ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବୃହତ ବିଜୟ, ଦାବି କଲା ୟୁଏସ୍ ମିଡିଆ
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବୃହତ ବିଜୟ ହୋଇଛି । ଏହି ଦାବି କରିଛି ଆମେରିକୀୟ ମିଡିଆ ଆଉଟଲେଟ୍ ‘ଫକ୍ସ ନ୍ୟୁଜ୍’ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ଥିବାବେଳେ ଏହାରି ଭିତରେ ଫକ୍ସ ନ୍ୟୁଜ୍ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ବିଜୟ ଘୋଷଣା କରିଛି ।
ବର୍ତ୍ତମାନ ଟ୍ରମ୍ପଙ୍କୁ ସୋସିଆଲ ମିଡିଆରେ ବିଜୟର ଶୁଭେଚ୍ଛା ମିଳିବାରେ ଲାଗିଛି ।
ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ସୋସିଆଲ ମିଡିଆରେ ପୋଷ୍ଟ କରି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ରମ୍ପଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଶୁଭେଚ୍ଛା ରାଷ୍ଟ୍ରପତି ଟ୍ରମ୍ପ’ ।
ନିର୍ବାଚନ ପ୍ରଚାର ସମୟରେ ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କର ପୂରା ଫୋକସ୍ ୭ ସ୍ଵିଙ୍ଗ୍ ରାଜ୍ୟ ଉପରେ ଥିଲା, ଯେଉଁଠି ଟ୍ରମ୍ପ୍ ଅଗ୍ରଣୀ ରହିଛନ୍ତି । ସେଥିରୁ ଦୁଇଟି ଡୋନାଲ୍ଡ ଟ୍ରମ୍ପ୍ ଜିତି ସାରିଛନ୍ତି । ବିଶ୍ୱର ସବୁଠାରୁ ଜଟିଳ ଏହି ନିର୍ବାଚନ ପ୍ରକ୍ରିୟାରେ ରାଷ୍ଟ୍ରପତି ହେବା ପାଇଁ ସଂଖାଗରିଷ୍ଠତା ରହିଛି ୨୭୦ । ଏଠାରେ ମୋଟ ୫୩୮ ଇଲେକ୍ଟୋରାଲ କଲେଜ ଥିବାବେଳେ ବିଜୟ ପାଇଁ ୨୭୦ କିମ୍ବା ଏହାଠାରୁ ଅଧିକ ଆବଶ୍ୟକ ହୋଇଥାଏ ।
ଏବେ ମ୍ୟାଜିକ ନମ୍ବରକୁ ପାର୍ କରି ଦେଇଛନ୍ତି ଟ୍ରମ୍ପ । କମଲା ହାରିସ ୨୨୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ୨୭୭ ଖଣ୍ଡ ଭୋଟ୍ ହାସଲ କରିଛନ୍ତି ।