ଓଡିଶା

ସୂଚନା ଓ ଲୋକସମ୍ପର୍କ ବିଭାଗ ପାଠାଗାରର ଦୁରବସ୍ଥା: ନାହାନ୍ତି ଗ୍ରନ୍ଥାଗାରିକ, ଯାଉନାହାନ୍ତି ପାଠକ – bajravana

[ad_1]

୬ ବର୍ଷ ହେଲାଣି ଜଣେ ବି ସଦସ୍ୟ ହୋଇନାହାନ୍ତି, ନୂତନ ପାଠାଗାର ସଫଳ ହେବ ତ?

ନୟାଗଡ଼: ନୟାଗଡ଼ ଜିଲ୍ଲା‌ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଏକ ପାଠାଗାର ରହିଛି ବୋଲି ଜନସାଧାରଣ ଭୁଲିଗଲେଣି। କେବଳ ଏହି ପାଠାଗାର କାଗଜପତ୍ର‌ରେ ଚାଲିଥିବା ବେଳେ ସରକାର ମଧ୍ୟ ଏ କ୍ଷେତ୍ର‌ରେ ନିଦାବିଷ୍ଣୁ ପାଲଟିଛନ୍ତି। ପ୍ରଥମତଃ ଏଠାରେ କିଛି ବର୍ଷ ହେବ କେହି ଗ୍ରନ୍ଥାଗାରିକ (ଲାଇବ୍ରେରିଆନ୍‌) ନାହାନ୍ତି, ଏଥି ସହିତ ଲିଟେରେଟ୍‌ ପିଅନ ପଦବି ବି ଖାଲି ପଡ଼ିଛି। ଯେଉଁ ଆଗ୍ରହୀ ବ୍ୟକ୍ତିମାନେ ଏ‌ଠାକୁ ପୁସ୍ତକ ପଢ଼ିବାକୁ ଯିବେ, ସେମାନଙ୍କୁ ପୁସ୍ତକ ଯୋଗାଇ ଦେବା, ପାଠାଗାରର ଆନୁଷଙ୍ଗିକ କାମ କରିବ‌ାରେ ଏହି ଦୁଇ କର୍ମଚାରୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥାଏ। ଏଠା‌ରେ ଲାଇବ୍ରେରିଆନ୍‌ ଥିବା କର୍ମଚାରୀଙ୍କର ପଦୋନ୍ନତି ହେବା ପରେ ଏହି ପଦବିରେ ଆଉ କାହାକୁ ନିଯୁକ୍ତି ମିଳିନାହିଁ। ଟାଇପିଷ୍ଟ ତଥା ଷ୍ଟୋର୍‌କିପର୍‌ ଲାଇବ୍ରେରିଆନ୍‌ ଦାୟିତ୍ବରେ ରହିଛନ୍ତି। ଫଳ‌ରେ ବର୍ଷବର୍ଷ ଧରି ହଜାରହଜ‌ାର ପୁସ୍ତକ ଆଲମାରୀରେ ଭର୍ତ୍ତି ହୋଇରହିଛି। କେବଳ ନାମକୁମାତ୍ର ହାତଗଣତି କେତୋଟି ଚେୟାର ପଡ଼ିଥିବା ବେଳେ ପାଠକଙ୍କର ଦେଖାନାହିଁ। ଏଠା‌‌ରେ ପ୍ରାୟ ୧୦ ହଜାର ପୁସ୍ତକ ରହିଥିବା ପାଠାଗାର ପକ୍ଷରୁ ସୂଚନା ମିଳିଛି, କିନ୍ତୁ ଏଗୁଡ଼ିକ ସେଭଳି ବନ୍ଦ ଅବସ୍ଥାରେ ପଡ଼ିପଡ଼ି ଅଳନ୍ଧୁ ଲାଗିବା ସ୍ଥିତି‌ରେ ପହଞ୍ଚିଲାଣି, ବ୍ୟବହାର ‌ହେଉନାହିଁ।

ଏଠାକାର ଅବ୍ୟବସ୍ଥା ପାଇଁ ନିୟମିତ ଭାବେ ଏଠାକୁ କେହି ପୁସ୍ତକ ହେଉ ବା ଖବରକାଗଜ ପଢ଼ିବାକୁ ଯାଉନାହାନ୍ତି। ଏପରିକି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ କେଉଁଠି ଅଛି, ଏଥିରେ ପାଠାଗାର ଚାଲୁଛି କି ନାହିଁ ଲୋକେ ମଧ୍ୟ ଜାଣିପାରୁନାହାନ୍ତି। ‌ଜନୈକ କର୍ମଚାରୀଙ୍କ କହିବା ଅନୁଯାୟୀ, ପୂର୍ବରୁ ନିୟମିତ ଭାବେ କିଛି ପାଠକ ଆମ ପାଠାଗାରକୁ ପଢ଼ିବାକୁ ଆସୁଥିଲେ। କିନ୍ତୁ ଯେବେଠାରୁ ଖଣ୍ଡପଡ଼ାରୋଡ୍‌ରେ ଚାଲିଥିବା ଜିଲ୍ଲା ସୂଚନା ଓ ‌ଲୋକ ସମ୍ପର୍କ କାର୍ଯ୍ୟାଳୟ ତା’ର ସ୍ଥାୟୀ କାର୍ଯ୍ୟାଳୟ ଆର୍‌ଏମ୍‌ସି ନିକଟକୁ ସ୍ଥାନାନ୍ତର ହେଲାଣି ଆଉ କେହି ପାଠକ ଆସୁନାହାନ୍ତି। ଖୋଦ୍‌ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଲୋକଙ୍କ ପାଖରେ ନ ପହଞ୍ଚିବା ବିଭାଗୀୟ ଅପାରଗତାକୁ ପଦାରେ ପକାଉଛି। କେବଳ ଏତିକି ନୁହେଁ, ଯେଉଁମାନେ ଉକ୍ତ ପାଠାଗାରର ‌ନିର୍ଦ୍ଧାରିତ ଦେୟ ଦେଇ ସଦସ୍ୟ ହୋଇଥାନ୍ତି, ସେମାନେ ନିଜ ଘରକୁ ମଧ୍ୟ ପୁସ୍ତକ ନେଇ ପଢ଼ିବାର ସୁଯୋଗ ପାଇଥାନ୍ତି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ସୂଚନା ମୁତାବକ, ୨୦୧୭ ପରଠାରୁ କେହି ପାଠାଗାରର ସଦସ୍ୟ ହୋଇନାହାନ୍ତି। ୨୦୧୭ ସୁଦ୍ଧା ଯେଉଁ ୧୩୦ ଜଣ ସଦସ୍ୟ ଥିଲେ, ସେତିକି ଅଛନ୍ତି। କେହି ବି ଆଉ ପାଠାଗାର ଆସୁନାହାନ୍ତି।

ଅପରପକ୍ଷେ, ମାଉସୀମା’ ମନ୍ଦିର ନିକଟରେ ପୁରୁଣା ଟାଉନ୍‌ ହଲ୍‌କୁ ରୂପାନ୍ତରିତ କରି ଯେଉଁ ଜିଲ୍ଲା ପାଠାଗାର ନିର୍ମାଣ କରାଯାଇଛି, ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏହି ପାଠାଗାର ଚଳାଇବାକୁ ବାର୍ଷିକ ୧୦ ଲକ୍ଷ ଟଙ୍କା, ଆବଶ୍ୟକ ପୁସ୍ତକ ବିଶେଷକରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ପୁସ୍ତକ ରଖିବାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଗତ ମେ ମାସରେ ନୟାଗଡ଼ ଗସ୍ତ କରିଥିବା ବିଧାନସଭା ପାଠାଗାର କମିଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏପର୍ଯ୍ୟନ୍ତ କିଛି ସହାୟତା ମିଳିନଥିବା ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ପଚାରିବାରୁ ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button