ଓଡିଶା

ପ୍ରଦୂଷିତ ହେଉଛି ବ୍ରାହ୍ମଣୀ ଓ କୋଏଲ: ପାର୍ଶ୍ବବର୍ତ୍ତୀ ଗ୍ରାମବାସୀଙ୍କ ଜୀବନ ପ୍ରତି ବିପଦ

ରାଉରକେଲା: ବର୍ଜ୍ୟଜଳ ପରିଚାଳନା ପାଇଁ ରାଉରକେଲାରେ କାର୍ଯ୍ୟକ୍ଷମ ହୋଇଛି ‌ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ। ହେଲେ ବାସ୍ତବ ଚିତ୍ର ଓଲଟା। ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନାମକୁ ମାତ୍ର ଚାଲିଛି। ଆଜି ପର୍ଯ୍ୟନ୍ତ ଯେତିକି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଚାଲିବା କଥା, ତା’ ଚାଲିପାରିଲା ନାହିଁ। ୨୦୧୭ରୁ ଆଜି ପର୍ଯ୍ୟନ୍ତ ଠିକାସଂସ୍ଥା କାମ କରୁଛି।

୮ ବର୍ଷ ବିତିଯାଇଥିଲେ ହେଁ ସରୁନି। କେବେ ସରିବ, ବିଭାଗୀୟ ଅଧିକାରୀ ମଧ୍ୟ କହିପାରୁନାହାନ୍ତି। ଫଳରେ ସହରରୁ ନିର୍ଗତ ବର୍ଜ୍ୟଜଳ ଅଧିକାଂଶ ସ୍ଥାନରେ ସିଧାସଳଖ ବ୍ରାହ୍ମଣୀ ଓ କୋଏଲ ନଦୀରେ ମିଶୁଛି। ବ୍ରାହ୍ମଣୀର ପ୍ରଦୂଷଣ ରୋକିବାକୁ ଥରେ ନୁହେଁ ଏକାଧିକବାର ପ୍ରଦୂଷଣ ବିଭାଗ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛି। ଆବଶ୍ୟକ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ବିଭିନ୍ନ ହସ୍ପିଟାଲ, କାରଖାନାକୁ ମଧ୍ୟ ତାଗିଦ୍‌ କରାଯାଇଛି।

ସୂଚନାଯୋଗ୍ୟ ଯେ, ଏସ୍‌ଟିପି ଆଳରେ ହସ୍ପିଟାଲ, କଳକାରଖାନା ଓ ଅନ୍ୟ ଅନୁଷ୍ଠାନଗୁଡ଼ିକରୁ ନିର୍ଗତ ବର୍ଜ୍ୟଜଳ ସିଧାସଳଖ ପ୍ରମୁଖ ନାଳକୁ ଛାଡ଼ି ଦିଆଯାଉଛି। ନାଳ ମଧ୍ୟ ଦେଇ ବର୍ଜ୍ୟଜଳ ବ୍ରାହ୍ମଣୀ ଓ କୋଏଲନଦୀରେ ଯାଇ ମିଶୁଛି। ଏହା ସତ୍ବେ ଆଜି ପର୍ଯ୍ୟନ୍ତ ବର୍ଜ୍ୟଜଳର ସଠିକ୍‌ ପରିଚାଳନା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇପାରିନି। ବର୍ଷ ବର୍ଷ ଧରି ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, କଳକାରଖାନା, ବିଭିନ୍ନ କେମିକାଲ କାରଖାନା ଆଦିରୁ ନିର୍ଗତ ବର୍ଜ୍ୟଜଳ ଉଭୟ ବ୍ରାହ୍ମଣୀ ଓ କୋଏଲରେ ମିଶି ନଦୀଜଳ ପ୍ରଦୂଷିତ ହେଉଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ କଲୁଙ୍ଗାର ବିଭିନ୍ନ କଳକାରଖାନାରୁ ନିର୍ଗତ ବର୍ଜ୍ୟଜଳ ବ୍ରାହ୍ମଣୀ ଓ ଇସ୍ପାତ ସହରାଞ୍ଚଳ ଓ କିଛି କଳକାରଖାନାରୁ ବର୍ଜ୍ୟଜଳ କୋଏଲନଦୀରେ ସିଧାସଳଖ ମିଶୁଛି। ବେଳେବେଳେ ବ୍ରାହ୍ମଣୀ ଜଳ ଏତେ ପ୍ରଦୂଷିତ ହେଉଛି, ତା’ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ପ୍ରତି ବିପଦ ଆଣୁଛି। ବେଦବ୍ୟାସରୁ ଲାଠିକଟା ପର୍ଯ୍ୟନ୍ତ ବ୍ରାହ୍ମଣୀନଦୀର ଉଭୟପାର୍ଶ୍ବରେ ବସବାସ କରୁଥିବା ପ୍ରାୟ ୫୦ରୁ ଅଧିକ ଗାଁ ଓ ବସ୍ତି ନଦୀଜଳ ଉପରେ ନିର୍ଭରଶୀଳ। ଗାଧୋଇବାଠୁ ଆରମ୍ଭକରି ଅନ୍ୟାନ୍ୟ କାର୍ଯ୍ୟରେ ବସ୍ତିବାସିନ୍ଦା ନଦୀପାଣିକୁ ବର୍ଷବର୍ଷ ଧରି ବ୍ୟବହାର କରିଆସୁଛନ୍ତି। ଖରାଦିନେ ପାଣି ଅଭାବରୁ ଅଧିକାଂଶ ବସ୍ତିବାସିନ୍ଦା ନଦୀଜଳକୁ ରୋଷେଇ ଓ ଅନ୍ୟ କାମରେ ବ୍ୟବହାର କରୁଛନ୍ତି। ୫୦ ବସ୍ତିର ପ୍ରାୟ ୩୦ ପ୍ରତିଶତ ଲୋକ ନଦୀପାଣିରେ ସ୍ନାନଶୌଚଠାରୁ ଆରମ୍ଭକରି ଅନ୍ୟାନ୍ୟ ଆବଶ୍ୟକତା ମେଣ୍ଟାଉଛନ୍ତି। ପାଳିତ ପଶୁମାନେ ନଦୀ ପିଉଛନ୍ତି। ବିଗତଦିନରେ ବ୍ରାହ୍ମଣୀର ଦୂଷିତ ପାଣିକୁ ବ୍ୟବହାର କରି ଅନେକ ବସ୍ତିବାସିନ୍ଦା ଚର୍ମରୋଗରେ ଆକ୍ରାନ୍ତ ହୋଇଛନ୍ତି।
ନଦୀପାଣିକୁ ପ୍ରଦୂଷଣ ମୁକ୍ତ ରଖିବାକୁ ଅନେକବାର ବିଭିନ୍ନ ସଙ୍ଗଠନ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, ଫଳ ଶୂନ୍‌। ବ୍ରାହ୍ମଣୀ ପରି କୋଏଲନଦୀରେ ମଧ୍ୟ ସମାନସ୍ଥିତି ଉପୁଜିଛି। କୋଏଲନଦୀ ଉପରେ ନିର୍ଭରଶୀଳ ୬୦ରୁ ଅଧିକ ବସ୍ତି ଓ ଗାଁ ଦୂଷିତ ନଦୀପାଣିକୁ ବ୍ୟବହାର କରୁଛନ୍ତି। ସେପଟେ ପ୍ରତିବର୍ଷ ବିଧାନସଭାରେ ପ୍ରଦୂଷିତ ହେଉଥିବା ନଦୀଜଳକୁ ନେଇ ତମ୍ବିତୋଫାନ ହେଉଛି। ବିଭିନ୍ନ ବିଭାଗକୁ ପଦକ୍ଷେପ ନେବାକୁ ସରକାର ନିର୍ଦେଶ ଦେଉଛନ୍ତି। ଜିଲ୍ଲା ପ୍ରଶାସନ ଓ ଅନ୍ୟ ବିଭାଗ ଯେମିତି କାମ କରିବା କଥା, ତା’ କରୁନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button