ଓଡିଶା

ରାଜେନ୍ଦ୍ରନଗରରେ ବ୍ୟାପିଲା ଜଣ୍ଡିସ୍‌, ୮୬ରୁ ଅଧିକ ଆକ୍ରାନ୍ତ – bajravana

[ad_1]

ଟ୍ୟାପ୍‌ରେ ଦିଆଯାଉଥିବା ପାଣି ଦୂଷିତ

କଟକ-ବିଦ୍ୟାଧରପୁର: କଟକରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଅମୃତ ପାଣି ଏବେ ଲୋକଙ୍କ ପାଇଁ ବିଷ ହୋଇଛି। କଟକ ପୌର ନିଗମର ୫୨ ନମ୍ବର ଵାର୍ଡରେ ଏହି ପାଣି ପିଇ ଏବେ ୮୬ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଅଭିଯୋଗ ହେଉଛି। ରାଜେନ୍ଦ୍ର ନଗର ମଙ୍ଗଳା ମନ୍ଦିର ପୋଷ୍ଟ ଅଫିସ୍‌ ଠାରୁ ବିଜୟଲକ୍ଷ୍ମୀ ମଣ୍ଡପ ପର୍ଯ୍ୟନ୍ତ ଯାଇଥିବା ଟ୍ୟାପ୍‌ ପାଣି ଏହି ଅଞ୍ଚଳର ଲୋକ ବ୍ୟବହାର କରୁଥିବାରୁ ଏହି ପାଣି ପିଇ ସେମାନେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଏସଂପର୍କରେ ସ୍ଥାନୀୟ ସମାଜସେବୀ ପ୍ରଦୀପ୍ତ ଆଚାର୍ଯ୍ୟ କହିଛନ୍ତି ଯେ ଟ୍ୟାପ୍‌ରେ ଆସୁଥିବା ଦୂଷିତ ପାଣି ପିଇ ଅଞ୍ଚଳରେ ଜଣ୍ଡିସ ବ୍ୟାପିବାରେ ଲାଗିଛି। ପୋଷ୍ଟ ଅଫିସ୍‌ ଲେନ୍‌ରେ ରହୁଥିବା ପ୍ରଶାନ୍ତ ପଣ୍ଡାଙ୍କ ପୂରା ପରିବାର ଏବେ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଶାନ୍ତଙ୍କ ଅଭିଯୋଗ ଅନୁଯାୟୀ ସେ ଏ ସଂପର୍କରେ‌ ସ୍ଥାନୀୟ କର୍ପୋରେଟର୍‌ ସୌଭାଗିନୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ‌କଟକ ପୌର ନିଗମରେ ବି ଅଭିଯୋଗ କରିଥିଲେ। କିନ୍ତୁ ତୁରନ୍ତ ପଦକ୍ଷେପ ନେବା ବଦଳରେ ଏ କାମ ୱାଟ୍‌କୋର ବୋଲି କହି ସିଏମ୍‌ସି କର୍ତ୍ତୃପକ୍ଷ ଚୁପ୍ ବସିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ୱାର୍ଡର ଏଭଳି ସ୍ଥିତି ସଂପର୍କରେ କର୍ପୋରେଟର ସୌଭାଗିନୀ ଜେନା କହିଛନ୍ତି ଯେ ପାଣି ପାଇପ୍ ବାରମ୍ବାର ଫାଟି ସେଥିରେ ନଳା ପାଣି ମିଶି ଦୂଷିତ ହେଉଛି। ସେହି ପାଣି ବ୍ୟବହାର କରି ୱାର୍ଡର ଅନେକ ପରିବାର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଏ ସଂପର୍କରେ ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ୱାଟକୋ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଥିଲେ। କିନ୍ତୁ ସେମାନେ ଏହାକୁ ସେତିକି ଗୁରୁତ୍ବ ଦେଇ କାମ କରୁନାହାନ୍ତି। ଅଳ୍ପ କିଛି କାମ କରି ଛାଡ଼ି ଚାଲି ଯାଉଛନ୍ତି। ଏ ସଂପର୍କରେ ସିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବା ପରେ ସ୍ବାସ୍ଥ୍ୟ ବିଭାଗର ଟିମ୍ ଅଞ୍ଚଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ବୋଲି କର୍ପୋରେଟର କହିଛନ୍ତି। କିନ୍ତୁ ସିଧା ଟ୍ୟାପ୍‌ରୁ ଶୁଦ୍ଧ ପାଣି ପିଇବା ପାଇଁ ପ୍ରଚାର କରାଯାଉଥିବା ବେଳେ ଟ୍ୟାପ୍‌ର ଦୂଷିତ ପାଣି ପିଇ ଲୋକେ ଜଣ୍ଡିସରେ ଆକ୍ରାନ୍ତ ହେବା ଏବେ ପ୍ରତିକ୍ରିୟାର କାରଣ ହୋଇଛି। ଖରା ଦିନେ ୱାଟକୋ ଯୁଦ୍ଧକାଳୀନ ଭିତ୍ତି‌ରେ ଏହାର ସମାଧାନ ନ କରି ନିଷ୍କ୍ରିୟ ରହିବା ଘଟଣା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସମସ୍ୟା ରହିଲେ କେବଳ ଏହି ନିର୍ଦ୍ଦିଷ୍ଟ ୱାର୍ଡ ନୁହେଁ, କଟକ ସହରରେ ବି ଜଳଜନିତ ରୋଗ ବ୍ୟାପକ ହେବା ଆଶଙ୍କା କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button