ବର୍ଷ ତମାମ କୂଅରୁ ଶୁଖୁନି ପାଣି, ଯାତ୍ରୀ ହୁଅନ୍ତୁ ଅବା ବାଟୋଇ ଶୋଷ ମେଣ୍ଟାଇବାରେ କରିନି ହେଳା
ବୌଦ୍ଧ : ନା ଅଛି କୌଣସି ଘର ଦ୍ୱାର, ନା ରହିଛି ପାଖରେ କୌଣସି ଜନବସତି । ହେଲେ ସାକ୍ଷୀ ରହିଛି ବନ୍ୟ ଜନ୍ତୁ,ଗଛଲତା,ପାହାଡ,ପର୍ବତ ଆଉ ଏବେର ପିଚୁ ଦିଆ କଳା ଚିକଚିକ ଜାତୀୟ ରାଜପଥ । ଆଉ ବର୍ଷ ତମାମ ଯାତ୍ରୀ ହୁଅନ୍ତୁ ଅବା ବାଟୋଇଙ୍କୁ ଶୋଷ ମେଣ୍ଟାଇବାରେ ସେ କେବେ ବି କରିନି ଅବହେଳା । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ସେହି କୂଅ କଥା । ଯୋଉ କୂଅଟି ବୌଦ୍ଧ-କନ୍ଧମାଳ ଜିଲା ସୀମାନ୍ତ ରାଣିପଥର ଘାଟିର ରାସ୍ତା କଡରେ ରହିଛି ।
କି ଖରାବର୍ଷା , କି ଶୀତ, ବର୍ଷ ତମାମ କୂଅରୁ ଶୁଖୁନି ପାଣି । ପ୍ରାୟ ସମୁଦ୍ର ପତନ ଠାରୁ ୨ ରୁ ୩ ଶହ ଫୁଟ ଉଚ୍ଚତାରେ, ପାହାଡ ଉପରେ ଥିବା କୂଅର ଗଭୀର ମାତ୍ର ୧୦ ଫୁଟ ହୋଇଥିଲେ ମଧ୍ୟ କୂଅରୁ କେବେ ହେଲେ ପାଣୀ ଶୁଖି ନଥାଏ । ଜିଲାର ଚାରିଛକ ଠାରୁ କନ୍ଧମାଳକୁ ସଂଯୋଗ କରୁଥିବା ୧୫୭ ନଂ ଜାତୀୟ ରାଜପଥ କଡରେ ଥିବା ଏହି କୂଅଟି ଯେ କେବଳ ବାଟୋଇ ଆଉ ଯାତ୍ରୀଙ୍କ ଶୋଷ ମେଣ୍ଟାଇ ପାରିଛି ତାହା ନୁହଁ ବନ୍ୟ ଜନ୍ତୁଙ୍କ ମଧ୍ୟ ଶୋଷ ମେଣ୍ଟାଇ ପାରିଛି । ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ମାନେ ଏଠାରେ ଅଟକି କୂଅଟିକୁ ଦେଖିବା ସହିତ ଏହି ପାହାଡ ଉପରେ କିଏ ଓ କାହିଁକି, କିପରି ଭାବରେ କୂଅ ଖୋଳିଛନ୍ତି ତାକୁ ନେଇ ମନରେ କେତେ ପ୍ରଶ୍ନ ।
ବୌଦ୍ଧରୁ କନ୍ଧମାଳ ଯାତାୟତ ପାଇଁ ଘଂଚ ଜଙ୍ଗଲ ଘେରା ରାଣିପଥର ଘାଟି ଦେଇ ଯିବାକୁ ହୋଇଥାଏ । ବାଟୋଇ କିମ୍ବା ଯାତ୍ରୀ ମାନେ ଗଲାବେଳେ ଯେପରି ଭାବେ ଜଳକଷ୍ଟ ନ ଭୋଗନ୍ତୁ ତାକୁ ଆଖି ଆଗରେ ରଖି ବୌଦ୍ଧ ଗଡଯାତ ରାଜ୍ୟରଦ୍ଧ ଭଞ୍ଜବଂଶୀୟ ରାଜାଙ୍କ ଦ୍ୱାରା ଏହି କୂଅ ଖୋଳାଇଯାଇଥିବା ଲୋକେ କହିଛନ୍ତି । ପରବର୍ତ୍ତି ପର୍ଯ୍ୟାୟରେ ରାସ୍ତା କାମରେ ନିୟୋଜିତ ହୋଇଥିବା ଶ୍ରମିକ ମାନେ ମଧ୍ୟ ଏଠାରୁ ପାନୀୟ ଜଳଭାବେ ବ୍ୟବହାର କରୁଥିଲେ । ପାହାଡ ଉପରେ ୧୦ ଫୁଟ ଗଭୀର ବିଶିଷ୍ଟ କୂଅ ଖୋଳାଯିବାର ଦୀର୍ଘ ବର୍ଷ ପରେ ବି କୂଅରୁ ବିଶୁଦ୍ଧ ପାଣି ବାହାରୁଥିବା ନେଇ ଲୋକେ ସ୍ୱୀକାର କରିଛନ୍ତି । ଏହା ସହିତ ସମୁଦ୍ର ପତନଠାରୁ ବହୁ ଉଚ୍ଚତାରେ ଥାଇ ମଧ୍ୟ କିପରି ଜଳ ଉତ୍ସ ରହିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।