ଖୁବ ଶୀଘ୍ର ଦାହିବାଡି ମଡେଲ ହାଟର କାର୍ଯ୍ୟ ଆରମ୍ଭ ହେବ: ବିଧାୟକ
ବିଧାୟକଙ୍କ ସହିତ ସ୍ଥିତି ସମୀକ୍ଷା କଲେ ବରିଷ୍ଠ ଅଧିକାରୀ
ବୈଶିଙ୍ଗା: ମୟୂରଭଂଜ ଜିଲ୍ଲାରେ ନାମଡ଼ାକ ଥିବା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ବଜାର ଉପକଣ୍ଠ ୧୦୦ବର୍ଷ ପୁରୁଣା ଡାହିବାଡ଼ି ହାଟର ବିକାଶ ନିମନ୍ତେ ପୂର୍ବ ପାଞ୍ଚ ବର୍ଷରେ ପ୍ରଚେଷ୍ଟା କରି ବିଫଳ ହେବା ପରେ ଦ୍ବିତୀୟ ଥର ବିଧାୟକ ହେବା ସହିତ ରାଜ୍ୟରେ ବିଜେପି ସରକାର ଆସିବା ପରେ ପୁଣି ଥରେ ଦୃଢ଼ତାର ସହ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ବିଧାୟକ ସନାତନ ବିଜୁଳି।
ଏହି ପରିପ୍ରେକ୍ଷୀରେ ପୂର୍ବରୁ ନିଜେ ବିଧାୟକ ତାଙ୍କ କର୍ମୀଙ୍କ ସହିତ ବାରମ୍ବାର ହାଟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ହାଟକୁ ଆସୁଥିବା ହଜାର ହଜାର ବେପାରୀ ଓ ଗ୍ରାହକଙ୍କ ସହିତ ଆଲୋଚନା ବିମର୍ଶ କରିଥିବାବେଳେ ବୁଧବାର ଅପରାହ୍ନରେ ଖୋଦ ବିଧାୟକଙ୍କ ତତ୍ୱାବଧାନରେ ଜିଲ୍ଲା ପ୍ରଶାସନର ଏକ ଅଧିକାରୀ ଦଳ ଆସି ଆଜି ଚାଲିଥିବା ସାପ୍ତାହିକ ହାଟ ପରିସର ବୁଲିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ପିଏ-ଆଇଟିଡିଏ ତନ୍ମୟ ରଞ୍ଜନ ବେହେରା, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ସାହୁ ଓ ସହକାରୀ ଯନ୍ତ୍ରୀ ପ୍ରଣବ ଧଳ ହାଟ ପରିସର ବୁଲିବା ସହିତ ସ୍ଥାନୀୟ ବ୍ୟାପାରୀ ଓ ଗ୍ରାହକଙ୍କୁ ହାଟର ସମସ୍ୟା ବାବଦରେ ବୁଝିଥିଲେ ଓ ପରେ ଉକ୍ତ ସାପ୍ତାହିକ ହାଟକୁ ମଡେଲ ହାଟ ଭାବେ ନିର୍ମାଣ କରିବା ସହିତ ପାରିପାର୍ଷିକ ଅଞ୍ଚଳର ସାମଗ୍ରୀକ ବିକାଶ ନିମନ୍ତେ ସମୀକ୍ଷା କରି ଏକ ସୁବିସ୍ତୃତ ପ୍ରକଳ୍ପର ପ୍ରାଥମିକ ଭାବେ ଡାଇଗ୍ରାମ ପ୍ରସ୍ତୁତ କରି ବିଧାୟକଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।ପରେ ଉପସ୍ଥିତ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ଆରଏମସି ଅଧିକାରୀଙ୍କ ଠାରୁ ମଧ୍ୟ ହାଟର ଅବସ୍ଥିତି ନେଇ ବିସ୍ତୃତ ବିବରଣୀ ସଂଗ୍ରହ କରିଥିଲେ ଏବଂ ବାବଦରେ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରି ଖୁବଶୀଘ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବା ନେଇ ସୂଚନା ଦେଇଥିଲେ।
ବିଧାୟକ ଶ୍ରୀ ବିଜୁଳି ଖୁବ ଶୀଘ୍ର ଅଟକଳ ମୂଲ୍ୟ ନିର୍ଧାରିତ ହୋଇ ଦାହିବାଡି ମଡେଲ ସାପ୍ତାହିକ ହାଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ଦୃଢ଼କ୍ତି ପ୍ରକାଶ କରିଥିଲେ। ପୁଣି ଏହି ମଡେଲ ହାଟ ପୂର୍ବରୁ ବହୁ ଶୋଚନୀୟ ଅବସ୍ଥାରେ ଥିବାରୁ ବିଧାୟକ ମହୋଦୟଙ୍କ ଅନୁକମ୍ପାରୁ ଏବେ ବେପାରୀ ଓ ଆଖ ପାଖ ପ୍ରାୟ ୨୫ ଖଣ୍ଡ ପଞ୍ଚାୟତ ଚାଷୀ ଉପକୃତ ହୋଇବେ ବୋଲି ସ୍ଥାନୀୟ ବ୍ୟକ୍ତି ବିଶେଷ ଓ ବେପାରୀ ଭାଇ ମାନେ ମତ ରଖିଛନ୍ତି।