କୁଳ ବେଉସାକୁ ଛାଡ଼ିବାକୁ ବାଧ୍ୟ ହେଲେଣି ଅନେକ କାରିଗର, ଲାଗିରହିଛି ଅନେକ ସମସ୍ୟା
ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କଟକ ଜିଲ୍ଲା ମାହାଙ୍ଗାର ବୌଦ୍ଧ ବିହାର ସ୍ଥିତ ଲଳିତଗିରିର ପାହାଡ ପାଦ ଦେଶରେ ରହିଛି ଲଳିତଗିର ଗାଁ । ଆଉ ଏହି ଗାଁରେ ବସବାସ କରନ୍ତି ଦୁଇ ଶହରୁ ଉର୍ଦ୍ଧ ପଥର ଶିଳ୍ପୀ ପରିବାର । କୁଳ ବେଉଷା କହିଲେ ପଥରରେ କାରିଗରୀ l ଆଜି ଏହି ପଥର ଶିଳ୍ପୀ ମାନେ ଦୁର୍ଦ୍ଦିନରେ ଗତି କରୁଛନ୍ତି । ନାଁ ମିଳିପାରୁଛି ସେମାନଙ୍କୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ନାଁ ଗାଁକୁ କ୍ରାଫ୍ଟ ଭିଲେଜ୍ ବା ସ୍ବତନ୍ତ୍ର ପଥର ଶିଳ୍ପୀ ଗାଁ ଭାବେ ମାନ୍ୟତା ମିଳୁଛି । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।
ପଥର ଖଣ୍ଡ ଉପରେ ନିହାଣ ଓ ହାତୁଡି ସାହାଯ୍ୟରେ ଭଗବାନ ନାରାୟଣ , ଗଣେଶ, ହନୁମାନ, ସିଂହ, ହାତୀ , ବୁଦ୍ଧ ଦେବ, ନର୍ତ୍ତକୀ, ତୁଳସୀ ଚଉରା ଭଳି ଅନେକ ରୂପ ଦେଉଛନ୍ତି ଏମାନେ । ନିଜ ନିଜ ଘର ଅଗଣାରେ ସୁନ୍ଦର ଭାବେ ସେ ସବୁକୁ ସେମାନେ ଧାଡ଼ିକି ଧାଡ଼ି ରଖି ଗ୍ରାହକଙ୍କୁ ଅପେକ୍ଷା କରି ରହିଥାନ୍ତି । ତେବେ ସବୁଠୁ ବଡ଼ ସମସ୍ୟା ହେଲା ସରକାରଙ୍କ କଟକଣା ପାଇଁ କଞ୍ଚା ମାଲର ଅଭାବ ଏବଂ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳୁନଥିବାରୁ କୁଳ ବେଉସାକୁ ଛାଡ଼ି ଅନେକ ଏବେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି ।
ତେବେ ଏହି ପଥର ଶିଳ୍ପୀମାନେ ଆଜି ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ସେପଟେ ପୂର୍ବ ପୁରୁଷର କୁଳ ବେଉସାକୁ ଛାଡ଼ି ପେଟ ପାଇଁ ବାଧ୍ୟ ହୋଇ ଏହି କାରିଗର ବାହାର ରାଜ୍ୟକୁ ଯାଉଥିବା ଅନେକ ଶିଳ୍ପୀ ଅଭିଯୋଗ କରିଛନ୍ତି । ତେବେ ଏଭଳି ସ୍ଥିତିରେ ବରିଷ୍ଠ କାରିଗରମାନେ ବାପ ଜେଜେବାପା ଅମଳର କୁଳ ବେଉସା କେମିତି ଆଗକୁ ବଞ୍ଚାଇ ରଖିବେ ଚିନ୍ତାରେ ଅଛନ୍ତି ।
କେଉଁଠି ନା କେଉଁଠି ଏମାନଙ୍କ ମନରେ ଏବେବି ଆଶା ଓ ଆକାଂକ୍ଷା ରହିଛି । ଯଦି ଏମାନଙ୍କ ସମସ୍ୟାର ସମାଧାନ କରାଯାଆନ୍ତା ଏମାନେ ନିଜ ଗାଁ ଛାଡ଼ି ବାହାର ରାଜ୍ୟକୁ ଖଟିବା ପାଇଁ ହୁଏତ ଯିବେ ନାହିଁ ।