓ ହାତରେ କଟାଦାଗ ରହିଛି। ଅଙ୍ଗୁଳିରେ ପିନ୍ଧିଥିବା ଦୁଇଟି ହୀରାମୁଦି ଓ ପାଦରୁ ପାଉଁଜି ନେଇ ଯାଇଛନ୍ତି। ସୁସ୍ମିତାଙ୍କ ମୃତ୍ୟୁ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗ ହର୍ଷଦ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଗୁରୁଣ୍ଡିଆ ବିଡିଓ ବି. ଲାକ୍ରା ଓ ସିଡିପିଓ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ଏମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ସୁସ୍ମିତା ମୃତ୍ୟୁ ଘଟଣାର ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ଭାଇ ସନ୍ଦୀପ ଆଜି ପ୍ଲାଣ୍ଟସାଇଟ୍‌ ଥାନାରେ ଦେଇଥିବା ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଥାନାରେ ଦିଆଯାଇଥିବା ଲିଖିତ ଅଭି‌ଯୋଗ ଅନୁଯାୟୀ, ସୁସ୍ମିତା ପ୍ରତିଦିନ ରାମାବାହାଲସ୍ଥ ଘରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌କୁ ଡ୍ୟୁଟି କରିବାକୁ ଯାଆନ୍ତି। ଡ୍ୟୁଟି ସାରି ସଂଧ୍ୟାରେ ଘରକୁ ଫେରି ଆସନ୍ତି। ଗତ ୧୬ ତାରିଖ (ଶନିବାର) ସଂଧ୍ୟାରେ ଘରକୁ ନ ଫେରିବାରୁ ସନ୍ଦୀପ ତାଙ୍କ ଭଉଣୀଙ୍କୁ କଲ୍‌ କରିଥିଲେ। ଅଫିସ୍‌ରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅଛି, ତେଣୁ ଯାଇପାରିବି ନାହିଁ ବୋଲି ସୁସ୍ମିତା କହିଥିଲେ।

ରାତିରେ ପାନପୋଷସ୍ଥ ସର୍କିଟ ହାଉସ୍‌ରେ ରହିଯିବି ବୋଲି ନିଜ ଭାଇଙ୍କୁ କହିଥିଲେ। ସନ୍ଦେହ ହେବାରୁ ସନ୍ଦୀପ ତାଙ୍କ ଭଉଣୀଙ୍କୁ ନେବାକୁ ରାତିରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ଅଫିସ୍‌ ବନ୍ଦ ଥିବାରୁ ଭଉଣୀ ସୁସ୍ମିତାଙ୍କୁ କଲ୍‌ କରିଥିଲେ। ସୁସ୍ମିତା କଲ୍‌ ନ ଉଠାଇବାରୁ ସନ୍ଦୀପ ନିରାଶ ହୋଇ ଘରକୁ ଫେରିଯାଇଥିଲେ। ପରଦିନ ଅର୍ଥାତ୍‌ ୧୭ ତାରିଖ ସକାଳେ ସନ୍ଦୀପ ଭଉଣୀଙ୍କୁ ଖୋଜିବାକୁ ପୁଣି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌କୁ ଆସିଥିଲେ। ନ ପାଇବାରୁ ଉଦିତନଗର ଥାନାରେ ତାଙ୍କ ଭଉଣୀ ନିଖୋଜ ହୋଇଯାଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଖୋଜାଖୋଜି କରି ରାତିରେ ସୁସ୍ମିତାଙ୍କୁ ରାଉରକେଲା ଷ୍ଟେସନ ନିକଟସ୍ଥ ଏକ ହୋଟେଲରେ ଠାବ କରିଥିଲେ। ପରେ ଭାଇ ସନ୍ଦୀପଙ୍କୁ ସୁସ୍ମିତାଙ୍କ ସମ୍ପର୍କରେ ଜଣାଇଥିଲେ।

ପୁଲିସଠାରୁ ସୂଚନା ପାଇ ସନ୍ଦୀପ ତାଙ୍କ ମା’ଙ୍କୁ ନେଇ ରାଉରକେଲା ରାଧିକା ହୋଟେଲରେ ପହଞ୍ଚିଥିଲେ। ସୁସ୍ମିତାଙ୍କୁ ଘରକୁ ନେବାକୁ ଚାହିଁଥିଲେ। ହେଲେ ସୁସ୍ମିତା ଘରକୁ ଯିବାକୁ ମନା କରି ଦେଇଥିଲେ। ସେହିଦିନ ରାତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗୁରୁଣ୍ଡିଆ ବିଡିଓ ଏବଂ ସିଡିପିଓ ସନ୍ଦୀପଙ୍କ ଘରେ ପହଞ୍ଚି ସୁସ୍ମିତା ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି ବୋଲି କହି ଫେରି ଯାଇଥିଲେ। ଜିଲ୍ଲାପାଳ ସିଧାସଳଖ ପରିବାର ଲୋକଙ୍କୁ ନଜଣାଇ ଗୁରୁଣ୍ଡିଆ ବିଡିଓ, ସିଡିପିଓଙ୍କୁ ପଠାଇଥିବାରୁ ସନ୍ଦୀପଙ୍କର ସନ୍ଦେହ ଉପୁଜିଥିଲା। ଗୋଟିଏ ଦିନ ପରେ ଅର୍ଥାତ୍‌ ୧୯ ତାରିଖ ସଂଧ୍ୟାରେ ସେନ୍‌ସରି ପାର୍କ ପରିସରସ୍ଥ ପୋଖରୀରୁ ସୁସ୍ମିତାଙ୍କ ଶବ ମିଳିଥିଲେ ହେଁ ଉଦିତନଗର ପୁଲିସ ପରିବାର ଲୋକଙ୍କୁ ସେ ସଂକ୍ରାନ୍ତରେ କିଛି କହି ନଥିଲେ। କେବଳ ଥାନାକୁ ଆସନ୍ତୁ ବୋଲି ଡାକିଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମୃତ ଅଧିକାରୀଙ୍କ ମା’ ଓ ଭାଇ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜମିଜମା ବିଭାଗରେ କାର୍ଯ୍ୟ କରୁଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button