ଓଡିଶା

ନୁଡୁଲ୍‌ସ୍‌ ନୁହେଁ, ପାରମ୍ପରିକ ଖାଦ୍ୟ ଖାଆନ୍ତୁ

ଭୁବନେଶ୍ୱର, ୦୬/୧୧ : ୧୦ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ । ଏଥିରେ ଶ୍ରୀ ଅନ୍ନ ବା ମିଲେଟ୍ ଚାଷ ସହ ହଜିଯାଉଥିବା ପାରମ୍ପରିକ ଖାଦ୍ୟ ଉପରେ ମାନସମନ୍ଥନ ହେବ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ନୁଡୁଲ୍ସ୍ ଓ ବଜାରରେ ମିଳୁଥିବା ଚଟ୍ପଟି ଖାଦ୍ୟ ଛାଡ଼ି ପାରମ୍ପରିକ ଓ ଋତୁଜାତୀୟ ଖାଦ୍ୟ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି ।

୧୦ ଓ ୧୧ ଦୁଇ ଦିନ ଏହି ସମ୍ମିଳନୀ ଚାଲିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ ଓ ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷା ସୌମ୍ୟା ସ୍ୱାମୀନାଥନଙ୍କ ଭଳି ବ୍ୟକ୍ତିତ୍ୱ ଏହି ସମ୍ମିଳନୀରେ ସାମିଲ ହେବେ । ଚାଷୀଙ୍କ ଠାରୁ ନେଇ ଏସ୍ଏଚ୍ଜି ସଦସ୍ୟା, ଉଦ୍ୟୋଗୀ, ଗବେଷକ, ହୋଟେଲ ସଂଘ, ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତନାମା ସଂସ୍ଥା, ଜଣାଶୁଣା ସେଫ୍ ଓ ବ୍ଲଗର ଏକାଠି ହେବେ । ସମ୍ମିଳନୀରେ “ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହେବ । ପୁଣି ବିଭିନ୍ନ ଅଧିବେଶନରେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ଆଲୋଚନା ଚାଲିବ । ଆଲୋଚନାର ନିଷ୍କର୍ସକୁ ନେଇ ବିସ୍ତୃତ ରୋଡ୍ମ୍ୟାପ୍ ପ୍ରସ୍ତୁତ ହେବ । ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ଯେଭଳି ପୁଣି ପ୍ରାଥମିକତା ମିଳିବ ତାହା ରହିବ ।

କୃଷି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଗ୍ୟାସକୁ ନେଇ ହୋଇଥିବା ମନ୍ କୀ ବାତ୍ରେ ଆମ ରାଜ୍ୟର ଜଣେ ଆଦିବାସୀ ମହିଳାଙ୍କ ସହ କଥା ହୋଇଥିଲେ । ଗ୍ୟାସ୍ରେ କ’ଣ ରୋଷେଇ କରିବେ ବୋଲି ପଚାରିଥିଲେ । ମହିଳା କହିଥିଲେ, ମୁଁ ନୂଆ ଗ୍ୟାସରେ ନୁଡୁଲ୍ସ୍ ତିଆରି କରିବି । ଆମେ ଆମ ପାରମ୍ପରିକ ଖାଦ୍ୟକୁ ଅଧିକ ପ୍ରଚାରପ୍ରସାର କରିବାକୁ ସେ ଏହି ଅବସରରେ ପରାମର୍ଶ ଦେଇଥିଲେ । ବିଦେଶରୁ କୌଣସି ଅତିଥି ଆସିଲେ ଆମେ ତାଙ୍କ ଦେଶର ଖାଦ୍ୟ ବଦଳରେ ଆମ ପାରମ୍ପରିକ ଖାଦ୍ୟ ପରଷିଲେ ଏହାକୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ସେ କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button