ଓଡିଶା

ପଶ୍ଚିମ ଓଡ଼ିଶାର ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ହେବ ଗବେଷଣା: ଧର୍ମେନ୍ଦ୍ର – bajravana

[ad_1]

କେନ୍ଦ୍ରମନ୍ତ୍ରୀଙ୍କ ସହ ଆଇସିଏଚ୍‌ଆର୍‌, ଓଡ଼ିଶାର ଇତିହାସ ଗବେଷକ ଓ ନ୍ୟାସନାଲ ବୁକ୍ ଟ୍ରଷ୍ଟର ବୈଠକ

ଭୁବନେଶ୍ବର: ଦେଶକୁ ସ୍ୱତନ୍ତ୍ରତା ଦେବାରେ ସହିଦ ବୀର ଛବିଳ ସାଏଙ୍କ ସମେତ ପଶ୍ଚିମ ଓଡ଼ିଶାର ବୀର ସଂଗ୍ରାମୀମାନଙ୍କର ଭୂମିକା ଏବଂ ସେମାନଙ୍କ ବଳିଷ୍ଠ ଯୋଗଦାନ ଉପରେ ଗବେଷଣା କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ଇତିହାସ ଗବେଷଣା ପରିଷଦ(ଆଇସିଏଚ୍‌ଆର୍‌), ଓଡ଼ିଶାର ଇତିହାସ ଗବେଷକଗଣ ଏବଂ ନ୍ୟାସନାଲ୍‌ ବୁକ ଟ୍ରଷ୍ଟ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଓଡ଼ିଶାର ବିଶିଷ୍ଟ ଇତିହାସ ଗବେଷକ ହରିହର ପଣ୍ଡା, ଦୀପକ ପଣ୍ଡା, ଚଣ୍ଡୀ ପ୍ରସାଦ ନନ୍ଦ, ବିଭୁଦତ୍ତ ମିଶ୍ରଙ୍କ ସମେତ ଆଇସିଏଚ୍‌ଆର୍‌ ଓ ନ୍ୟାସନାଲ୍‌ ବୁକ ଟ୍ରଷ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଆଲୋଚନାରେ ପଶ୍ଚିମ ଓଡ଼ିଶାର ସଂଗ୍ରାମୀମାନଙ୍କ ଅବଦାନକୁ ଗବେଷଣା କରିବା ସହ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ଉପରେ ଆଲୋଚନା ହୋଇଥିଲା। ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିସଙ୍କ ଗୁଳିରେ ସହିଦ ହୋଇଥିବା ତୁଙ୍ଗବୀର ଛବିଳ ସାଏ ଏବଂ ତାଙ୍କର ୫୭ ଜଣ ସଂଗ୍ରାମୀଙ୍କ ବଳିଦାନ ଉପରେ ଗବେଷଣା ତଥା ଅଧ୍ୟୟନ କରିବା ସହ ଔପଚାରିକ ଭାବେ ଏହାକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକ ପ୍ରକାଶନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି କୁଦୋପାଲି ବ୍ୟତୀତ ଏହି ମହାନ ସଂଗ୍ରାମରେ ରକ୍ତରଞ୍ଜିତ ହୋଇଥିବା ଅନ୍ୟାନ୍ୟ ସ୍ଥାନ ଯଥା ରଇଣ୍ଡା, କୁଲୁଣ୍ଡା, ଗଡ଼ପାଟି, ଝରଘାଟି, ସିଂଘୋଡ଼ା, ଚିତାଖାଇ ଆଦିକୁ ମଧ୍ୟ ଏହି ଗବେଷଣାରେ ସାମିଲ୍ କରି ଏହି ସ୍ଥାନ ଗୁଡ଼ିକର ନେତୃତ୍ୱ ନେଇଥିବା ସଂଗ୍ରାମୀଙ୍କ ଅବଦାନ ଉପରେ ତଥ୍ୟ ଯୋଗାଡ଼ କରିବା ପାଇଁ ଶ୍ରୀ ପ୍ରଧାନ କହିଥିଲେ।

ଓଡ଼ିଶାର ସ୍ୱତନ୍ତ୍ରତା ସଂଗ୍ରାମର ଅନେକ ଅକୁହା କଥା ଓ ଗାଥା ଅଛି। ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି। ଏହି କ୍ରମରେ ଶ୍ରୀ ପ୍ରଧାନ ବୈଠକ ପରେ ପଶ୍ଚିମ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଏବଂ ଏହି ସଂଗ୍ରାମରେ ବୀର ଛବିଳ ସାଏ ଏବଂ ସହିଦ ହୋଇଥିବା ତାଙ୍କର ଅନ୍ୟ ୫୭ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ଉପରେ ଅଧ୍ୟୟନ କରିବା ପାଇଁ ଏକ ‘ଗବେଷଣା ପ୍ରକଳ୍ପ’ ଆରମ୍ଭ କରିବା ପାଇଁ ଆଇସିଏଚ୍‌ଆର୍‌ର ଅଧ୍ୟକ୍ଷ ପ୍ରଫେସର ରଘୁବେନ୍ଦ୍ର ତନୱାରଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଉଲ୍ଲେଖନୀୟ ଯେ, ଗତ ଡିସେମ୍ବର ୩୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଆଇସିଏଚ୍‌ଆର୍ ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବା ପାଇଁ ମତ ରଖିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button