ଅପରାଧ

ଛୁଟି ମିଳିଲାନି ବୋଲି…. ଆତ୍ମହତ୍ୟା କଲେ ବିଡିଓ, ବେକ କାଟିଲେ ଶିକ୍ଷକ – bajravana

[ad_1]

ଗୁରୁତର ଶିକ୍ଷକ ମେଡିକାଲରେ ଭର୍ତ୍ତି

ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ବରଂଜନ ମହାନ୍ତି (୫୧)ଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି। ଅଭିଯୋଗ ​ହେଉଛି; ଜିଲ୍ଲାପାଳ ଛୁଟି ଦେଉ ନଥିବାରୁ ମାନସିକ ଚାପର ଶିକାର ହୋଇ ଶ୍ରୀ ମହାନ୍ତି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ସବୁଦିନ ପରି ଆଜି ମଧ୍ୟ ସକାଳ ୧୦ଟାରେ ବିଶ୍ବରଂଜନ ମହାନ୍ତି ବ୍ଲକ୍‌ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ପ୍ରାୟ ସାଢ଼େ ୧୧ଟା ବେ​ଳକୁ ସେ ଶରୀର ଅସୁସ୍ଥ ଥିବା କହି ୧୦୦ ମିଟର ଦୂର ବ୍ଲକ୍‌ କଲୋନିସ୍ଥିତ ସରକାରୀ ବାସଭବନକୁ ଚାଲିଯାଇଥିଲେ। ଅପରାହ୍ନ ୫ଟା ଯାଏ ଅଫିସ୍‌ ନଆସିବାରୁ ଜଣେ ପିଅନ ତାଙ୍କ ପାଖକୁ ଯାଇଥିଲେ। ଶ୍ରୀ ମହାନ୍ତିଙ୍କ ବାସଭବନର କବାଟ ଭିତରୁ ପଟୁ ବନ୍ଦ ଥିବା ଦେଖି ଡାକପକାଇଥିଲେ। ହେଲେ ​ସେ ଶୁଣି ନଥିଲେ। ଫଳରେ ପିଅନ ଜଣକ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ଜଣାଇଥିଲେ। କର୍ମଚାରୀମାନେ ପହଞ୍ଚି ବହୁ ଡକାଡକି କରିବା ସହ ଫୋନ୍‌ ଲଗାଇଥିଲେ ଏବଂ କଲିଂ ବେଲ୍‌ ବଜାଇଥିଲେ। କିନ୍ତୁ କେହି ଫୋନ୍‌ ଉଠାଇ ନଥିଲେ କି ଘର ଭିତରୁ କୌଣସି ଉତ୍ତର ଆସି ନଥିଲା। ଖବର ପାଇ ସିମୁଳିଆ ତହସିଲଦାର ସୁନୀଲ କୁମାର ଟୁଡୁ ଏବଂ ସିମୁଳିଆ ଥାନା ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ ସେଠାରେ ପହଞ୍ଚିଥିଲେ। ବାସଭବନର କବାଟ ଭଙ୍ଗାଯିବାରୁ ବିଡିଓ ଶ୍ରୀ ମହାନ୍ତିଙ୍କର ମରଶରୀର ଏକ କୋଠରିର ଫ୍ୟାନ୍‌ରେ ଫାଶୀ ଦ୍ବାରା ଝୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଶବ ଜବତ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିଛି। ସେହିପରି ପରିବାର ଲୋକଙ୍କ ସହ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ବିଶ୍ବରଂଜନ ମହାନ୍ତିଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଏଯାଏ ଜଣାପଡ଼ିନାହିଁ। ହେଲେ ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ବାପା ନରେନ୍ଦ୍ର ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି; ପୁଅ ଉପରେ ନାନା ପ୍ରକାର କାମର ଚାପ ଥିଲା। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କଠାରୁ ତାଙ୍କୁ ଛୁଟି ମିଳୁ ନଥିଲା। ଫଳରେ ସେ ମାସ ମାସ ଧରି ଘରକୁ ଆସିପାରୁ ନଥିଲେ। ଶେଷଥର ପାଇଁ ଗତବର୍ଷ ଅକ୍ଟୋବର ମାସ ୨୨ ତାରିଖ ଦିନ ବିଶ୍ବରଂଜନ ଘରକୁ ଆସିବାର ସୁଯୋଗ ପାଇଥିଲେ। ତେବେ ବାପା ନରେନ୍ଦ୍ରଙ୍କ ଏପରି ବୟାନ ପରେ ଘଟଣା ଭିନ୍ନ ମୋଡ ନେଇଛି। ପ୍ରକୃତରେ ଜିଲ୍ଲାପାଳ ବିଶ୍ବରଂଜନ ମହାନ୍ତିଙ୍କୁ ଛୁଟି ଦେଉ ନଥିଲେ ନା ଛୁଟି ନମିଳିବା ପଛରେ ଆଉ କଣ କାରଣ ଥିଲା, ତାହା ତଦନ୍ତ ସାପେକ୍ଷ ହୋଇପଡ଼ିଛି। ଅଭିଯୋଗ ବାବଦ​ରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ତାହା ସମ୍ଭବ ହୋଇପାରିନି।

ଉଲ୍ଲେଖ ଥାଉକି; ବିଶ୍ବରଂଜନ ମହାନ୍ତିଙ୍କ ପୈତୃକ ଘର ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ୍‌ ଅଣ୍ଡାରାଇ ପଞ୍ଚାୟତରେ। ହେଲେ ଦୀର୍ଘ ବର୍ଷ ଧରି ମହାନ୍ତି ପରିବାର ମୟୂରଭଞ୍ଜ ଜିଲ୍ଲା ବାରିପଦା ୱାର୍ଡ ନମ୍ବର ୧୬ରେ ସ୍ଥାୟୀ ବସବାସ କରନ୍ତି। ଅନ୍ୟପଟେ ଶ୍ରୀ ମହାନ୍ତି ୨୦ ବର୍ଷ ହେବ ପତ୍ନୀ ଓ ପୁଅ ସହ ଉଦଳାରେ ଭଡ଼ା ନେଇ ରହନ୍ତି। କାରଣ; ପତ୍ନୀ କପ୍ତିପଦା ବ୍ଲକ୍‌ ଅଧୀନ ଶରତ ଅଞ୍ଚଳର ଏକ ହାଇସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ମହାନ୍ତିଙ୍କ ପ୍ରାରମ୍ଭିକ ଚାକିରି ଜୀବନ ଉଦଳରେ କଟିଛି। ସେ ଉଦଳା ତହସିଲ କାର୍ଯ୍ୟାଳୟରେ ଜୁନିଅର୍‌ କ୍ଲର୍କ ଭାବେ ଚାକିରି ଆରମ୍ଭ କରିଥିଲେ। ପରେ ଉଦଳା ଆଇସିଡିଏସ୍‌ କାର୍ଯ୍ୟାଳୟରେ କ୍ଲର୍କ ଏବଂ ଉଦଳା ଆଇଟିଡିଏ କାର୍ଯ୍ୟାଳୟରେ ସିନିଅର୍‌ କ୍ଲର୍କ ଭାବେ ନିଯୁକ୍ତି ପାଇଥିଲେ। ଏହି ସମୟରେ ଶ୍ରୀ ମହାନ୍ତି ପରୀକ୍ଷା (ଚାକିରିକାଳୀନ) ଦେଇ ଓଏଏସ୍‌ ବନିଥିଲେ। ଫଳରେ ତାଙ୍କୁ ପଦୋନ୍ନତି ମିଳିଥିଲା ଏବଂ ସେ ଉଦଳା ସବ୍‌ରେଜିଷ୍ଟ୍ରାର୍‌ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ଶ୍ରୀ ମହାନ୍ତି ୨୦୨୨ ମସିହା ଅକ୍ଟୋବର ମାସ ୧୭ ତାରିଖଠାରୁ ଗୋପବନ୍ଧୁନଗର ବ୍ଲକ୍‌ର ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ଗତବର୍ଷ ଅକ୍ଟୋବର ମାସ ୨୮ ତାରିଖ ଦିନ ସିମୁଳିଆ ବିଡିଓ ଭାବେ ନୂଆ ଦାୟିତ୍ବ ଗ୍ରହଣ କରିଥିଲେ।

ଗୁରୁତର ଶିକ୍ଷକ ମେଡିକାଲରେ ଭର୍ତ୍ତି

ରାଇଘର: ଛୁଟି ମାଗିଲେ ମିଳୁନଥିଲା। ଦରମା ମଧ୍ୟ କଟି ଯାଇଥିଲା। ମାନସିକ ଚାପ ଯୋଗୁଁ ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି ଶିକ୍ଷକ। ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟିଦେଲେ। ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଦେଖିବାକୁ ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶିକ୍ଷକ ହେଲେ ବ୍ଲକ ଅନ୍ତର୍ଗତ କଚରାପାରା ଅଲେଖ ମହିମା ଉଚ୍ଚବିଦ୍ୟାଳୟର ବିଜ୍ଞାନ ଓ ଗଣିତ ଶିକ୍ଷକ ଆଶିଷ କୁମାର ସ୍ୱାଇଁ। ପ୍ରଧାନଶିକ୍ଷୟିତ୍ରୀ ଭୁବନ ମୋହିନୀ ନାୟକ ନିର୍ଯାତନା ଦେଉଥିବାରୁ ଆଶିଷ ଏମିତି ପଦକ୍ଷେପ ନେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଶିକ୍ଷକଙ୍କ ନିଜ ଘର କଟକ ଜିଲ୍ଲା ନିଆଳି ବ୍ଲକର ଶାସନପଦା। ଦେହ ଖରାପ ରହିଥିବା ସତ୍ତ୍ବେ ଛୁଟି ମିଳୁନଥିଲା। ଗତ ମାସରେ ଦରମା କଟି ଯାଇଥିବାରୁ ମାନସିକ ଚାପରେ ଥିଲେ ବୋଲି ମଧ୍ୟ ପତ୍ନୀ କହିଛନ୍ତି।

ଅଭିଯୋଗ ଅନୁସାରେ, କିଛି ମାସ ହେଲା ପ୍ରଧାନଶିକ୍ଷୟିତ୍ରୀ ମାନସିକ ଚାପ ଦେଉଥିଲେ। ସେଥିପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଇଘର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗମ୍ଭୀର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଆଜି ସକାଳ ପ୍ରାୟ ୯ଟାରେ ଶ୍ରୀ ସ୍ୱାଇଁ ସ୍ଥାନୀୟ ଡିଏନ୍‌କେ ସ୍ଥିତ ନିଜ ଘରେ କୌଣସି ଏକ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଥିଲେ। ଚିତ୍କାର ଶୁଣି ପିଲାମାନେ ମାକୁ ଡାକିବା ସହ ପାଖ ପଡୋଶୀଙ୍କୁ ଜଣାଇଥିଲେ। ଡାକ ଶୁଣି ସମସ୍ତେ ପହଞ୍ଚିବା ପରେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ଚିକିତ୍ସା କରାଇବା ସହ ସ୍ଥାନୀୟ ଥାନାରେ ଲିଖିତ ଭାବେ ଜଣାଇଥିଲେ। ପୁଲିସ ଡାକ୍ତରଖାନାକୁ ଆସି ତଦନ୍ତ କରି ମାମଲା ରୁଜୁ କରିଛି। ପ୍ରଧାନଶିକ୍ଷୟିତ୍ରୀ ଭୁବନ ମୋହିନୀ କହିଛନ୍ତି, ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ଶ୍ରୀ ସ୍ବାଇଁ ଦେହ ଭଲ ନଥିବା କହି ବାରମ୍ବାର ଛୁଟିରେ ରହିଥିଲେ। ଛୁଟି ସରିଯିବା ସତ୍ତ୍ବେ ଛୁଟିରେ ରହିଥିଲେ। ତେଣୁ ୭ଦିନର ଦରମା କଟି ଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button