ଖେଳ ଖବର

ଅଲିମ୍ପିକ୍ସଠୁ ବିଶ୍ବ ଚାମ୍ପିଅନ୍‌ସିପ୍‌ ଅଧିକ କଷ୍ଟକର: ନୀରଜ – bajravana

[ad_1]

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପାଇବାର ୨ ବର୍ଷ ପରେ ନୀରଜ ଚୋପ୍ରା ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍‌ସିପ୍‌ରେ ମଧ୍ୟ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିଥିଲେ। ରବିବାର ସ୍ବର୍ଣ୍ଣ ଜିତିବା ପରେ ଅଲିମ୍ପିକ୍ସ ଅପେକ୍ଷା ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ପଦକ ଜିତିବା ଅଧିକ କଷ୍ଟକର ଥିଲା ବୋଲି ସାକ୍ଷାତକାରରେ କହିଛନ୍ତି। ତାଙ୍କ ମତରେ ଅଲିମ୍ପିକ୍‌ ଏକ ସ୍ବତନ୍ତ୍ର କ୍ରୀଡ଼ା ମହୋତ୍ସବ, କିନ୍ତୁ ବିଶ୍ବ ଚାମ୍ପିଅନ୍‌ସିପ୍‌ ତାହାଠୁ ବଡ଼ ମଞ୍ଚ। ପ୍ରତିଯୋଗିତା ଆଧାରରେ ଦେଖିଲେ ଅଲିମ୍ପିକ ତୁଳନାରେ ଏହା କଷ୍ଟକର। ବୁଦାପେଷ୍ଟରେ ଖେଳୁଥିବା ବେଳେ ଅନେକ ଭାରତୀୟ ଆମକୁ ଉତ୍ସାହିତ କରିବାକୁ ଆସିଥିଲେ। ଏଥିସହିତ ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ରହୁଥିବାରୁ ଏହି ବିଜୟ ସ୍ବତନ୍ତ୍ର ଥିଲା ବୋଲି ନୀରଜ କହିଛନ୍ତି। ଫାଇନାଲ୍‌ରେ ନୀରଜ ୮୮.୧୭ ମିଟର ଜାଭଲିନ୍‌ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିଲେ। ଶୀର୍ଷ ୬ ଜଣଙ୍କ ମଧ୍ୟରେ ଅନ୍ୟ ଦୁଇ ଭାରତୀୟ କିଶୋର କୁମାର ଜେନା ଓ ଡିପି ମନୁ ସ୍ଥାନ ପାଇଥିବାରୁ ସେମାନଙ୍କ ପ୍ରଦର୍ଶନକୁ ମଧ୍ୟ ନୀରଜ ପ୍ରଶଂସା କରିଛନ୍ତି।

ଆମର କ୍ରୀଡ଼ାବିତ୍‌ମାନେ ଦିନକୁ ଦିନ ଉନ୍ନତି କରୁଛନ୍ତି। ଆଗକୁ କିନ୍ତୁ ଆହୁରି ଅଧିକ କାମ କରିବାକୁ ହେବ। ଏଠାକାର ଟ୍ରାକ୍‌ ବିଷୟରେ ଏଏଫ୍‌ଆଇ ସଭାପତିଙ୍କ ସହିତ ଆଲୋଚନା କରିଛନ୍ତି। ଭାରତରେ ସେଭଳି ଟ୍ରାକ୍‌ ଉପଲବ୍ଧ ହୋଇପାରିଲେ ଭାରତୀୟମାନେ ଆଗକୁ ଆହୁରି ଭଲ ପ୍ରଦର୍ଶନ ଦେଇପାରିବେ। ତେବେ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ସ୍ବର୍ଣ୍ଣ ଜିତିବା ପରେ ସେ ଅଟକି ଯିବାକୁ ଚାହୁଁନାହାନ୍ତି। ସମସ୍ତ ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିସାରିଥିଲେ ସୁଦ୍ଧା ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ତେଣୁ ସେ ଦିଗରେ ନୀରଜ ଧ୍ୟାନ କେନ୍ଦ୍ରୀତ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ବୁଦାପେଷ୍ଟରେ ସ୍ବର୍ଣ୍ଣ ଜିତିବା ପରେ ଭାରତୀୟ ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତୀୟ ସେନା, କ୍ରିକେଟର ସଚିନ୍‌ ତେନ୍ଦୁଲକର, ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହବାଗ୍‌, ଭିଭିଏସ୍‌ ଲକ୍ଷ୍ମଣ, ଅଭିନବ ବିନ୍ଦ୍ରା, ଅନୁରାଗ ଠାକୁର, ବଲିଉଡ୍‌ ତାରକା ଅଜୟ ଦେବଗନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରବିବାର ସ୍ବର୍ଣ୍ଣ ଜିତିବା ପରଠୁ ସାମାଜିକ ଗଣମାଧ୍ୟମ ଚଳଚଞ୍ଚଳ ହୋଇଯିବା ସହ ନୀରଜଙ୍କୁ ଟ୍ୟାଗ୍‌ କରି ଅନେକ ୟୁଜର ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। ନୀରଜଙ୍କ ମା’ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଖୁସି ବ୍ୟକ୍ତ କରିବା ସହିତ କ୍ରୀଡ଼ାରେ ଯିଏ ଜିତନ୍ତୁ କି ହାରନ୍ତୁ ସମସ୍ତଙ୍କୁ ପ୍ରଶଂସା କରାଯିବା ଉପରେ ଗୁରୁତ୍ବ ଦେଇଥିଲେ। ଯଦି ପାକିସ୍ତାନର ଅର୍ଶଦ ନୀଦମ ସ୍ବର୍ଣ୍ଣ ପାଇଥାନ୍ତେ, ତାହେଲେ ମଧ୍ୟ ସେ ମନଦୁଃଖ କରିନଥାନ୍ତେ ବୋଲି ପ୍ରତିକ୍ରିୟା ରଖିଥିଲେ।

ହୃଦୟ ଜିତିଲେ; ତ୍ରିରଙ୍ଗାରେ ଅଟୋଗ୍ରାଫ୍‌ ଦେବାକୁ ମନା କଲେ

ପ୍ରଥମ ବିଶ୍ବ ଚାମ୍ପିଅନ୍‌ସିପ୍‌ ସ୍ବର୍ଣ୍ଣ ପଦକ ଜିତି ନୀରଜ ମହାନତମ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ନିଜକୁ ସାମିଲ କରିସାରିଛନ୍ତି। ରବିବାର ତାଙ୍କ ଇଭେଣ୍ଟ‌ ଶେଷ ହେବା ପରେ ଷ୍ଟାଡିୟମ୍‌ରେ ଉପସ୍ଥିତ ଅନେକ ଭାରତୀୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ତାଙ୍କର ପ୍ରଶଂସକଙ୍କ ମଧ୍ୟରେ କେବଳ ଭାରତୀୟ ନୁହଁନ୍ତି, ବିଭିନ୍ନ ଦେଶର ପ୍ରଶଂସକଙ୍କଠୁ ତାଙ୍କୁ ଭଲପାଇବା ମିଳିଛି। ଇଭେଣ୍ଟ ଶେଷରେ ଜଣେ ହଙ୍ଗେରୀୟ ପ୍ରଶଂସକ ତାଙ୍କ ପାଖକୁ ଆସି ଅଭିନନ୍ଦନ ଜଣାଇବା ସହ ଭାରତୀୟ ଜାତୀୟ ପତାକାର ତାଙ୍କର ଅଟୋଗ୍ରାଫ୍‌ ମାଗିଥିଲେ। ହେଲେ ନୀରଜ ଜାତୀୟ ପତାକା ଉପରେ ଅଟୋଗ୍ରାଫ୍‌ ‌ଦେବେ ନାହିଁ ବୋଲି ମନା କରିଦେଇଥିଲେ। ଫ୍ଲାଗ୍‌ କୋଡ୍‌ର ଏହା ବି‌ରୁଦ୍ଧାଚରଣ କରୁଥିବା ଦର୍ଶାଇ ସେ ଜାତୀୟ ପତାକାରେ ଅଟୋଗ୍ରାଫ୍‌ ଦେଇନଥିଲେ। ଯେଉଁଥିପାଇଁ ପରେ ଉକ୍ତ ପ୍ରଶଂସକଙ୍କ କାନ୍ଧ ତଳକୁ ଥିବା ସାର୍ଟରେ ନୀରଜ ଅଟୋଗ୍ରାଫ୍‌ ଦେଇଥିଲେ। ଏହି ଘଟଣାକୁ ସଂପୃକ୍ତ ପ୍ରଶଂସକ ଜଣକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ନୀରଜଙ୍କ ଏଭଳି ଆଚରଣକୁ ଅନେକ ୟୁଜର ପ୍ରଶଂସା କରିଛନ୍ତି।

ନୀରଜଙ୍କୁ ୫୮ ଲକ୍ଷ, ଅର୍ଶଦଙ୍କୁ ୨୯

ମର୍ଯ୍ୟାଦାଜନକ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ସହିତ ନୀରଜ ଚୋପ୍ରାଙ୍କୁ ପୁରସ୍କାର ରାଶି ବାବଦକୁ ମିଳିଛି ୭୦,୦୦୦ ଡଲାର୍‌ (ପ୍ରାୟ ୫୮ ଲକ୍ଷ ଟଙ୍କା)। ରୌପ୍ୟ ପଦକ ଜିତି ପାକିସ୍ତାନକୁ ସର୍ବପ୍ରଥମ ବିଶ୍ବ ପଦକ ଦେଇଥିବା ଅର୍ଶଦ ନଦୀମଙ୍କୁ ଏହାର ଅଧା ଅର୍ଥାତ୍‌ ୩୫,୦୦୦ ଡଲାର୍ (୨୯ ଲକ୍ଷ ଟଙ୍କା) ଏବଂ ଚେକ୍‌ ରିପବ୍ଲିକ୍‌ର ଜାକବ୍‌ ଭେଦଲେଚ୍‌ଙ୍କୁ ମିଳିଛି ୨୨,୦୦୦ ଡଲାର୍ (ପ୍ରାୟ ୧୮ ଲକ୍ଷ ଟଙ୍କା)। ଅଲିମ୍ପିକ୍ ଚାମ୍ପିଅନ୍ ଏବଂ ବିଶ୍ବ ଚାମ୍ପିଅନ୍‌ ମୁକୁଟକୁ ଏକକାଳୀନ ଜିତିବାରେ ନୀରଜ ମଧ୍ୟ ବଂଧୁକଚାଳକ ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ବିତୀୟ ଭାରତୀୟ ହୋଇଛନ୍ତି। ବିନ୍ଦ୍ରା ୨୩ ବର୍ଷ ବୟସରେ ଅଲିମ୍ପିକ୍ସ ଏବଂ ୨୫ ବର୍ଷ ବୟସରେ ବିଶ୍ବ ବିଜେତା ହୋଇଥିଲେ। ନୀରଜ ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ୨୦୨୨ ସଂସ୍କରଣ ବିଶ୍ବ ଦୌଡ଼କୁ୍ଦରେ ରୌପ୍ୟ ପଦକ ଜିତିଥିଲେ। ଏବେ ସ୍ବର୍ଣ୍ଣ ପଦକ ସହିତ ନିଜ ସଂକ୍ଷିପ୍ତ ତଥା ସଫଳ‌ ଖେଳ ଜୀବନରେ ସବୁ ପ୍ରମୁଖ ପଦକ ଜିତିବାର ବିରଳ କୃତିତ୍ବ ଅର୍ଜନ କରିଛନ୍ତି।

ବିଶ୍ବ ଦୌଡ଼କୁଦରେ ଭାରତକୁ ତୃତୀୟ ମାତ୍ର
ବିଶ୍ବ ଦୌଡ଼କୁଦର ଇତିହାସ ୪୦ ବର୍ଷର। ୧୯୭୬ରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲେ ମଧ୍ୟ ୧୯୮୩ରେ ଆନୁଷ୍ଠାନିକ ଭାବେ ପ୍ରଥମ ସଂସ୍କରଣ ଖେଳାଯାଇଥିଲା। ସେହିଠାରୁ ଏହି ବିଶ୍ବ ପ୍ରତିଯୋଗିତାର ମର୍ଯ୍ୟଦା ଦୌଡ଼କୁଦ ଦୁନିଆର ସବୁଠାରୁ ବଡ଼ ଉପଲବ୍‌ଧି ଭାବେ ଗଣାଯାଉଛି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଭାରତ ଏହି ୪୦ ବର୍ଷରେ ମାତ୍ର ୩ଟି ପଦକ ଜିତିଛି। ଏହା ମଧ୍ୟରେ ବିଗତ ଦୁଇ ସଂସ୍କରଣରୁ ନୀରଜଙ୍କ ରୌପ୍ୟ ଓ ସ୍ବର୍ଣ୍ଣ ପଦକ ରହିଛି। ଏହା ପୂର୍ବରୁ ଭାରତ ଗୋଟିଏ ମାତ୍ର ପଦକ ଜିତିଥିଲା। ଅଞ୍ଜୁ ବବି ଜର୍ଜଙ୍କ କାଂସ୍ୟ ପଦକରେ ସୀମିତ ରହିଥିଲେ। ୨୦୦୩ ସଂସ୍କରଣରେ ଅଞ୍ଜୁ ଲଙ୍ଗ ଜମ୍ପରେ ସିଜିନ୍‌ର ଶ୍ରେଷ୍ଠ ପ୍ରଦର୍ଶନ (୬.୭୦ ମିଟର୍‌) ସହିତ କାଂସ୍ୟ ପଦକ ଜିତିଥିଲେ। ପାଖାପାଖି ଅର୍ଦ୍ଧଶତାବ୍ଦୀର ଏହି ବିଶ୍ବ ଦୌଡ଼କୁଦ ଇତିହାସରେ ୧୪୦ କୋଟିର ଦେଶ ଭାରତ ମାତ୍ର ୩ ପଦକରେ ସୀମିତ ରହିବା ସବୁଠାରୁ ଦୁର୍ଭାଗ୍ୟଜନକ ଏବଂ ନିରାଶାଜନକ। ତଥାପି ନୀରଜ ଅଲିମ୍ପିକ୍ ଓ ବିଶ୍ବ ବିଜେତା ହେବା ପରେ ନୂଆ ଭାରତ ନିଶ୍ଚିତ ଉତ୍ସାହିତ ହୋଇ ଅଧିକ ବିଶ୍ବ ବିଜେତାଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଇପାରିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button