ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ଭୋଗରାଇ,୦୩/୧୦: ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଟାଣ ଖରାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ବେଳେ ହାଠତ ଜଣେ ଶିକ୍ଷୟତ୍ରୀଙ୍କ ବଦଳି କରାଯାଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏଭଳି ପ୍ରତିବାଦ କରିଛନ୍ତି । ବାଲେଶ୍ୱର ଭୋଗରାଇ ଶ୍ରଦ୍ଧାପୂର ସରକାରୀ ନୋଡ଼ାଲ ଉପ୍ରା ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଶ୍ରଦ୍ଧାପୂର ସରକାରୀ ନୋଡ଼ାଲ ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିବା ବେଳେ ୧୭୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ବିଦ୍ୟାଳୟକୁ ୭ ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ୪ ଶିକ୍ଷକରେ ପାଠପଢ଼ା ଚାଲିଥିଲା । ହଠାତ ଗତକାଲି ଶିକ୍ଷୟତ୍ରୀ ଶ୍ରମିଷ୍ଟା ସୁରଙ୍କ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ହୋଇଥିଲା । ଫଳରେ ବିଦ୍ୟାଳୟର ପରିଚାଳନା କମିଟି ଏବଂ ଅଭିଭାବକମାନେ ଗୁରୁବାର ସକାଳେ ବିଦ୍ୟାଳୟ ଗେଟରେ ତାଲା ପକାଇବା ସହିତ ଛାତ୍ରଛାତ୍ରୀଙ୍କୁ ଟାଣ ଖରାରେ ବସାଇ ପ୍ରତିବାଦ କରିଥିଲେ । ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟ ଭିତରକୁ ପ୍ରବେଶ କରାଇ ଦେଇନଥିଲେ । ଦୀର୍ଘ ସମୟ ଧରି ଏଭଳି ପ୍ରତିବାଦ ହେବା ପରେ ଖବର ପାଇ ଭୋଗରାଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା ଆରମ୍ଭ କରିଛନ୍ତି ।