ଲକ୍ଷ୍ମୀପୂଜା ଶେଷ ଦିନରେ ଲକ୍ଷ୍ମୀ ନାରାୟଣ ଭେଟ ସହିତ ମା’ଙ୍କ କୃପା ଲାଭ କରିବା ପାଇଁ ଭକ୍ତଙ୍କ ଭିଡ
ସୋରଡା : ମାର୍ଗଶିର ମାସରେ ମହାଲକ୍ଷ୍ମୀଙ୍କ ପୂଜା କରିବା ପାଇଁ ପ୍ରତେକ ଗୃହିଣୀ ତତ୍ପର ହୋଇଥାନ୍ତି । ଏହି ମାସରେ ବୁଧବାର ଠାରୁ ଘର ଧୋଇ ଚିତା ପକାଇଥାନ୍ତି ଏବଂ ଗୁରୁବାର ଦିନ ଭୋର ଉଠି ମହାଲକ୍ଷ୍ମୀଙ୍କୁ ଠାକୁର ଘରେ ସ୍ଥାପନ କରି ନାନା ପ୍ରକାର ପିଠା ପଣା ଭୋଗ କରିଥାନ୍ତି । କାରଣ ଲକ୍ଷ୍ମୀ ମା’ସନ୍ତୁଷ୍ଟ ହେଲେ ଧନର ଆଗମନ ହୋଇଥାଏ ଘରକୁ । ଦୀର୍ଘ ୩୨ବର୍ଷ ପରେ ସୋରଡା ଆଡପମଣ୍ଡପ ଠାରେ ପୁଣି ଲକ୍ଷ୍ମୀ ମେଢ ଆରମ୍ଭ ହୋଇଥିଲା । ଏହି ସ୍ଥାନରେ ସଞ୍ଜ ହୋଇଗଲେ ଶହ ଶହ ଭକ୍ତ ରୁଣ୍ଡ ହୋଇଥାନ୍ତି । ଅନ୍ତିମ ଦିନରେ ମା’ଙ୍କ ପାଇଁ ପ୍ରଭୁ ଜଗନ୍ନାଥ ମନ୍ଦିରରୁ ଭେଟି ଆସିଥିଲା । ତାହା ପୁଣି ସୋରଡା ବିଧାୟକ ନୀଳମଣି ବିଶୋଈ ମୁଣ୍ଡରେ ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞା ମାଳ ଧରି ଚାଲି ଚାଲି ମା’ଙ୍କ ପାଖରେ ପହଞ୍ଚିଥିଲେ ।
ମା’ଲକ୍ଷ୍ମୀ ସନ୍ତାଣୀଙ୍କୁ ଦର୍ଶନ କରିବା ପାଇଁ ମହିଳା ଭକ୍ତଙ୍କ ପ୍ରବଳ ଭିଡ ଜମିଥିଲା । ସୋରଡା ଆଡପମଣ୍ଡପ ଠାରେ ଦୀର୍ଘ ୩୨ବର୍ଷ ପରେ ପୁଣି ଆଡପମଣ୍ଡପ ଯୁବକ ସଂଘ ତରଫରୁ ଲକ୍ଷ୍ମୀ ମେଢ ଆରମ୍ଭ ହୋଇଥିବା ଜଣାପଡିଛି । ଏହା ଗତ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ଗତ ସୋମବାର ସଂକ୍ରାନ୍ତି ରାତ୍ରିରେ ଉଜ୍ଜାପନ ହୋଇଥିଲା । ପଣ୍ଡିତ ସପନ କୁମାର ଶତପଥି ଶର୍ମା ଏବଂ ତାଙ୍କରି ଅନ୍ୟ ପଣ୍ଡିତ ମାନେ ଏଠାରେ ମା’ଙ୍କ ପୂଜା କରିଥିଲେ । ପ୍ରତିଦିନ ଭୋରରୁ ମା’ଙ୍କ ମଙ୍ଗଳାଆଳତି ହେବା ସହିତ ହୋମ ହୋଇ ମା’ଙ୍କୁ ଭୋଗ ହୋଇଥାଏ । ସନ୍ଧ୍ୟା ସମୟରେ ହୋମ ୧୦୮ ଆଳତି ସହିତ ଭୋଗ ହୋଇଥାଏ ।
ବହୁ ଦୂର ଦୂରାନ୍ତ ରୁ ହଜାର ହଜାର ଭକ୍ତ ମା’ଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି ଭକ୍ତ । ଗୁରୁବାର ଦିନ ମହିଳା ଭକ୍ତଙ୍କ ଅଧିକ ସମାଗମ ହୋଇଥାଏ । ଶ୍ଳୋକ, ବେଦ ପାଠରେ ଅଞ୍ଚଳ ପ୍ରକମ୍ପିତ ହୋଇଥାଏ । ଦୀର୍ଘ ବର୍ଷ ପରେ ପୁଣି ସୋରଡା ରେ ଲକ୍ଷ୍ମୀ ମେଢ ହେବାରୁ ଭକ୍ତଙ୍କ ଉତ୍ସାହ ଦେଖାଦେଇଛି । ସନ୍ଧ୍ୟା ଆଳତି ପରେ ପ୍ରତିଦିନ କାନକା ଭୋଗ ଭକ୍ତଙ୍କୁ ବଣ୍ଟାଯାଇଥାଏ । ଏହା ସହିତ ବହ୍ଲଭ, ଲଡୁ , ମାଲପୁଆ ମା’ଙ୍କ ପାଖରେ ଭୋଗ ହୋଇ ବିକ୍ରି କରାଯାଇଥାଏ । ଦିନକୁ ଦିନ ମା’ଙ୍କ ପାଖରେ ଭକ୍ତଙ୍କ ଗହଳି ବଢି ଚାଲିଥିଲା ।
ଗତ ୧୬ତାରିଖ ଅନ୍ତିମ ଦିନରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ରୁ ଆଳତି ପରେ ପଣ୍ଡା ପଢିଆରୀ, ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ହଜାର ହଜାର ଭକ୍ତ ଙ୍କ ଗହଣରେ ବାଜା,ଢୋଲ ,ଘଣ୍ଟ,ବାଘ ,ଘୋଡା ,ଶଣ୍ଢ ନାଚ କରି ମା’ ଙ୍କ ପାଇଁ ଗଜରା ମାଳ ,ମଙ୍ଗଳସୂତ୍ର , ସିନ୍ଦୁର ,ଚୁଡି , ଶାଢୀ ସହିତ ଭୋଗ ସାମଗ୍ରୀ ଆସିଥିଲା । ସବୁ ଠାରୁ ଅଧିକ ବିମୋହିତ କରିଥିଲା ସୋରଡା ବିଧାୟକ ନୀଳ ମଣି ବିଶୋଈ ମଠା ପିନ୍ଧି ଉପବାସ ରହି ଖାଲି ପାଦରେ ଚାଲି ଚାଲି ଆସି ମା’ଙ୍କ ପାଖରେ ପହଞ୍ଚିଥିଲେ ଏବଂ ଯଜ୍ଞ ରେ ବସି ପୂର୍ଣାହୁତି ଦେଇଥିଲେ । ତେବେ କୀର୍ତନ ମଣ୍ଡଳୀ , ଘଣ୍ଟ , ଢୋଲରେ ପୁରୀ ଉଠିଥିଲା ସହର । ଜଗନ୍ନାଥ ଓ ଲକ୍ଷ୍ମୀ ସନ୍ତାଣୀ ଭେଟ ଅତି ସୁନ୍ଦର ରହିଥିଲା । ଯାହାକୁ ଦେଖି ଭାବବିହ୍ୱଳ ହୋଇଥିଲେ ଭକ୍ତ ।