ଓଡିଶା

ବରଗଡ଼ ଧନୁଯାତ୍ରା: ସୁଦାମା ସହ ଭେଟ, କୁବୁଜା ଉଦ୍ଧାର – bajravana

[ad_1]

ମଥୁରାନଗରୀ: ଦଶମ ଦିନ (ବୁଧବାର) ରେ ପହଞ୍ଚିଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ମଥୁରାନଗରୀରେ ପହଞ୍ଚିଛନ୍ତି ଶ୍ରୀକୃଷ୍ଣ ବଳରାମ। ମଥୁରାରେ ଘରେ ଘରେ ପୂଜାର୍ଚ୍ଚନା କରାଯାଇଛି। କୃଷ୍ଣ-ବଳରାମଙ୍କ ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ ହୋଇଛି। କୃଷ୍ଣ- ବଳରାମଙ୍କୁ ପାଇ ମଥୁରାନଗରୀବାସୀ ପୂଜାର୍ଚ୍ଚନା କରିଛନ୍ତି। ଏହାସହ କାଳୀ ମନ୍ଦିରରେ କୁବୁଜା ଉଦ୍ଧାର, କୃଷ୍ଣ-ବଳରାମଙ୍କ ନଗର ଭ୍ରମଣ ଆଦି ଅଭିନୀତ ହୋଇଛି। ସେହିପରି ରାଜଦରବାରରେ ମହାରାଜ କଂସ କୃଷ୍ଣ-ବଳରାମଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। କଂସର ଛାୟା, କଂସର ସ୍ୱପ୍ନ ଆଦି ଅଭିନୀତ ହୋଇଛି।

ଦଶମ ଦିନର ନାଟ୍ୟାଭିନୟରେ କୃଷ୍ଣ-ବଳରାମଙ୍କୁ ଧନୁଯାତ୍ରାକୁ ନିମନ୍ତ୍ରଣ କରିବାକୁ ଯାଇଥିବା ଅକ୍ରୂର ସେଠାରୁ ମେଲାଣି ନେଇ ମଥୁରାରେ ପହଞ୍ଚିଛନ୍ତି। ସାଙ୍ଗରେ ଆସିଛନ୍ତି କୃଷ୍ଣ ଓ ବଳରାମ। ମଥୁରାବାସୀ କୃଷ୍ଣ-ବଳରାମଙ୍କ ଆସିବା ସୂଚନା ପାଇ ଆନନ୍ଦ ବିଭୋର ହୋଇ ଧାଇଁଥିଲେ ଗାଁ ଦାଣ୍ଡକୁ। ଶ୍ୟାମଳ କୃଷ୍ଣ, ହାତରେ ତାଙ୍କର ବଂଶୀ, ମସ୍ତକରେ ଶୋଭା ପାଉଛି ମୟୂର ଚନ୍ଦ୍ରିକା। ସାଙ୍ଗରେ ଅଛନ୍ତି ବଳରାମ। ଗୋରା ତକ ତକ ଚେହେରାର ବଳରାମ ଏବଂ ସେ ଧାରଣ କରିଛନ୍ତି ଲଙ୍ଗଳ। କଅଁଳ ଶିଶୁଙ୍କ ଏଇ ବିଚିତ୍ର ଲୋଭନୀୟ ସୁଶୋଭିତ ରୂପ। ଉଜ୍ଜଳ ମୁଖମଣ୍ଡଳ ଦେଖି ବିଭୋର ହୋଇଯାଇଛନ୍ତି ମଥୁରାର ଆବାଳବୃଦ୍ଧବନିତା। ଅକ୍ରୂରଙ୍କ ସହ ରଥାରୁଢ଼ ହୋଇ କୃଷ୍ଣ-ବଳରାମ ମଥୁରା ଭ୍ରମଣ କରିଥିଲେ। ପ୍ରଥମେ କୃଷ୍ଣ-ବଳରାମ ଖଜୁରଟିକ୍ରା ଆଦିମାତା ମନ୍ଦିର ଯାହାକି ଧନୁଯାତ୍ରାର ପରିକଳ୍ପିତ ମଧୁବନ ତୋଟାକୁ ଯାଇଥିଲେ। ଏହାପରେ କୃଷ୍ଣ-ବଳରାମ ଭ୍ରମଣ କରିବା ସହ ଉପଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ପହଞ୍ଚିଥିଲେ। ଉପଜିଲ୍ଲାପାଳ କୁମାର ନାଗଭୂଷଣ ନିଜେ ପୂଜାର୍ଚ୍ଚନା କରିଥିଲେ। ନଗର ଭ୍ରମଣ ସମୟରେ ମହାରାଜ କଂସଙ୍କ ରଜକକୁ କାନ୍ଧରେ ଉଜ୍ଜଳ ବସନ ନେଇ ଯାଉଥିବା ଦେଖି ଦୁଇ ଭାଇ ଏହି ବସ୍ତ୍ର ଦେବାକୁ ଅଳି କରିଥିଲେ। ମାତ୍ର ରଜକ ଏଥିରେ ରାଜି ହୋଇନଥିଲା। କୃଷ୍ଣ ଶେଷରେ ଗୁହାରି କରିଥିଲେ ହେଁ ସେ ନଶୁଣିଲା ପରି ସେଠାରୁ ଚାଲିଯାଉଥିବା ବେଳେ ଗୋପାଳମାନେ ତାଙ୍କଠାରୁ ଛଡ଼ାଇ ଆଣିବାକୁ ଉଦ୍ୟତ ହେଉଥିଲେ।

ରଜକ କହିଥିଲା- ଏହାକି ଗୋପପୁର ମଣିଛ / ଦୁଷ୍ଟ ସ୍ୱଭାବ ଛାଡ଼ି ନ ପାରୁଛ .. ରଜକର ଏଭଳି ମନ୍ତବ୍ୟ ଶୁଣି କୃଷ୍ଣ କ୍ରୋଧାନ୍ୱିତ ହୋଇଛନ୍ତି। ପରେ ରଜକ କୃଷ୍ଣ-ବଳରାମ ବୋଲି ଜାଣି ଦର୍ଶନ ପାଇ କୃତ୍ୟକୃତ୍ୟ ହୁଅନ୍ତି। ଏହାପରେ କୃଷ୍ଣ ଓ ଅନ୍ୟ ଗୋପାଳମାନେ ଲୁଗା ପିନ୍ଧିଥିଲେ। ନଗର ଭ୍ରମଣ ସମୟରେ ସୁଦାମା କୃଷ୍ଣ-ବଳରାମଙ୍କ ଚରଣ ଧୋଇ କୃଷ୍ଣପ୍ରେମରେ ଗଦଗଦ ହୋଇ ଉଠିଥିଲେ। ଶ୍ରୀକୃଷ୍ଣଙ୍କୁ ସଜାଇ ଦେବାକୁ ସୁଦାମା ନେହୁରା ହୋଇଛନ୍ତି। ପୁଷ୍ପମାଲ୍ୟ ସେ କୃଷ୍ଣ-ବଳରାମଙ୍କୁ ପିନ୍ଧାଇ ସଜାଇ ଦେଇଛନ୍ତି। ଆନନ୍ଦ ଉଲ୍ଲାସରେ କୃଷ୍ଣ-ବଳରାମ ଓ ଗୋପାଳମାନେ ଖେଳକୁଦ କରି ମଥୁରାନଗରୀର ରାଜରାସ୍ତାରେ ଭ୍ରମଣ କରିଛନ୍ତି। ଏହି ସମୟରେ କାଳିମନ୍ଦିରରେ କୁବୁଜା ସହିତ ସେମାନଙ୍କର ସାକ୍ଷାତ ହୋଇଥିଲା। କୁବୁଜା କୃଷ୍ଣଙ୍କ ଲଲାଟରେ ସୁବାସିତ କୁଙ୍କୁମ ଅଗରୁ ଲେପନ ଦେଇ ସଜାଇ ଦେଇଛନ୍ତି। ଶ୍ରୀକୃଷ୍ଣ କୁବୁଜା ଉପରେ ପ୍ରୀତ ହୋଇ ସାଉଁଳି ଦେବାରୁ କୁବୁଜାର ଅସୁନ୍ଦର ଶରୀର ସୁନ୍ଦର ହୋଇଯାଇଥିଲା।

ଅପରପକ୍ଷରେ ଆଜି ମଧ୍ୟ ମହରାଜ କଂସ ମଥୁରାନଗର ପରିକ୍ରମା କରିବା ସହିତ ଦିଗବିଜୟରେ ବାହାରିଥିଲେ। କୃଷ୍ଣ-ବଳରାମଙ୍କୁ ମଥୁରାରେ ଘରେ ଘରେ ପୂଜାର୍ଚ୍ଚନା କରାଯାଉଥିବା ସୂଚନା ପାଇ ମହାରାଜ କଂସ କ୍ରୋଧାନ୍ୱିତ ହୋଇଛନ୍ତି। ପୁଣି ସେଇ ଦୈବବାଣୀ ଗୁଞ୍ଜିରତ ହୋଇଛି ବାରମ୍ବାର। ଅନ୍ୟପକ୍ଷରେ ଧନୁଯାତ୍ରାର ଆୟୋଜନର ତାଙ୍କର ଅସଲ ଉଦ୍ଦ‌େଶ୍ୟ ସାଧିତ ହେବାକୁ ଯାଉଛି ବୋଲି ମଧ୍ୟ ମହାରାଜ ଆନନ୍ଦିତ ହୋଇଛନ୍ତି। ସ୍ବପ୍ନ ହୋଇଛି। ଆସନ୍ନ ମରଣ। ମରଣ ତ ନୁହେଁ ସେ ଚାହିଁଛନ୍ତି ମୋକ୍ଷ। ସତେ ଯେପରି ତାହା ସେ ଅନୁଭବ କରିପାରୁଛନ୍ତି। କ୍ରମେ ତାଙ୍କର ତନୁମନ ଦୁର୍ବଳ ହୋଇଯାଉଛି। ମାତ୍ର ପୁଣି ସେ ଦମ୍ଭ କରି ନିଜକୁ ସମ୍ଭାଳି ନେଉଛନ୍ତି। ପ୍ରବଳ ପ୍ରତାପୀ କଂସ ଏତେ ଦୁର୍ବଳ ହୋଇପାରିନା। ସେ ଯୁଦ୍ଧ କରିବ। ସାମାନ୍ୟ ଶିଶୁ କେବେ ହେଁ ତାର ମୃତ୍ୟୁର କାରଣ ହୋଇପାରେନା। ଏଭଳି ଗର୍ଜନ କରିଛନ୍ତି ମହାରାଜ କଂସ। ଉପସ୍ଥିତ ପାତ୍ର ମନ୍ତ୍ରୀ ମଧ୍ୟ ତାଙ୍କ କଥାରେ ହଁ ମିଳାଇଛନ୍ତି। ମହାରାଜଙ୍କ ପରାକ୍ରମ ସାମ୍ନାରେ ଦୁଗ୍ଧପୋଷ୍ୟ ଶିଶୁମାନଙ୍କର ଶକ୍ତି ବା କେତେ ବୋଲି ମହାରାଜଙ୍କୁ ଅାଶ୍ବାସନା ଦେଇଛନ୍ତି ମହାମନ୍ତ୍ରୀ ଶକ୍ରାଜିତ। ମହାମନ୍ତ୍ରୀଙ୍କ ଆଶ୍ୱାସନାରେ ଆଶ୍ୱସ୍ତି ଅନୁଭବ କରିଛନ୍ତି ମହାରାଜ କଂସ। ଚିନ୍ତାକୁ ଭୁଲିବା ପାଇଁ ଓ ମନକୁ ହାଲୁକା କରିବା ସକାଶେ ମହାରାଜଙ୍କ ଆଦେଶରେ ଆୟୋଜିତ ହୋଇଛି ନୃତ୍ୟ ଗୀତର ଆସର। ଧନୁଯାତ୍ରା ମହୋତ୍ସବର ଦଶମ ସନ୍ଧ୍ୟାରେ ରାଜମହଲ ଓ ରଂଗମହଲରେ ଆୟୋଜିତ ହୋଇଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button