ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ଜନଜୀବନ: ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ତୁଷାରପାତ
ବଣାଇ/କରଞ୍ଜିଆ: ବଦଳିଲା ପାଗର ମିଜାଜ୍ । ଧିରେ ଧିରେ ଖସୁଛି ପାରଦ, ବଢ଼ୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି ହାଡଭଙ୍ଗା ଶୀତ । ଶୀତର ଚାଦର ତଳେ ଏବେ ସାରା ଓଡ଼ିଶା । ଖସୁଛି ରାତିର ତାପମାତ୍ରା । ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି ସହ ଦୃଶ୍ୟମାନ ହେଲାଣି ତୁଷାରପାତ । ତୁଷାରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ଦେଖିବେ କେବଳ ଧଳା ଚାଦର ଘୋଡାଇ ହୋଇରହିଛି ମାଟି ଉପରେ ।
ସୁନ୍ଦରଗଡ ଜିଲ୍ଲା କୋଇଡା ଅଂଚଳରେ ଚଳିତ ବର୍ଷର ଭୀଷଣ ତୁଷାରପାତ ଦେଖିବାକୁ ମିଳିଛି । ରାତ୍ରିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ହୋଇଛି । ଖୋଲା ପଡ଼ିଆ ,ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଖଣି ଅଞ୍ଚଳ ହୋଇଥିବାରୁ ବିଶେଷ କରି ରାତି ସିପ୍ଟ , ଓ ସକାଳୁ କାର୍ଯ୍ୟକୁ ଯାଉଥିବା ଶ୍ରମିକ, କର୍ମଜୀବୀ ତଥା ବୃଦ୍ଧ ବୃଦ୍ଧାମାନେ ବେଶୀ ଡହଳବିକଳ ହେବାର ନଜିର ରହିଛି । କୋଇଡାର ଟେନସା , କାଲଟା , ମାଲଦା , କୋଇଡା ହେଡକ୍ଵାଟର୍ସ, କାଶୀରା ପ୍ରମୁଖ ପାରଦ ଖସି ଅତ୍ୟଧିକ ମାତ୍ରାରେ ତୁଷାର ପାତ ଦେଖିବାକୁ ମିଳିଛି । ପୂର୍ବରୁ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ସୁନ୍ଦରଗଡକୁ ୟେଲୋ ୱାର୍ଣିଂ ଦିଆଯାଇଛି ।