ଟ୍ରିପଲ୍ଆଇଟି ଛକରେ ମହିଳାଙ୍କୁ ହତ୍ୟା ମାମଲାର ପର୍ଦ୍ଦାଫାସ: ଘୁଗୁନି ଅପମାନର ପ୍ରତିଶୋଧ – bajravana
[ad_1]
୩ ସପ୍ତାହ ପରେ ଧରାପଡ଼ିଲା ମଦ ବେପାରୀ ମିଥୁନ
ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଗୋଠପାଟଣାସ୍ଥିତ ଟ୍ରିପଲ୍ଆଇଟି ଛକରେ ୩ ସପ୍ତାହ ତଳେ ଘଟିଥିବା ମହିଳା ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି କମିସନରେଟ୍ ପୁଲିସ। ଗତକାଲି ରାତିରେ ସ୍ପେସାଲ୍ ସ୍କ୍ବାଡ୍ ଓ ଚନ୍ଦକା ଥାନା ପୁଲିସ ଗୋଠପାଟଣା ନିକଟ ଗଙ୍ଗାପାଟଣା ଗାଁରୁ ଅଭିଯୁକ୍ତ ମିଥୁନ୍ ଜେନା ଓରଫ୍ ମିଠୁ(୩୪)କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଛୁରିକୁ ପୁଲିସ ନିକଟସ୍ଥ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟ ବଣରୁ ଜବତ କରିଛି। ଆଜି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୂର୍ବରୁ ଅନେକଥର ସସ୍ମିତାଙ୍କ ଦ୍ବାରା ଅପମାନିତ ହୋଇଥିବା ମିଠୁ ଘଟଣା ଦିନ ସକାଳେ ଜଳଖିଆ ଖାଇବା ବେଳେ ଘୁଗୁନି ମାଗି ପୁଣି ଅପମାନିତ ହୋଇଥିଲା। ତେଣୁ ପ୍ରତିଶୋଧ ନେବାକୁ ଯାଇ ମିଠୁ ଏହି ହତ୍ୟାକାଣ୍ଡ ଭିଆଇଥିଲା ବୋଲି ପୁଲିସ ନିକଟରେ ସ୍ବୀକାର କରିଛି। କିନ୍ତୁ ଚୋରା ମଦ ବେପାର ଭଳି ବିଭିନ୍ନ ଆପରାଧିକ ମାମଲାରେ ଜଡ଼ିତ ମିଠୁର ଏହି ବୟାନ ପଛର ସତ୍ୟତାକୁ ନେଇ ବହୁ ପ୍ରଶ୍ନ ଉଠିଛି ଏବଂ ସ୍ଥାନୀୟ ଅଞ୍ଚଳରେ ନାନା ଆଲୋଚନା ହେଉଛି। ଆଜି ପୁଲିସ ମିଠୁକୁ ନେଇ ଘଟଣାସ୍ଥଳରେ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରାଇବା ପରେ କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି। ଆବଶ୍ୟକ ହେଲେ ତାକୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ ସୂଚନା ଦେଇଛି।
କେମିତି ଧରାପଡ଼ିଲା
ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ମିଠୁ ଜଳଖିଆ ଦୋକାନୀ ସସ୍ମିତାଙ୍କୁ ହତ୍ୟା କରିଥିଲା। ଘଟଣାସ୍ଥଳରୁ ପଳାଇବା ପରେ ସେ ଛୁରିକୁ ନିକଟସ୍ଥ ଟ୍ରାନ୍ସଫର୍ମର ନିକଟ ବଣରେ ଲୁଚାଇ ଘରକୁ ପଳାଇଥିଲା। ଘଟଣାପରଠୁ ସେ ଗାଁରେ ହିଁ ରହିଥିଲା। ଏମିତିକି ଗଙ୍ଗାପାଟଣା ଛକରେ ଥିବା ତା ବାପା ଗଜେନ୍ଦ୍ରଙ୍କ ଫଳ ଓ ପରିବା ଦୋକାନରେ ବି ବସୁଥିଲା। ଗାଁରେ ସେ ସ୍ବାଭାବିକ ଭାବେ ଚଳପ୍ରଚଳ କରୁଥିଲା। ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ କିନ୍ତୁ ପୁଲିସ ତାକୁ ସନ୍ଦେହ ପରିସରକୁ ନେଇପାରିନଥିଲା। ଏଣେ ଦିନ ଯେତିକି ଗଡ଼ିଗଡ଼ି ଚାଲିଥିଲା, ସେ ସେତିକି ଆଶ୍ବସ୍ତ ହୋଇପଡ଼ୁଥିଲା। ହତ୍ୟାକାଣ୍ଡ ପଛର କାରଣ କେବଳ ସେ ଓ ହତ୍ୟାର ଶିକାର ସସ୍ମିତାଙ୍କୁ ଜଣାଥିଲା। ତେଣୁ ଆଉ କେହି ଟେର୍ ପାଇବେ ନାହିଁ ବୋଲି ସେ ନିଶ୍ଚିତ ହୋଇଯାଇଥିଲା। କିନ୍ତୁ ଗତ ସପ୍ତାହରେ ପୁଲିସକୁ ମିଳିଯାଇଥିଲା ସୁରାକ୍। ସସ୍ମିତାଙ୍କ ସ୍ବାମୀ ବିଶ୍ବନାଥ ବେହେରା ଓ କ୍ୟାବିନ୍ ମାଲିକଙ୍କୁ ଘନଘନ ପଚରାଉଚରା କରିବା ପରେ ପୁଲିସକୁ ମିଠୁ ବାବଦରେ ସୂଚନା ମିଳିଯାଇଥିଲା। କିନ୍ତୁ ଠୋସ୍ ପ୍ରମାଣ ପାଇଁ ପୁଲିସ ମିଠୁର ଗତିବିଧି ଉପରେ କଡ଼ା ନଜର ରଖି କିଛି ଦିନ ଅପେକ୍ଷା କରିଥିଲା। ଏହାପରେ ପୁଲିସ ମିଠୁର ଫୋନ୍ ନମ୍ବରକୁ ଟ୍ରାକ୍ କରି ଅଧିକ ପ୍ରମାଣ ଯୋଗାଡ଼ କଲା ଏବଂ ଗତକାଲି ରାତିରେ ତାକୁ ଗଙ୍ଗାପାଟଣା ଗାଁରୁ ତା’ ଘରୁ ଉଠାଇଥିଲା। ପୁଲିସକୁ ଦେଖୁଦେଖୁ ସେ ସବୁ ସତ ଉଗାରି ପକାଇଥିଲା।
ହତ୍ୟାପଛର ଅସମାହିତ ରହସ୍ୟ
ଅଭିଯୁକ୍ତ ମିଠୁ ପୁଲିସକୁ ଦେଇଥିବା ବୟାନ ଅନୁସାରେ ଘଟଣା ଦିନ ସକାଳ ସେ ଜଳଖିଆ ଖାଉଥିବା ବେଳେ ଦୁଇ ଥର ଘୁଗୁନି ମାଗିଥିଲା। କିନ୍ତୁ ସସ୍ମିତା ଏତେଥର ଘୁଗୁନି ଦେଇହେବ ନାହିଁ ବୋଲି ରୋକ୍ଠୋକ ମନାକରିଥିଲେ। ଏମିତିକି ଅନ୍ୟ ଗ୍ରାହକଙ୍କ ଉପସ୍ଥିତିରେ ତାକୁ ଖରାପ ଭାଷାରେ ଏଣୁତେଣୁ କହି ଅପମାନିତ କରିଥିଲେ। ଏହାଦ୍ବାରା ତାକୁ ମାନସିକସ୍ତରରେ ଘୋର ଆଘାତ ଲାଗିଥିଲା। ଏହା ପୂର୍ବରୁ ମଧ୍ୟ ସସ୍ମିତା ତାକୁ ଅନେକଥର ଅପମାନିତ କରିଥିଲେ। ତେଣୁ ବାରମ୍ବାର ଅପମାନିତ ହୋଇ ସହିଯାଉଥିବା ମିଠୁ ଏଥର ପ୍ରତିଶୋଧ ନେବ ବୋଲି ସ୍ଥିର କରିନେଇଥିଲା। କିନ୍ତୁ ମିଠୁର ଏଭଳି ସୂଚନାକୁ ନେଇ ନାନା ପ୍ରଶ୍ନ ଉଠିଛି। ନିଜ ଗାଁ ଗଙ୍ଗାପାଟଣା ଛକରେ ଜଳଖିଆ ଦୋକାନ ଥିବା ସତ୍ତ୍ବେ ମିଠୁ ୧ କିମି ଦୂର ଗୋଠପାଟଣା ଟ୍ରିପଲ୍ଆଇଟି ଛକକୁ ସସ୍ମିତାଙ୍କ ଦୋକାନକୁ କାର୍ହିକି ଯାଉଥିଲା? ମିଠୁ ଚୋରା ମଦ କାରବାର କରୁଥିବାରୁ ତା’ର କଳା କାରବାରରେ ସସ୍ମିତାଙ୍କ ସହଯୋଗ ଲୋଡ଼ୁଥିଲା କି? ସସ୍ମିତା ମନା କରିବାରୁ ସେ ରାଗିଯାଇଥିଲା କି? ପୁଣି ମିଠୁର ଲୋଲୁପଦୃଷ୍ଟି ସସ୍ମିତାଙ୍କ ଉପରେ ପଡ଼ିଥିଲା କି? ବାରମ୍ବାର ଅପମାନିତ ହେବା ପରେ ବି ସେ କ’ଣ ପାଇଁ ସସ୍ମିତାଙ୍କ ଦୋକାନକୁ ଯାଉଥିଲା? ଏମିତି ବହୁ କଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଦୁଇ ଦୁଇଟି ପିଲାର ବାପା ମିଠୁର ନଷ୍ଟଚରିତ୍ରକୁ ନେଇ ଲୋକେ ଚର୍ଚ୍ଚା କରୁଛନ୍ତି।
[ad_2]