ଅପରାଧ

ବଡ଼ମହିତଇଳାରେ ମାତିଲେ କାଠ ମାଫିଆ: ସଂରକ୍ଷିତ ଜଙ୍ଗଲରୁ କାଟିନେଲେ ୨୦୦ ଶାଳ ଗଛ – bajravana

[ad_1]

ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ପାଇଁ ବନବିଭାଗ ହାତ ବନ୍ଧା

ତାଳଚେର: ସଂରକ୍ଷିତ ଜଙ୍ଗଲରେ ପଶି ଶତାଧିକ ଶାଳଗଛ କାଟି ନେଇଛନ୍ତି କାଠ ମାଫିଆ। ହେଲେ ବନବିଭାଗ ପାଖରେ ଖବର ନାହିଁ। ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜ ବଡ଼ ମହିତଇଳା ସଂରକ୍ଷିତ ଜଙ୍ଗଲରୁ ଏକା ଥରକେ ୨ଶହରୁ ଅଧିକ ମୂଲ୍ୟବାନ ଗଛ କାଟିନେବା ପରେ ବି ବନବିଭାଗ ତରଫରୁ ସାମାନ୍ୟତମ ତଦନ୍ତ ଆରମ୍ଭ ହୋଇନି। ଓଲଟି ବିଭାଗୀୟ ଅଧିକାରୀ ଏହାପଛରେ ଗାଁ ଲୋକଙ୍କ ହାତ ଥିବା କହି ନିଜ କାନ୍ଧରୁ ଦୋଷ ଖସାଇ ଦେବାକୁ ଚେଷ୍ଟା କରିଛନ୍ତି। ସେପଟେ ଗ୍ରାମବାସୀ କିନ୍ତୁ କାଠମାଫିଆଙ୍କୁ ଧରିବାକୁ ଦାବି କରିଛନ୍ତି।

ସୂଚନା ମୁତାବକ, ଏହି ଜଙ୍ଗଲରେ ଶାଳ ସହ ଅନ୍ୟାନ୍ୟ ମୂଲ୍ୟବାନ ଗଛ ଭରି ରହିଛି। ଏହାକୁ ଦେଖାରଖା କରିବାକୁ ବଡ଼ ମହିତଇଳା ଗ୍ରାମ୍ୟ ଜଙ୍ଗଲ କମିଟି ବି ଗଢ଼ା ହୋଇଛି। ବନ ବିଭାଗ କାର୍ଯ୍ୟାଳୟ ବି ବେଶୀ ଦୂର ନୁହେଁ। ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ ବନ ବିଭାଗର ‌ଏହା ଉପରେ ନଜର ରହିବା କଥା। କିନ୍ତୁ ‌ଏହି ସଂରକ୍ଷିତ ଜଙ୍ଗଲରୁ ବେଧଡ଼କ ୨ଶହରୁ ଅଧିକ ମୂଲ୍ୟବାନ ଗଛ କାଟି ନିଆଯାଇଥିବା ଦେଖିବାକୁ ମିଳିଛି। ତେବେ ମାଫିଆମାନେ ଉକ୍ତ ଗଛର ଗଣ୍ଡିକୁ ଛାଡ଼ି ବାକି ଅଂଶ କାଟି ନେଇଛନ୍ତି। ଗଛଗୁଡ଼ିକ ମେସିନ୍ ଦ୍ବାରା କଟା ଯାଇଥିବା ଜଣାପଡ଼ୁଛି। ଭୂଇଁରୁ ଚାରି ଆଙ୍ଗୁଳି ଛାଡ଼ି ଗଛଗୁଡ଼ିକୁ କାଟି ଦିଆଯାଇଛି। ଏହାକୁ ଯେପରି କେହି ଜାଣ ନପାରିବେ ସେଥିପାଇଁ ଅତି ଚତୁରତାର ସହ ଘଞ୍ଚ ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରୁ ବୁଦୁବୁଦିକା ଭାବେ ଗଛଗୁଡ଼ିକ କଟା ଯାଇଛି।

ଗୋଟିଏ ସ୍ଥାନରୁ କାଟିଥିଲେ କାଳେ ଏହା ଜଣାପଡ଼ିଥାନ୍ତା, ତେଣୁ ଏଭଳି କଟା ଯାଇଥିବା ଜଣାପଡ଼ିଛି। କିଛି ଲୋକ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଗଛଗୁଡ଼ିକ କଟା ଯାଇଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଜଙ୍ଗଲ କମିଟି ସଦସ୍ୟମାନେ ଜଙ୍ଗଲକୁ ଯାଇ ଏ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ତେବେ ଶହ ଶହ ସଂଖ୍ୟାରେ ଗଛକୁ କିଏ କାଟିଲା ସେ ନେଇ କେହି ମୁହଁ ଖୋଲୁନାହାନ୍ତି। ଗ୍ରାମ୍ୟ ଜଙ୍ଗଲ କମିଟି ସଦସ୍ୟ କାଠମାଫିଆଙ୍କୁ ଧରିବାକୁ ଦାବି କରିଛନ୍ତି। ତେବେ ଏହା ପଛରେ ସ୍ଥାନୀୟ ଅଞ୍ଚଳର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଥିବାରୁ ବନବିଭାଗ ହାତ ବାନ୍ଧି ବସିଥିବା ଅଭିଯୋଗ ହେଉଛି। ବନବିଭାଗର ବରିଷ୍ଠ ଅଧିକାରୀ ଏତେ ବଡ଼ ଘଟଣାରେ ପଦୁଟିଏ ବି କହୁ ନଥିବା ବେ‌ଳେ ଥରୁଟିଏ ବି ଘଟଣାସ୍ଥଳକୁ ଯାଇ ତଦନ୍ତ କରିନାହାନ୍ତି। ଯାହା ବନବିଭାଗର କାର୍ଯ୍ୟକଳାପକୁ ସନ୍ଦେହ ଘେରକୁ ଆଣିଛି।

ଅନ୍ୟପଟେ ଜଙ୍ଗଲରୁ ଦାନ୍ତକାଠି, ଶାଳପତ୍ର, ମହୁଲ, କାଠ ଓ ଝୁଣା ଆଦି ସଂଗ୍ରହ କରି ପେଟ ପୋଷୁଥିବା ବଡ଼ ମହିତଇଳା ଗ୍ରାମର ନରେନ୍ଦ୍ର ନାଏକ ଜଙ୍ଗଲ ଧ୍ବଂସ ଯିଏ କରିଛି ତାକୁ ଧରିବାକୁ ଦାବି କରିଛନ୍ତି। ସେହିପରି ପୁରୁଣାଗଡ଼ ଫରେଷ୍ଟର ଗତିକୃଷ୍ଣ ବେହେରାଙ୍କୁ ପଚାରିବାରେ, ଜଙ୍ଗଲରୁ ଗଛ କଟାହେବା ଘଟଣାକୁ ସ୍ବୀକାର କରିବା ସହ ବଡ଼ ମହିତଇଳା ଗ୍ରାମର କିଛି ଲୋକ ଏଥିରେ ସମ୍ପୃକ୍ତ ଥିବା ବେଳେ ତଦନ୍ତ କରାଯିବ ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button