ଖେଳ ଖବର

ଅଶ୍ବିନଙ୍କୁ ପୁଣି ଉପେକ୍ଷା: ବିଶ୍ବକପ୍‌ ଦଳରେ ପାଇଲେନି ସୁଯୋଗ – bajravana

[ad_1]

ନୂଆଦିଲ୍ଲୀ: ଭାରତୀୟ ଦଳର ମୁଖ୍ୟ ସ୍ପିନ୍ ଅସ୍ତ୍ର ଭାବେ ପରିଚିତ ଅଫସ୍ପିନ ଅଲ୍‌ରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ପୁଣି ଉପେକ୍ଷିତ ହୋଇଛନ୍ତି। ଏସିଆ କପ୍‌ ପରେ ଏବେ ଦିନିକିଆ ବିଶ୍ବକପ୍‌ ପାଇଁ ଘୋଷିତ ଦଳରେ ଅଶ୍ବିନଙ୍କୁ ସ୍ଥାନ ମିଳିନାହିଁ। ଦିନେ ଭାରତୀୟ ଦଳର ମ୍ୟାଚ୍‌ ବିଜେତା ପାଲଟୁଥିବା ଏହି ତାମିଲନାଡୁ ବୋଲର ଏବେ ଅଲୋଡ଼ା ହୋଇଯାଇଛନ୍ତି। ‌ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ତାଙ୍କୁ ବେଞ୍ଚ୍‌ରେ ବସାଯିବା ପରଠୁ ଅଶ୍ବିନଙ୍କୁ କାହିଁକି ଦଳରେ ନିଆଯାଉନାହିଁ ବୋଲି ବାରମ୍ବାର ଆଲୋଚନା ହେଉଛି। ଭାରତୀୟ ଦଳ ଅଲ୍‌ରାଉଣ୍ଡରଙ୍କୁ ପ୍ରାଧାନ୍ୟ ଦେଉଥିବା ସମୟରେ ଅଶ୍ବିନ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ମହତ୍ବପୂର୍ଣ୍ଣ ଅବଦାନ ଦେଇଛନ୍ତି। ହେଲେ ଜାଦେଜା, ଅକ୍ଷରଙ୍କ ତୁଳନାରେ ଅଶ୍ବିନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳୁନାହିଁ। ଅଶ୍ବିନ ଯେ ଭାରତ ପାଇଁ କ୍ୟାରମ୍‌ ବଲ୍‌ ପକାଇବାରେ ସବୁଠୁ ଅଧିକ ସଫଳତା ପାଇଥିଲେ, ତାହାକୁ ଅନ୍ୟମାନେ ପାସୋରି ଯିବାକୁ ବସିଲେଣି।

ଜଣେ ଟେଷ୍ଟ ବିଶେଷଜ୍ଞ ବୋଲର ପାହ୍ୟା ପାଇଥିବାରୁ ତାଙ୍କୁ ହୁଏତ ଦିନିକିଆ କ୍ରିକେଟ୍‌କୁ ଫେରାଇ ଅଣାଯାଉନାହିଁ। କିନ୍ତୁ ମ୍ୟାଚ୍‌ର ସ୍ଥିତି ଅନୁସାରେ ବୋଲିଂ କରିବା ଏବଂ ବ୍ୟାଟିଂ ଗଭୀରତାକୁ ପୂରଣ କରିବାରେ ସେ ନିଜର ପାରଦର୍ଶିତା ପୂର୍ବରୁ ଦେଖାଇସାରିଛନ୍ତି। ତେଣୁ ଘରୋଇ ବିଶ୍ବକପ୍‌ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ଯାଇଥିବା ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳରେ ସେ ସ୍ଥାନ ପାଇବା ଆଶା କରାଯାଉଥିଲା। କିନ୍ତୁ ଏହି ଶୃଙ୍ଖଳାରୁ ବାଦ୍‌ ପଡ଼ିବା ପରେ ଏସିଆ କପ୍‌ ଦଳରେ ସେ ସ୍ଥାନ ପାଇବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଥିଲେ। ହେଲେ ସେଥିରେ ମଧ୍ୟ ତାଙ୍କୁ ସୁଯୋଗ ଦିଆଯାଇ ନଥିଲା। ଦଳର ସନ୍ତୁଳନ ରକ୍ଷା ପାଇଁ ଅଶ୍ବିନଙ୍କ ସହ ଅନ୍ୟତମ ‌ସ୍ପିନର ୟୁଝବେନ୍ଦ୍ର ଚହଲଙ୍କୁ ସ୍ଥାନ ଦିଆଯାଇନଥିବା ଅଧିନାୟକ ରୋହିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ତେଣୁ ସେବେଠାରୁ ବିଶ୍ବକପ୍‌ ଦଳରେ ଅଶ୍ବିନଙ୍କୁ ସ୍ଥାନ ମିଳିବା ସମ୍ଭାବନା ମଧ୍ୟ ହ୍ରାସ ପାଇଥିଲା। କିନ୍ତୁ ଜଣେ ମ୍ୟାଚ୍‌ ବିଜେତାଙ୍କୁ ବାରମ୍ବାର ଉପେକ୍ଷିତ କରିବା ଦ୍ବାରା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ଏହି ପ୍ରସଙ୍ଗ ଆଲୋଚନାର ବିଷୟ ପାଲଟିଛି।

୨୦୧୦ରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିବା ଅଶ୍ବିନ ୧୧୩ ଦିନିକିଆରୁ ୧୫୧ ୱିକେଟ୍‌ ଅକ୍ତିଆର କରିଛନ୍ତି ଓ ବ୍ୟାଟିଂରେ ଗୋଟିଏ ଅର୍ଦ୍ଧଶତକ (୬୫) ସହ ୭୦୭ ରନ୍‌ ସଂଗ୍ରହ କରିଛନ୍ତି। ୨୦୧୧ ଓ ୨୦୧୫ ବିଶ୍ବକପ୍‌ ଦଳରେ ମଧ୍ୟ ସେ ସଦସ୍ୟ ଥିଲେ। କିନ୍ତୁ ଦିନିକିଆ ଅପେକ୍ଷା ଟେଷ୍ଟ ମ୍ୟାଚ୍‌ରେ ସେ ଜଣେ ନିୟମିତ ‌ସଦସ୍ୟ ପାଲଟି ଯାଇଥିଲା ବେଳେ ୯୪ ମ୍ୟାଚ୍‌ରୁ ୪୮୯ ୱିକେଟ୍‌ ନେଇସାରିଲେଣି। ଟେଷ୍ଟରେ ବୋଲରଙ୍କ ମଧ୍ୟରେ ୧ ନମ୍ବର ମାନ୍ୟତା ସେ ବହନ କରୁଛନ୍ତି। ଗତ ବର୍ଷ ଜାନୁଆରିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଶେଷ ଦିନିକିଆ ଖେଳିଥିଲେ। ସେବେଠାରୁ ୨୦ ମାସ ହୋଇଗଲା‌ଣି ସେ ଦିନିକିଆ ଦଳକୁ ଫେରିବା ପାଇଁ ସଂଘର୍ଷ କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button