ଅପରାଧ

ପୁଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ: ୧୫ ବାଇକ୍‌, ନକଲି କାଗଜପତ୍ର ଓ ନମ୍ବର ପ୍ଲେଟ ଜବତ – bajravana

[ad_1]

ଭୁବନେଶ୍ବର: ରାଜଧାନୀରୁ ବାଇକ୍‌ ଲୁଟ୍‌ କରି କମିସନରେଟ୍‌ ପୁଲିସ ନିଦ ହଜାଇଥିବା ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ କ୍ୟାପିଟାଲ୍‌ ଥାନା ପୁଲିସ ଠାବ କରିଛି। ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କଟକ ଜିଲ୍ଲା ବାଙ୍କି ଅଞ୍ଚଳର ପ୍ରଶାନ୍ତ ଲେଙ୍କା(୩୧) ଓ ଲକ୍ଷ୍ମୀସାଗର ଥାନା ବମିଖାଲ ଅଞ୍ଚଳର ଇନ୍ଦ୍ରଜିତ ସିଂହ(୩୭)। ପୁଲିସ ସେମାନଙ୍କ ଠାରୁ ୧୫ଟି ବାଇକ୍‌, କିଛି ଜାଲ୍‌ ନମ୍ବର ପ୍ଲେଟ, ଜାଲ୍‌ ଆର୍‌ସି ଏବଂ ନକଲି ଚାବି ଜବତ କରିଛି।

ସୂଚନା ମୁତାବକ, ଅନେକ ବର୍ଷ ହେବ ପ୍ରଶାନ୍ତ ଓ ଇନ୍ଦ୍ରଜିତ ରାଜଧାନୀର କ୍ୟାପିଟାଲ୍‌, ଖଣ୍ଡଗିରି, ଖାରବେଳନଗର, ଇନ୍‌ଫୋସିଟି ଆଦି ଅଞ୍ଚଳରୁ ବାଇକ୍‌ ଚୋରି କରି ଆତଙ୍କ ଖେଳାଇଥିଲେ। ବିଶେଷକରି ସେମାନେ ଆଇଜି ପାର୍କ, ଫରେଷ୍ଟପାର୍କ, ମଧୁସୂଦନ ପାର୍କ, ଜୟଦେବାଟିକା ଭଳି ପାର୍କ ଅଞ୍ଚଳଗୁଡ଼ିକୁ ଟା‌ର୍ଗେଟ୍‌ କରିଥିଲେ। ସେହିପରି ହସ୍ପିଟାଲ ପରିସର, ମାର୍କେଟ ଭଳି ଜନଗହଳି ସ୍ଥାନରେ ବି ସେମାନଙ୍କ ଛଞ୍ଚାଣ ନଜର ରହିଥିଲା। ଯେଉଁ ଅଞ୍ଚଳରୁ ଲୁଟ୍‌ ପାଇଁ ଯୋଜନା କରୁଥିଲେ, ସେଠାରୁ କିଛିବାଟ ଦୂରରେ ଥିବା ପାର୍କିଂରେ ନିଜ ବାଇକ୍‌ ରଖୁଥିଲେ। ସୁଯୋଗପାଇ ଲୋକଙ୍କ ବାଇକ୍‌ ନେଇ ସେଠାରୁ ଚମ୍ପଟ ମାରୁଥିଲେ। ଏହାପରେ ଚୋରି ବାଇକ୍‌କୁ ନେଇ କିଛିବାଟ ଦୂରରେ ଅଟକାଇ ନମ୍ବର ପ୍ଲେଟ ବଦଳାଇ ଦେଉଥିଲେ। ‌ଏଥିପାଇଁ ବାଇକ୍‌କୁ ପାର୍କିଂରେ ରଖି ଟିକଟ କାଟୁଥିଲେ। ସୁବିଧା ଦେଖି ବାଇକ୍‌କୁ ସେଠାରୁ ନେଇଯାଉଥିଲେ। ଫଳରେ ବାଇକ୍‌କୁ ଚିହ୍ନଟ କରିବା ଉଭୟ ପୁଲିସ ଓ ଗାଡ଼ି ମାଲିକ ପାଇଁ କାଠିକରପାଠ ହେଉଥିଲା।

ଫରେଷ୍ଟ ପାର୍କରୁ ଚୋରି ଖୋଲିଲା ଗ୍ୟାଙ୍ଗ ଗୁମର
ଗତ ୨୪ ତାରିଖ ଦିନ ପୁଷ୍ପା ତୁରୁକା ନାମକ ଜଣେ ଯୁବକ ଓ ତାଙ୍କ ସାଙ୍ଗ ଫରେଷ୍ଟ ପାର୍କ ଯାଇଥିଲେ। ସେମାନେ ଗେଟ୍‌ ନଂ-୨ରେ ବାଇକ୍‌ ରଖି ଭିତରକୁ ଯାଇଥିଲେ। ଫେରିବା ବେଳକୁ ସେଠାରେ ବାଇକ୍‌ ନଥିବା ଦେଖି ଖୋଜାଖୋଜି କରିଥିଲେ। ହେଲେ ମିଳି ନଥିଲା। ସେମାନେ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। କ୍ୟାପିଟାଲ୍‌ ଥାନା ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଗତ ୩୦ ଅପରାହ୍‌ଣ ୩ଟା ସମୟରେ ଚୋରି ହୋଇଥିବା ବାଇକ୍‌ଟି ଏକ ପାର୍କିଂରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସର ଏକ ଟିମ୍‌ ସାଦା ପୋଷାକରେ ସେଠାରେ ପହଞ୍ଚିଥିଲା। ଜଣେ କର୍ମଚାରୀ ବାଇକ୍‌ ନେବାକୁ ଚେଷ୍ଟା କରିଥିଲା। ବାଇକ୍‌କୁ ବାହାର କରୁଥିବା ଦେଖି ପ୍ରଶାନ୍ତ ଧାଇଁ ଆସିଥିଲା। ‘‘ମୋ ବାଇକ୍‌କୁ କ’ଣ ପାଇଁ କାଢ଼ୁଛ?’’ ପଚାରିଥିଲା। ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀ କହିଥିଲେ, ‘‘ଏଇଟି ମୋ’ ବାଇକ୍‌।’’ଏହାକୁ ନେଇ ପ୍ରଶାନ୍ତ ଓ ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ବାଇକ୍‌ର କାଗଜପତ୍ର ଦେଖାଇବାକୁ କହିବାରୁ ପ୍ରଶାନ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ହେଲେ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ପୁଲିସ କର୍ମଚାରୀ ତାକୁ ମାଡ଼ିବସିଥିଲେ। ଥାନାକୁ ଆଣି ପଚରା ଉଚରା ବେଳେ ସେ ସବୁ ସତ ମାନିଥିଲା। ତା’ଠାରୁ ସୂଚନା ସଂଗ୍ରହ କରି ଏହାପରେ ସହଯୋଗୀ ଇନ୍ଦ୍ରଜିତକୁ ମଧ୍ୟ ପୁଲିସ କାବୁ କରିଥିଲା। ଦୁଇଜଣଙ୍କୁ କାବୁ କରିବା ପରେ ସେମାନେ ଲୁଚାଇଥିବା ବିଭିନ୍ନ ପାର୍କିଂ ସ୍ଥାନରୁ ପୁଲିସ ୧୫ଟି ବାଇକ୍‌କୁ ଜବତ କରିଥିଲା। ପୂର୍ବରୁ ଖଣ୍ଡଗିରି ଥନା ପୁଲିସ ପ୍ରଶାନ୍ତ ଠାରୁ ୩୯ଟି ବାଇକ୍‌ ଜବତ କରିଥିଲା।

କିଏ ଯୋଗାଉଥିଲା ନମ୍ବର ପ୍ଲେଟ, ଆର୍‌ସି: ଏହି ଗ୍ୟାଙ୍ଗ ବ୍ୟବହାର କରୁଥିବା ନକଲି ନମ୍ବର ପ୍ଲେଟ ଓ ଆରସିକୁ ନେଇ ପୁଲିସର ସନ୍ଦେହ ହୋଇଥିଲା। ସେମାନେ କେଉଁଠି ନମ୍ବର ପ୍ଲେଟ ତିଆରି କରୁଥିଲେ? ଜାଲ୍‌ ଆର୍‌ସି କିଏ ବନାଉଥିଲ‌ା? ବାଇକ୍‌ କେଉଁଠି ବିକ୍ରି କରୁଥିଲେ? ଜେରା ବେଳେ ପୁଲିସ ଏସମସ୍ତ ତଥ୍ୟ ହାତେଇଛି। ଏହାଛଡ଼ା ଗ୍ୟାଙ୍ଗରେ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡ଼ିଛି। ସେମାନଙ୍କୁ ଗିରଫ ପରେ ଆହୁରି ଅଧିକ ବାଇକ୍‌ ମିଳିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଉପାନ୍ତ ଅଞ୍ଚଳରେ ବିକୁଥିଲେ: ମାଳ ମାଳ ଚୋରା ବାଇକ୍‌ କେଉଁଆଡ଼େ ଯାଉଥିଲା? କିଏ ନେଉଥିଲା? ଏନେଇ ମନରେ ପ୍ରଶ୍ନ ଆସିବା ସ୍ବାଭାବିକ। ବାଇକ୍‌ ଚୋରି ପରେ ନମ୍ବରକୁ ବଦଳାଇ ଦିଆଯାଉଥିଲା। ଏହି ବାଇକ୍‌ କାଳେ ସହରାଞ୍ଚଳରେ ଧରପଗଡ଼ ଯୋଗୁଁ ଧରାପଡ଼ିଯିବ, ତେଣୁ ସେଗୁଡ଼ିକୁ ଯାଜପୁରର ଡୁବୁରି, ନୟାଗଡ଼, କନ୍ଧମାଳ, ପୁରୀ ଆଦି ଜିଲ୍ଲାର ଗ୍ରାମାଞ୍ଚଳରେ ୫-୭ହଜାର ଟଙ୍କାରେ ବିକ୍ରି କରି ଦେଉଥିଲେ। ଏହାର ମଙ୍ଗ ଧରିଥିଲା ଇନ୍ଦ୍ରଜିତ। ସମସ୍ତ ଅଞ୍ଚଳରେ ଏଜେଣ୍ଟ ଠିକ୍‌ କରି ସେ ଚୋରାଗାଡ଼ି ପଠାଉଥିଲା। ଏଜେଣ୍ଟମାନେ ଯେଭଳି ଅଧିକରୁ ଅଧିକ ବାଇକ୍‌ ବିକ୍ରି କରିବେ, ସେଥିପାଇଁ ସେମାନଙ୍କୁ ‌ମୋଟା ଅଙ୍କର କମିସନ ଦିଆଯାଉଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button