ବାଲିଯାତ୍ରା ପାଇଁ ସରକାରୀ ବଟି! ପ୍ରାୟୋଜକ ଭାବେ ଗୋଟିଏ ଗୋଟିଏ ସଂସ୍ଥା ଦେଇଛନ୍ତି ୫୦ ଲକ୍ଷରୁ ଅଧିକ – bajravana
[ad_1]
ସୁବିଧା, ସୁଯୋଗ, ସମ୍ମାନ, ସ୍ବୀକୃତି ନଥିବାରୁ ବ୍ୟବସାୟୀଙ୍କ କ୍ଷୋଭ
କଟକ: ରୁଚି ମସଲା ଓ ଫ୍ରୋଜିଟ୍ ଉଦ୍ୟୋଗକୁ ବାଲିଯାତ୍ରା ପଡ଼ିଆରେ ଜାଗା ନେଇ ଷ୍ଟଲ୍ ଖୋଲିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିଛି ୮୦ ଲକ୍ଷରୁ ଅଧିକ ଟଙ୍କା। ଭାରତ ମସଲା ଭଳି କମ୍ପାନିକୁ ଏଥିପାଇଁ ଖର୍ଚ୍ଚ କରିବାକୁ ପଡ଼ିଛି ୬୦ ଲକ୍ଷରୁ ଅଧିକ ଟଙ୍କା। ଏମାନଙ୍କୁ ସ୍ବତନ୍ତ୍ର ପ୍ରାୟୋଜକ ଭାବେ ବାଲିଯାତ୍ରା ଆୟୋଜନରେ ସାମିଲ କରାଯାଇଛି। ଏମାନଙ୍କ ବ୍ୟତୀତ ଫ୍ରିଡମ୍ ଅଏଲ୍, ହିରୋ ମୋଟର୍ସ, ମାରୁତି, ନେକ୍ସା, ଜେଏସ୍ପିଏଲ୍, ଏମ୍ଜିଏମ୍ ଷ୍ଟିଲ୍ ଭଳି ଅନେକ ସଂସ୍ଥା ଅଛନ୍ତି ଯେଉଁମାନଙ୍କଠାରୁ ପ୍ରାୟୋଜକ ଭାବେ ୨ କୋଟି ପାଖାପାଖି ଟଙ୍କା ପ୍ରଶାସନ ଆଦାୟ କରିଥିବା ସୂଚନା ରହିଛି। କିନ୍ତୁ ଏହି ସବୁ ବ୍ୟାବସାୟିକ ସଂସ୍ଥାମାନେ ପ୍ରାୟୋଜକ ଭାବେ ଅବିଶ୍ବସନୀୟ ପରିମାଣର ଅର୍ଥ ଖର୍ଚ୍ଚ କରି ପାଇଛନ୍ତି କ’ଣ? ନା କେବଳ ପ୍ରଶାସନର ନାଲି ଆଖି ଭୟରେ ଏଭଳି ଅର୍ଥ ଦେବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି? ଗୋଟିଏ ପଟେ ଏସବୁ ପ୍ରଶ୍ନ ମୁଣ୍ଡ ଟେକିଥିବା ବେଳେ ଏଭଳି ଢଙ୍ଗରେ ପ୍ରାୟୋଜକ ଅର୍ଥ ଆଦାୟକୁ ନେଇ ବି ବିବାଦ ମୁଣ୍ଡ ଟେକିଛି।
ସୂଚନା ଅନୁଯାୟୀ ୨୦୨୨ରେ ବାଲିଯାତ୍ରା ଆୟୋଜନରେ ପ୍ରଥମ ଥର ପାଇଁ ଏଭଳି ପ୍ରାୟୋଜକ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ବାଲିଯାତ୍ରାରେ ବ୍ୟବସାୟ କରୁଥିବା ସଂସ୍ଥାଙ୍କୁ ପ୍ଲଟ୍ ବଣ୍ଟନରେ ଅଗ୍ରାଧିକାର, ପ୍ରଚାର ପ୍ରସାରରେ ସୁବିଧା ସହ ସମ୍ମାନ ଆଉ ସ୍ବୀକୃତି ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ଗତବର୍ଷର ଯୋଜନାକୁ ଏଥର ଆହୁରି ବ୍ୟାପକ କରିବାକୁ ପଦକ୍ଷେପ ନିଆଗଲା। ଏମିତିକି ଯେଉଁମାନେ ବାଲିଯାତ୍ରା ପଡ଼ିଆରେ ଷ୍ଟଲ୍ ଖୋଲୁ ନାହାନ୍ତି, ସେମାନଙ୍କ ଠାରୁ ବି ପ୍ରାୟୋଜକ ଅର୍ଥ ଆଦାୟ ପାଇଁ ପଦକ୍ଷେପ ନିଆଗଲା। ବାଲିଯାତ୍ରା ଭଳି ସଂପୂର୍ଣ୍ଣ ଭାବେ ଏକ ସରକାରୀ ମେଳାରେ ଏଭଳି ଅର୍ଥ ଯୋଗାଡ଼ କେତେ ଦୂର ନିୟମ ପରିସରଭୁକ୍ତ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।
କିନ୍ତୁ ସବୁଠୁ ବଡ଼ ପ୍ରସଙ୍ଗ ହେଉଛି ପ୍ରାୟୋଜକ ଅର୍ଥ ଆଦାୟ ବଦଳରେ ବ୍ୟବସାୟୀ ମାନଙ୍କୁ କି ସୁବିଧା, ସୁଯୋଗ ମିଳୁଛି? ଏ ସଂପର୍କରେ କୌଣସି ବ୍ୟବସାୟୀ ସିଧାସଳଖ ନିଜର ପରିଚୟ ରଖିବାକୁ ଚାହୁଁ ନଥିଲେ ବି ଏଥରର ଆୟୋଜନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ବାଲିଯାତ୍ରା ସହ ଇତିହାସ, ସଂସ୍କୃତି ଜଡ଼ିତ ହୋଇ ରହିଥିଲେ ବି ଏହା ସଂପୂର୍ଣ୍ଣ ଭାବେ ଏକ ବ୍ୟାବସାୟିକ ମେଳା ଭାବେ ପରିଗଣିତ। କିନ୍ତୁ କୋଟିଏ, ଦୁଇ କୋଟି ଟଙ୍କା ଖର୍ଚ୍ଚ କରି ମେଳାରେ ନିଜର ଷ୍ଟଲ୍ ଖୋଲିଥିବା ବ୍ୟବସାୟୀ ମାନଙ୍କୁ ସହଜରେ ପଡ଼ିଆ ଭିତରକୁ ଯିବାର ସ୍ବତନ୍ତ୍ର ସୁବିଧା ବି ନାହିଁ। ସେମାନଙ୍କୁ ସାଧାରଣ ପାସ୍ ଯୋଗାଇ ଦିଆଯାଇଥିବା ବେଳେ ପଡ଼ିଆ ଭିତରକୁ ସେମାନଙ୍କ ପ୍ରବେଶ ପୁଲିସର ଇଚ୍ଛା ଉପରେ ନିର୍ଭର କରୁଛି ବୋଲି ଜଣେ ବ୍ୟବସାୟୀ କହିଛନ୍ତି। ଏଭଳି ଅଶ୍ବସ୍ତିକର ସ୍ଥିତି ପାଇଁ ସେ ବାଲିଯାତ୍ରା ପଡ଼ିଆକୁ ଯାଉ ନଥିବା କହିଛନ୍ତି। ଗତବର୍ଷ ଏହି ଯୋଜନା ଆରମ୍ଭରେ ପ୍ରଶାସନ ପକ୍ଷରୁ ପ୍ରାୟୋଜକ ମାନଙ୍କୁ ଗୁରୁତ୍ବ ଦିଆଯାଇଥିଲା। ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯାଉଥିଲା। ଏମିତିକି ସେମାନଙ୍କ ପରିବାର ଲୋକଙ୍କୁ ବି ବାଲିଯାତ୍ରା କାର୍ଯ୍ୟକ୍ରମରେ ସାମିଲ କରି ସମ୍ମାନିତ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ଟଙ୍କା ନେଇ ପ୍ରଶାସନ ହଠାତ ସେମାନଙ୍କୁ ଭୁଲିଗଲା ଭଳି ଆଚରଣ କରିଛି। ଅଧିକାରୀ ମାନଙ୍କ ପାଇଁ ପଡ଼ିଆ ଭିତରକୁ ପ୍ରବେଶ, ପ୍ରସ୍ଥାନର ଯେଭଳି ସହଜ ବ୍ୟବସ୍ଥା କରାଯାଉଛି, କଂପାନି ମାଲିକ ମାନଙ୍କ ପାଇଁ ସେଭଳି ସୁବିଧା ସୁଯୋଗ ନାହିଁ।
ଏଭଳି ଘଟଣାକୁ ଅନେକ ବ୍ୟବସାୟୀ ଏଥର ବାଲିଯାତ୍ରାରେ ପ୍ରାୟୋଜକ ଅର୍ଥକୁ ସରକାରୀ ବଟି ଭାବେ କ୍ଷୋଭର ସହିତ ବର୍ଣ୍ଣନା କରିଛନ୍ତି। ଗତବର୍ଷ ବାଲିଯାତ୍ରା ଆୟୋଜନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତାକୁ ନେଇ କଟକର ବରିଷ୍ଠ ନାଗରିକ, ମୁରବିମାନେ ପ୍ରଶ୍ନ ଉଠାଇଥିଲେ। ବିଭିନ୍ନ ମହଲରୁ ଚାପ ବଢିବାରୁ ଆୟବ୍ୟୟର ସ୍ବତନ୍ତ୍ର ଅଡିଟ୍ ପାଇଁ ନିଷ୍ପତ୍ତି ହୋଇଥିଲା। ସେ ରିପୋର୍ଟ ଏଯାଏ ଆସି ନଥିବା ବେଳେ ଏଥର ଏଭଳି ପ୍ରାୟୋଜକ ଅର୍ଥର ବୈଧତାକୁ ନେଇ ପ୍ରଶ୍ନ ଉଠିବା ବାଲିଯାତ୍ରା ଆୟୋଜନକୁ ବିବାଦ ଘେରକୁ ଟାଣି ନେଇଛି।
[ad_2]