ପୋଷାକ ଚାର୍ଜ କରିବ ମୋବାଇଲ୍ ଫୋନ୍
ସ୍ବିଡେନ୍ର ଚାମର୍ସ ବୈଷୟିକ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ନିକଟରେ ଏଭଳି ଏକ ପ୍ରକ୍ରିୟା ବିକଶିତ କରିଛନ୍ତି, ଯଦ୍ଦ୍ବାରା ପୋଷାକପତ୍ର ମଧ୍ୟ ବିଦ୍ୟୁତ୍ଶକ୍ତିର ଉତ୍ସ ରୂପେ କାମ କରିବ। ଅର୍ଥାତ୍, ଏମିତି ଦିନ ଆସିବ, ଯେତେବେଳେ ଆମ ସ୍ବେଟର୍ ଆମ ଫୋନ୍ ଆଦିକୁ ଚାର୍ଜ କରିପାରିବ। ଗବେଷକମାନେ ଏକ ସ୍ବତନ୍ତ୍ର ଧରଣର ରେଶମ ସୂତା ବିକଶିତ କରିଛନ୍ତି ଯାହାକୁ ଏକ ପରିବାହୀ ପ୍ଲାଷ୍ଟିକ ପଦାର୍ଥ ଦ୍ବାରା ଆଚ୍ଛାଦିତ କରାଯାଇଛି।
ଏହି ସୂତା ଆମ ଶରୀରର ତାପ ଶକ୍ତିକୁ ବିନିଯୋଗ କରି ବିଜୁଳି ଶକ୍ତି ଉତ୍ପାଦନ କରିପାରିବ। ଏହି ହାଲୁକା, ବିଷହୀନ ତଥା ନମନୀୟ ସୂତାକୁ ପୋଷାକ ତିଆରିରେ ବିନିଯୋଗ କରାଯାଇପାରିବ। ଆମ ଶରୀର ଓ ପରିବେଶ ମଧ୍ୟରେ ଥିବା ତାପମାତ୍ରା ପାର୍ଥକ୍ୟର ଉପଯୋଗ କରି ଏହା ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିଥାଏ।
ତାପମାତ୍ରାର ବ୍ୟବଧାନ ଯେତେ ଅଧିକ ହେବ, ସେତେ ଅଧିକ ବିଦ୍ୟୁତ୍ ଉତ୍ପନ୍ନ ହେବ। ଏକ ବଡ଼ ଧରଣର କପଡ଼ାରୁ ୩୦ ଡିଗ୍ରି ତାପମାତ୍ରା ପାର୍ଥକ୍ୟରେ ହାରାହାରି ୬ ମିଲିଭୋଲ୍ଟ ବିଦ୍ୟୁତ୍ ଶକ୍ତି ବାହାରି ପାରିବ। ଯଦିଓ ଏଥିରୁ ଏଭଳି କ୍ଷୀଣ ବିଦ୍ୟୁତ୍ ସ୍ରୋତ ସମ୍ଭବ, ତେବେ ଆବଶ୍ୟକ ସେନ୍ସର୍ ଲଗାଇ ବିଦ୍ୟୁତ୍ ପରିମାଣକୁ ଯଥେଷ୍ଟ ବଢ଼ାଇହେବ। ଫଳରେ ଫିଟ୍ନେସ୍ ଟ୍ରାକର୍ଠାରୁ ଆରମ୍ଭ କରି ମେଡିକାଲ୍ ସେନ୍ସର୍ ଯାଏ ବିଭିନ୍ନ ବୈଦ୍ୟୁତିକ ଉପକରଣରେ ଆଉ ବ୍ୟାଟେରି ନ ଲଗାଇ ଏଭଳି ବସ୍ତ୍ର ଦ୍ବାରା ସେଗୁଡ଼ିକୁ ଚାର୍ଜ କରିହେବ। ଏହି ବୈଦ୍ୟୁତିକ କପଡ଼ାର ଆଉ ଏକ ବିଶେଷତ୍ବ ହେଲା, ଏହା ବର୍ଷ ସାରା ସକ୍ରିୟ ରହିପାରିବ। ଧୋଇଲେ ମଧ୍ୟ ତାହାର ବିଦ୍ୟୁତ୍ ସୁପରିବାହୀ ଗୁଣ ନଷ୍ଟ ହେବନାହିଁ।