ଓଡିଶା

ଭଲ ଖବର: ୧୨ ବର୍ଷ ହେଲା ମଣିଷ ସାଙ୍ଗରେ ରହୁଛି ‘ବାଦୁ’ – bajravana

[ad_1]

ବାଦୁଡ଼ିକୁ ରାଖି ବାନ୍ଧି ଜୀବଜନ୍ତୁଙ୍କ ସୁରକ୍ଷା ବାର୍ତ୍ତା ଦେଉଛନ୍ତି ଅମ୍ରିତା

ଖଇରା: ହିନ୍ଦୁ ପରମ୍ପରାରେ ରକ୍ଷାବନ୍ଧନ ଭାଇଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ସଂପର୍କକୁ ବୟାନ କରେ। ବୁଧବାର ରାଖି ପୂର୍ଣ୍ଣିମାରେ ଜଣେ କୁନିଝିଅ ନିଜ ଭାଇ ହାତରେ ରାଖି ବାନ୍ଧିବା ସହ ପାଳିତ ଏକ ବାଦୁଡ଼ିକୁ ମଧ୍ୟ ରାଖି ବାନ୍ଧିଛି। ବାର୍ତ୍ତା ଦେଇଛି, ଯେଉଁ ଜୀବଜନ୍ତୁମାନେ ଜୀବନଚକ୍ରକୁ ଶୃଙ୍ଖଳିତ କରନ୍ତି, ସେମାନଙ୍କ ସୁରକ୍ଷା ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ବ।

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ ଓସଙ୍ଗ ଗ୍ରାମରେ ରହୁଛନ୍ତି ଅମୂଲ୍ୟ ବେହେରାଙ୍କ ପରିବାର। ଅମୂଲ୍ୟ ଜଣେ କ୍ଷୁଦ୍ର ଚାଷୀ। ପରିବାର କହିଲେ, ପତ୍ନୀ ଅମ୍ବିକା, ୧୩ ବର୍ଷର ଝିଅ ଅମ୍ରିତା ଓ ୧୨ ବର୍ଷର ପୁଅ ଅରମାନ୍‌। ତେବେ ଅମୂଲ୍ୟଙ୍କ ପରିବାରରେ ଆଉ ଜଣେ ସଦସ୍ୟ ଅଛି। ସେ ଗୋଟିଏ ବାଦୁଡ଼ି। ୧୨ ବର୍ଷ ହେଲା ସେମାନଙ୍କ ସାଙ୍ଗରେ ରହୁଛି। ଅମୂଲ୍ୟଙ୍କ ପରିବାର ସହ ବାଦୁଡ଼ିଟିର ସମ୍ପର୍କ ବେଶ୍‌ ନିବିଡ଼। ତାକୁ ଖୁସିରେ ସମସ୍ତେ ‘ବାଦୁ’ ବୋଲି ଡାକନ୍ତି। ‘ବାଦୁ’ର ବ୍ୟବହାର ମଣିଷ ପରି। ତା’ ସହ କିଏ କଥା ହେଲେ ସେ ବି ଚିଁ ଚିଁ କରି ଅନେକ କଥା କହେ। ଅମୂଲ୍ୟଙ୍କ ପରିବାର ସଦସ୍ୟଙ୍କ ପରି ସେ ମଧ୍ୟ ଘର ଭିତରେ ରହେ। ଚାଳରେ ଝୁଲି ରହିଥାଏ। ବୁଲାବୁଲି କରିବା ପାଇଁ ଇଚ୍ଛା ହେଲେ ବାହରକୁ ଆସେ। ଯେଉଁ ଗଛରେ ମନ ହେଲା, ସେଇ ଗଛରେ ଅନେକ ସମୟ ଝୁଲି ରହେ। ଅମୂଲ୍ୟଙ୍କ ପରିବାରଲୋକ କେହି ଡାକିଦେଲେ ଘର ଭିତରକୁ ଉଡ଼ି ଆସେ। ‘ବାଦୁ’କୁ ସେମାନେ ଫଳ, ମିଠା, କ୍ଷୀର, ଫଳରସ ଆଦି ଖାଇବାକୁ ଦିଅନ୍ତି। ଘରେ ଅର୍ଥାଭାବ ଥିଲେ ବି ‘ବାଦୁ’ ପାଇଁ ଖର୍ଚ୍ଚ କରିବାକୁ ଅମୂଲ୍ୟ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ପତ୍ନୀ ଅମ୍ବିକା ମଧ୍ୟ ‘ବାଦୁ’କୁ ନିଜର ଦୁଇ ପିଲାଙ୍କ ପରି ସ୍ନେହଶ୍ରଦ୍ଧା ଅଜାଡ଼ି ଦିଅନ୍ତି। ଅମୂଲ୍ୟଙ୍କ ଝିଅ ଅମ୍ରିତା ‘ବାଦୁ’ ହାତରେ ପ୍ରତିବର୍ଷ ରାଖି ବାନ୍ଧନ୍ତି, ତାକୁ ଭାଇ ଡାକନ୍ତି। ଚଳିତବର୍ଷ ମଧ୍ୟ ସେ ନିଜ ଭାଇ ଅରମାନ୍‌ ସହ ‘ବାଦୁ ହାତରେ ରାଖି ବାନ୍ଧିଛନ୍ତି। ତାକୁ ମିଠା ଖୁଆଇ ସବୁଦିନ ସାଥିରେ ରହିବାର ପଣ କରିଛନ୍ତି।

ସୂଚନାଥାଉକି, ବାପା ଦାଦା ଅମଳରୁ ଅମୂଲ୍ୟଙ୍କ ବାଡ଼ିରେ ଏକ ଗଛ ଥିଲା। ସେହି ଗଛରେ ଶହ ଶହ ବାଦୁଡ଼ି ବସା ବାନ୍ଧି ରହୁଥିଲେ। ଦିନେ ବର୍ଷାପବନରେ ଗଛଟି ଭାଙ୍ଗିପଡ଼ିଲା। ସେଥିରେ ରହୁଥିବା ବାଦୁଡ଼ିମାନେ ଆଶ୍ରା ପାଇଁ ଯିଏ ଯୁଆଡ଼େ ପାରିଲେ ଉଡ଼ିଗଲେ। ହେଲେ ଗୋଟିଏ ନବଜାତ ବାଦୁଡ଼ି ଭଙ୍ଗାଗଛ ତଳେ ଅସହାୟ ଅବସ୍ଥାରେ ପଡ଼ି ରହିଥିଲା। ଅମୂଲ୍ୟଙ୍କ ପରିବାର ଲୋକ ତାକୁ ଉଦ୍ଧାର କରି ଆଣି ନିଜ ଘରେ ରଖିଲେ। ଆଉ ସେହି ନବଜାତ ବାଦୁଡ଼ି ଏବେ ‘ବାଦୁ’ର ପରିଚୟ ପାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button