ଆଉ ନାହାନ୍ତି ‘ବୋନସାଇ ମ୍ୟାନ୍’ ରମେଶ ମହାନ୍ତି, ଏକାଧାରରେ ଥିଲେ ଅନେକ ପ୍ରତିଭାର ଅଧିକାରୀ
ଭୁବନେଶ୍ବର (କେନ୍ୟୁଜ୍) : ‘ବୋନସାଇ ମ୍ୟାନ୍’ ଭାବେ ପରିଚିତ ରମେଶ ପ୍ରସାଦ ମହାନ୍ତିଙ୍କର ଗତକାଲି ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । କିଡନୀ ଜନିତ ରୋଗରେ ପୀଡ଼ିତ ଥିବା ରମେଶ ମହାନ୍ତିଙ୍କର ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ନିଧନ ହୋଇଛି ।
ପେସାରେ ଜଣେ ଆନ୍ଥ୍ରୋପୋଲୋଜିଷ୍ଟ ହେଲେ ବିଭିନ୍ନ ଗଛକୁ ବୋନସାଇ ବା ବାମନ ରୂପ ଦେଇ ଅନେକ ପ୍ରଶଂସା ସାଉଣ୍ଟି ଥିଲେ ରମେଶ ।
ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କାର ମଧ୍ୟ ଜିତିଥିଲେ । ଗଛକୁ ଭଲ ପାଉଥିବା ମଣିଷଟି ସବୁ ବେଳେ ଗଛ କଥା ଚିନ୍ତା କରିବା ସହିତ ସେମାନଙ୍କ ସେବାରେ ମଧ୍ୟ ଲାଗିଥିଲେ । ଭୁବନେଶ୍ବର ସ୍ଥିତ ନିଜ ଘର ଛାତକୁ ସେ ବୋନସାଇ ବଗିଚାରେ ପରିଣତ କରି ଦେଇଥିଲେ ।
ସେ ଏକାଧାରରେ ବିଭିନ୍ନ ପ୍ରତିଭାର ଅଧିକାରୀ ଥିଲେ । ଜଣେ ସରଳ, ଅମାୟିକ ବ୍ୟକ୍ତିତ୍ବର ଅଧିକାରୀ ହେବା ସହିତ ସାହିତ୍ୟରେ ବି ରୁଚି ରଖିଥିଲେ । ଗଳ୍ପ, କବିତା ଆଦି ରଚନା କରି ଚାଲିଥିଲେ ଅବିରତ ଭାବେ । ତାଙ୍କ ଦ୍ବାରା ଲିଖିତ ଅନେକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି । ଏହି ବୃକ୍ଷ ପ୍ରିୟ ବ୍ୟକ୍ତି ଜଣକ ନିଜ ବନ୍ଧୁବର୍ଗ ମହଲରେ ଖୁବ୍ ପ୍ରିୟ ଥିଲେ । ତେବେ କିଡନୀ ଜନିତ ରୋଗ ପରେ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା । ତାଙ୍କ ପତ୍ନୀ ତାଙ୍କୁ କିଡନୀ ଦାନ କରିଥିଲେ । ତେବେ ଏହାପରେ ମଧ୍ୟ ଶାରୀରିକ ଅସୁସ୍ଥତା ଲାଗି ରହିଲା । ଶେଷରେ ଗତକାଲି ରାତିରେ ରମେଶ ପ୍ରସାଦ ମହାନ୍ତି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ରମେଶଙ୍କ ନିଜ ଘର ଭୁବନେଶ୍ବର ଉପକଣ୍ଠ ହୀରାପୁର ଠାରେ । ତେବେ ସେ ଭୁବନେଶ୍ବରରେ ରହୁଥିଲେ । ତାଙ୍କର ପତ୍ନୀ ଏବଂ ଦୁଇଟି ଝିଅ ଅଛନ୍ତି । ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।