ରାଜନୀତି

ବିଜେଡି ପାଇଁ କଣ ଭବିଷ୍ୟବାଣୀ କଲେ ଅମର ଶତପଥୀ?

ଭୁବନେଶ୍ବର: ତେଜୁଛି ବିଜେଡି କଳି । କେତେବେଳେ ଗଞ୍ଜାମ ତ କେତେବେଳେ ଭୁବନେଶ୍ବର । ବିଜେଡି ନେତାଙ୍କ ବୟାନବାଜିକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ବିଜେଡି ପରାଜୟକୁ ନେଇ ପ୍ରଶ୍ନ କରିଥିବା ବରିଷ୍ଠ ନେତା ଅମର ଶତପଥୀ ଦଳ ପାଇଁ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଆଗକୁ ବିଜେଡିରେ ଅନେକ କିଛି ଘଟିବାକୁ ଯାଉଛି । ବହୁ ନେତା ବିଜେଡି ଛାଡିବେ ବୋଲି ଅମର କହିଛନ୍ତି ।

ଅମରଙ୍କ ବୟାନକୁ ନେଇ ଗତ କିଛି ଦିନ ହେଲା କଥା କଟାକଟି ଚାଲିଛି । ଅମର ଚାହିଁଲେ ଦଳ ଛାଡି ଯାଇପାରିବେ ବୋଲି କହିଥିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଜବାବରେ ଦଳରେ ନଥିବା କହିଥିଲେ ଅମର । ଏବେ ପୁଣି ଅମର ଭବିଷ୍ୟବାଣୀ କରିଛନ୍ତି ।

ବିଜେଡିରେ ଘଟିବ ଅନେକ କିଛି !

ବରିଷ୍ଠ ନେତା ଅମର ଶତପଥୀ ଆଗକୁ ବିଜେଡିରେ ଅନେକ କିଛି ଘଟିବାକୁ ଯାଉଥିବା କହିଛନ୍ତି । ନେତାମାନେ ଅରୁଚିକର ଓ ଅପରିପକ୍ବ ମନ୍ତବ୍ୟ ଦେଉଛନ୍ତି, ତାଙ୍କ ପ୍ରତି ଦୟା ଆସୁଛି । ଯେଉଁମାନେ ବିଜେଡି ଗଠନରେ ନଥିଲେ, ଇତିହାସ ଜାଣିନାହାନ୍ତି, ସେମାନେ କ୍ୟାମେରା ସାମନାରେ ବହୁତ କଥା କହୁଛନ୍ତି। ବାସ୍ତବତା ଓ ବୟାନବାଜି ଭିତରେ ଦୂରତା ବଢିଗଲାଣି। ପୁଞ୍ଜିଭୂତ ଅସନ୍ତୋଷ ରହିଛି, ଅନେକ କହୁନାହାନ୍ତି । ବ୍ୟକ୍ତିଗତ ଭାବେ ତାଙ୍କ ସହ ଯୋଗାଯୋଗ ଥିବା ନେତାଙ୍କ ଭିତରେ ଅସନ୍ତୋଷ ରହିଛି। ଦଳରେ ଅସନ୍ତୋଷ ରହିଛି, ଏଥିରେ ଦ୍ବିମତ ନାହିଁ। ଦୁଇ ରାଜ୍ୟସଭା ସାଂସଦଙ୍କ ପରେ ଅନେକ ଦଳ ଛାଡି ପାରନ୍ତି । ଏ ଅବସ୍ଥା ପାଇଁ କିଏ ଦାୟୀ, ସେନେଇ ରାଜ୍ୟ ସଭାପତି କହିବା ଉଚିତ ବୋଲି ଅମର କହିଛନ୍ତି ।

ବିଜେଡିରେ ‘ଅମର’ କଳି

ନିର୍ବାଚନ ବେଳେ ବଡ଼ଚଣା ଟିକେଟ୍ କଟିବା ପରଠୁ ହିଁ ଅମର ଶତପଥୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । ନିର୍ବାଚନ ପ୍ରଚାରରେ ତାଙ୍କୁ ଦେଖିବାକୁ ମିଳିନଥିଲା । ନିର୍ବାଚନ ହାରିବା ପରେ ପରାଜୟର ଦାୟିତ୍ବ ନବୀନଙ୍କୁ ନେବାକୁ କହିଥିଲେ ଅମର । ତେବେ ସେ ଚାହିଁଲେ ଦଳ ଛାଡି ଚାଲିଯାଇପାରନ୍ତି ବୋଲି କହିଥିଲେ ଲେନିନ ମହାନ୍ତି । ଏହାପରେ ଦଳରେ ସଭ୍ୟପଦ ନବୀକରଣ କରିନଥିବା କହିଥିଲେ ଅମର ଶତପଥୀ। ବିଜେଡି ଛାଡି ବିଜେପିରେ ମିଶିଥିବା ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଅମରଙ୍କ ମନ୍ତବ୍ୟକୁ ସମର୍ଥନ କରି ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ। ତେବେ ପାଣ୍ଡିଆନ ବିଜେଡିର ନେତା ନଥିଲେ ବୋଲି କହି କାଉଣ୍ଟର କରିଥିଲେ ଦଳୀୟ ସାଂସଦ ଦେବାଶିଷ ସାମନ୍ତରାୟ ।

ଯେତେ ଲୁଚାଇଲେ ବି ଫାଟ ଦିଶୁଛି

କେବଳ ଅମର ଶତପଥୀ ନୁହେଁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ବିଜେଡିର ଅନ୍ତକନ୍ଦଳ । ପୂର୍ବତନ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସିଧାସଳଖ ଆସିକା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ଟାର୍ଗେଟ୍ କରିଥିଲେ ତ ଭୁବନେଶ୍ବର ବିଜେଡି କଳି ଥାନାରେ ପହଞ୍ଚିଥିଲା । ବାରବାଟୀ-କଟକ ବିଜେଡିରେ ବି ଅନ୍ତକନ୍ଦଳ । ନବୀନଙ୍କ ଜନ୍ମଦିନ ପାଳନ କାର୍ଯ୍ୟକ୍ରମରେ କଟକ ମେୟର ସୁବାସ ସିଂ ଓ ତାଙ୍କ ସମର୍ଥକ କର୍ପୋରେଟର ସାମିଲ ନହେବା ଦଳ ଭିତର ଅନ୍ତକନ୍ଦଳକୁ ପଦାରେ ପକାଇଛି । ପୂର୍ବରୁ ଦଳ ବିରୋଧରେ ପଦେ କହିବାକୁ ଡରୁଥିବା ନେତା ଏବେ ଖୋଲାଖୋଲି ବିଷ ଓଗାରୁଛନ୍ତି ।

ଯିଏ ଦଳ ଛାଡିଲେ ବି କିଛି ଫରକ ପଡିବନି ବୋଲି ଦେବାଶିଷ ସାମନ୍ତରାୟ ଯେତେ ଦମ୍ଭରେ କହିଲେ ବି, ସତ ଭିନ୍ନ । ଦଳର ପ୍ରତିଷ୍ଠାତା ସଦସ୍ୟ ରହିଥିବା ବରିଷ୍ଠ ନେତା ବିଜେଡି ବିରୋଧରେ କହିବା ହେଉ କି ଦଳର ନେତ୍ରୀ ଅନ୍ୟ ଜଣେ ନେତ୍ରୀଙ୍କୁ ବିଭୀଷଣ କହିବା ହେଉ, ଏସବୁ ପ୍ରମାଣିତ କରୁଛି ବିଜେଡିରେ ସବୁକିଛି ଠିକ୍ ନାହିଁ । ବିଜେଡିରେ ବୟାନବାଜିରେ ଲଗାମ ଲଗାଇବା ସହ ନେତାଙ୍କୁ ଏକାଠି କରିବା ଏବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ । ଦଳ ଭିତରର କଳି ତୁଟାଇ ନେତାଙ୍କ ଅସନ୍ତୋଷ ନେଇ ସିଧାସଳଖ କଥା ହୁଅନ୍ତୁ ନବୀନ । କାରଣ ଏମିତି ନହେଲେ ଅମର ଶତପଥୀଙ୍କ ଭବିଷ୍ୟବାଣୀ ସତ ହେବାର ଆଶଙ୍କା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button