ଦୂତିଙ୍କ ବାସନ୍ଦ ପଛରେ କର୍କଟ କାରଣ: ବାସନ୍ଦ ବିରୋଧରେ ଆବେଦନ କରିବେ! – bajravana
[ad_1]
ଭୁବନେଶ୍ବର: ୪ ବର୍ଷ ପାଇଁ ବାସନ୍ଦ ହେବା ପରେ ଦୂତି ଚାନ୍ଦଙ୍କ ଖେଳଜୀବନ ଦୋଛକିରେ ଅଟକିଯାଇଛି। ଏପରିକି ପ୍ୟାରିସ୍ ଅଲିମ୍ପିକ୍ ସ୍ବପ୍ନ ମଧ୍ୟ ଧୂଳିସାତ୍ ହୋଇଯାଇଛି। ଦୂତିଙ୍କର ଏହି ଦୁଃସ୍ବପ୍ନ ପାଇଁ କର୍କଟ ରୋଗ ଏକ ବଡ଼ କାରଣ ବୋଲି ଏବେ ପଦାକୁ ଆସିଛି। ଦୂତିଙ୍କ କହିବା ଅନୁସାରେ ୨୦୨୧ରେ ତାଙ୍କ ଜଂଘ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତା ସମୟରେ ତାଙ୍କୁ ଏହି ଯନ୍ତ୍ରଣା ହୋଇଥିଲା। ଏକାଧିକ ଡାକ୍ତରଙ୍କ ସହ ପରାମର୍ଶ କରିବା ସତ୍ତ୍ବେ ଯନ୍ତ୍ରଣାରୁ ଉପଶମ ମିଳିନଥିଲା। ଯନ୍ତ୍ରଣା ସହ ଅଲିମ୍ପିକ୍ସ ଚାଲିଯାଇଥିବାରୁ ପ୍ରଦର୍ଶନ ଭଲ ହୋଇନଥିଲା। ଟୋକିଓରୁ ଆସିବା ପରେ ଯନ୍ତ୍ରଣା ବଢିଯାଇଥିଲା। ଅଲଟ୍ରାସାଉଣ୍ଡରୁ କିଛି ଜଣାନପଡ଼ିବା ପରେ ଏମ୍ଆର୍ଆଇରେ କର୍କଟ ଆକ୍ରାନ୍ତ ହେଉଥିବା ଧରାପଡ଼ିଥିଲା। ସ୍ପୋର୍ଟ୍ସ ମେଡିସିନ୍ ଡାକ୍ତର ସୁଦୀପ ଶତପଥୀଙ୍କ ସହ ଦୂତି ପରାମର୍ଶ କରିବା ପରେ ତାଙ୍କୁ ଲେଭଲ-୧ କର୍କଟ ଆକ୍ରାନ୍ତ ହେଉଥିବା ଜଣାପଡ଼ିଥିଲା। କର୍କଟ ରୋଗ ଆରମ୍ଭ ହେଉଥିଲା ବେଳେ ତାହା କୌଣସି ଟିସୁକୁ ବ୍ୟାପିନଥିଲା। ତେଣୁ ଖେଳ ଛାଡ଼ିଦେବାକୁ ଡାକ୍ତର ପରାମର୍ଶ ଦେବା ସହ ଔଷଧ ଖାଇବାକୁ ଦେଇଥିଲେ। ଔଷଧ ଖାଇବା ପରେ ଯନ୍ତ୍ରଣା କମ୍ ହୋଇଥିଲା ଓ ଧିରେଧିରେ ସଂପୂର୍ଣ୍ଣ ଉପଶମ ମିଳିଥିଲା। ପରେ ନାଡା ତାଙ୍କଠୁ ନମୁନା ସଂଗ୍ରହ କରିଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା ବୋଲି ଦୂତି କହିଛନ୍ତି। ଡୋପ୍ ଟେଷ୍ଟ ରିପୋର୍ଟ ଆସିବା ପରେ ଆଉ କର୍କଟ ରୋଗର ଚିକିତ୍ସା ଉପରେ ଧ୍ୟାନ ଦେଇପାରିନଥିବା ସେ କହିଛନ୍ତି।
ବାସନ୍ଦ ବିରୋଧରେ ଆବେଦନ କରିବେ!
ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ବାସନ୍ଦ ହୋଇଥିବା ଓଡ଼ିଆ ଧାବିକା ଦୂତି ଚାନ୍ଦ ଏହି ଦଣ୍ଡାଦେଶ ବିରୋଧରେ ଆବେଦନ କରିପାରନ୍ତି। ଶୁକ୍ରବାର ଦୂତିଙ୍କ ପାଖରେ ବାସନ୍ଦ ଦଣ୍ଡାଦେଶର ଇ-ମେଲ୍ ପହଞ୍ଚିଛି। ମେଲ୍ରେ ପାଖାପାଖି ୨୫ ପୃଷ୍ଟାର ଦଣ୍ଡାଦେଶ ରହିଛି। ତେଣୁ କେଉଁ ଧାରା ବିରୋଧରେ ତାଙ୍କୁ ଆଶ୍ବସ୍ତି ମିଳିପାରିବ ସେ ସଂକ୍ରାନ୍ତରେ ଓକିଲଙ୍କ ସହିତ ପରାମର୍ଶ କରିବେ। ଯଦି ଦଣ୍ଡାଦେଶ କୋହଳ କିମ୍ବା ସଂପୂର୍ଣ୍ଣ ପ୍ରତ୍ୟାହାର ହେବା ଭଳି ସମ୍ଭାବନା ଥିବ, ତାହେଲେ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ୍ (ଏଡିଏପି) ରେ ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ନିର୍ଦ୍ଦେଶ ବିରୋଧରେ ଆବେଦନ କରିପାରିବେ ବୋଲି ଦୂତି ‘ସମ୍ବାଦ’କୁ କହିଛନ୍ତି।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୫ ଓ ୨୬ ତାରିଖରେ ଦୁଇଥର ନାଡାର ଡୋପ୍ ନିୟନ୍ତ୍ରକ ଅଧିକାରୀ ଭୁବନେଶ୍ବରରେ ଦୂତିଙ୍କ ନମୂନା ପରୀକ୍ଷା ପାଇଁ ନେଇଥିଲେ। ପ୍ରଥମ ନମୁନାରେ ନିଷିଦ୍ଧ ଶକ୍ତିବର୍ଦ୍ଧକ ଆଣ୍ଡାରିନ୍, ଓଷ୍ଟାରିନ୍ ଓ ଲିଗାଣ୍ଡ୍ରୋଲ୍ ଆସିଥିଲା ବେଳେ ଦ୍ବିତୀୟ ନମୂନାରେ ଆଣ୍ଡାରିନ୍ ଓ ଓଷ୍ଟାରିନ୍ ଥିବା ଦେଖାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ କେବଳ ନିଲମ୍ବନ କରାଯାଇଥଲେ ହେଁ ଏହାର ଅବଧି ବିଷୟରେ କିଛି ନିର୍ଦ୍ଦେଶ ଦିଆଯାଇନଥିଲା। ନାଡାର ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ୍ (ଏଡିଡିପି) ପାଖରେ ଶୁଣାଣି ବେଳେ ଦୂତି ଏହାକୁ ଅଜ୍ଞାତରେ ସେବନ କରିଥିବା ସ୍ବୀକାର କରିଥିଲେ। ଫିଜିଓଥେରାପିଷ୍ଟଙ୍କ ପରାମର୍ଶକ୍ରମେ ସେ ଔଷଧ ଖାଇଥିଲେ। ହେଲେ ସେଥିରେ ନିଷିଦ୍ଧ ଔଷଧ ରହିଥିବା ସେ ଜାଣିନଥିଲେ। କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିପାରିନଥିଲେ। ଏଥିପାଇଁ ଗୁରୁବାର ଦୂତିଙ୍କୁ ଜାନୁଆରି ୩ ତାରିଖରୁ ପିଛିଲା ଭାବେ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା।
[ad_2]