ଲୋୟର୍ ପିଏମ୍ଜିରେ ଗର୍ଜିଲେ ଜିପିଏଲ୍ଏଫ୍ କର୍ମୀ: ଗୃହରେ ଉଠିଲା ସିଆର୍ପି, ଏମ୍ବିକେଙ୍କ ଆନ୍ଦୋଳନ ପ୍ରସଙ୍ଗ
ଭୁବନେଶ୍ବର: ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କର ୯ ମାସର ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଆଜି ବିଧାନସଭା ସମ୍ମୁଖରେ ଗର୍ଜିଛନ୍ତି ଅଲ୍ ଓଡ଼ିଶା ଜିପିଏଲ୍ଏଫ୍ କର୍ମୀ ମହାସଂଘ। ଆଜି ପୂର୍ବାହ୍ନରେ ହଜାରହଜାର ସଂଖ୍ୟାରେ ମିସନ ଶକ୍ତି ବିଭାଗ ସହ ଜଡ଼ିତ ମହିଳାମାନେ ମାଷ୍ଟରକ୍ୟାଣ୍ଟିନ ନିକଟରେ ଏକାଠି ହୋଇ ବିଧାନସଭା ଆଡ଼କୁ ଯାଇଥିଲେ। ଲୋୟର୍ ପିଏମ୍ଜିରେ ପୁଲିସ ସେମାନଙ୍କୁ ଅଟକାଇବାରୁ ମହିଳାମାନେ ରାସ୍ତାରେ ବସି ପ୍ରତିବାଦ ସଭା କରିଥିଲେ।
ସଂଘ ପକ୍ଷରୁ କୁହାଯାଇଛି ଯେ ୯ ମାସ ଧରି କମ୍ୟୁନିଟି ସର୍ପୋଟ୍ ଷ୍ଟାଫ୍ମାନେ ପାରିଶ୍ରମିକ ପାଉନାହାନ୍ତି। ତେଣୁ ସେମାନେ ଘୋର ଆର୍ଥିକ ସଂକଟରେ ଗତି କରୁଛନ୍ତି। ଜିପିଏଲ୍ଏଫ୍ କମ୍ୟୁନିଟି କ୍ୟାଡର୍ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ସ୍ଥାୟୀ ନିଯୁକ୍ତି ପ୍ରଦାନ, ୫ ବର୍ଷିଆ ପଲିସିରେ ଥିବା ୭୫ % ଓ ୫୦%କୁ ଉଚ୍ଛେଦ କରି ୧୦୦ % ପାରିଶ୍ରମିକ ପ୍ରଦାନ, କମ୍ୟୁନିଟି ଷ୍ଟାଫ୍ଙ୍କର ବକେୟା ଥିବା ପାରିଶ୍ରମିକ ରାଶି ପ୍ରଦାନ କରାଯାଉ। ମିସନ ଶକ୍ତି ଦ୍ବାରା ପ୍ରଦାନ କରାଯାଇଥିବା ପରିଚୟପତ୍ର ୧୫ ଦିନ ମଧ୍ୟରେ ଦିଆଯିବା ସହ ୬ ବର୍ଷ ଧରି କାର୍ଯ୍ୟ କରିଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନଙ୍କୁ ଯୋଗ୍ୟତା ଅନୁସାରେ ପଦୋନ୍ନତି ପ୍ରଦାନ କରାଯାଉ ବୋଲି ସଂଘ ଦାବି କରିଛି। ସେହିଭଳି ମୃତ୍ୟୁକାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା, ଇପିଏଫ୍ଓ ଏବଂ ଇଏସ୍ଆଇ ପ୍ରଦାନ ମିଳୁ ବୋଲି ସଂଘ ଦାବି ରଖିଛି। ଜିପିଏଲ୍ଏଫ୍କୁ ଗୋଷ୍ଠୀଙ୍କ ବିନିଯୋଗ ପାଣ୍ଠି ୧ କୋଟି ଟଙ୍କା କରାଯାଉ ବୋଲି ମଧ୍ୟ ଦାବି କରାଯାଇଛି। ବିକ୍ଷୋଭସ୍ଥଳରେ ବିଜେଡି ବିଧାୟକ ଓ ନେତାମାନେ ପହଞ୍ଚି ସେମାନଙ୍କ ନୈତିକ ସମର୍ଥନ ଜଣାଇଥିଲେ। ବିଧାୟକ ପ୍ରମିଳା ମଲ୍ଲିକ, ଅରୁଣ କୁମାର ସାହୁ, ବ୍ୟୋମକେଶ ରାୟ, ଗୌତମବୁଦ୍ଧ ଦାସ, ପ୍ରଦୀପ ସାହୁ, ବର୍ଷା ସିଂହ ବରିହା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ ପ୍ରମୁଖ ପହଞ୍ଚି ସରକାର ତୁରନ୍ତ ସେମାନଙ୍କ ଦାବିକୁ ମାନି ନେବାକୁ କହିଥିଲେ। ମହାସଂଘର ଅଧ୍ୟକ୍ଷ ତଥା କଟକ ମେୟର ସୁବାସ ସିଂହ, ସଭାପତି ନିରୂପମା ନାୟକ ଓ ସମ୍ପାଦିକା ସବିତା ମାନସିଂହ ଉପସ୍ଥିତ ଥିଲେ।
ଭୁବନେଶ୍ବର,୯/୧୨(ଇମିସ): ମିସନ ଶକ୍ତି ବିଭାଗ ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ କରିଛି ବିଜେଡି। ଭୁବନେଶ୍ବରର ମହାତ୍ମା ଗାନ୍ଧୀ ମାର୍ଗରେ ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କ ମିତ୍ରମାନଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ସରକାରଙ୍କ ଆଭିମୁଖ୍ୟ ନେଇ ସ୍ପଷ୍ଟୀକରଣ ଲୋଡ଼ିଛି ଦଳ। ଗୃହରେ ବିଜେପି ବିଧାୟକମାନେ ବି ତାହାର ଜବାବ ଦେଇଛନ୍ତି।
ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ, ପୂର୍ବ ସରକାର ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)ମାନଙ୍କୁ ପ୍ରୋତ୍ସାହନ ଦେଉଥିଲେ। ଏସ୍ଏଚ୍ଜିମାନଙ୍କୁ ତାଲିମ ଦେବା ପାଇଁ ଏମ୍ବିକେ, ବ୍ୟାଙ୍କ ମିତ୍ର ଓ ସିଆର୍ପିମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ୬ ମାସ ହେଲା ସେମାନଙ୍କୁ ଦରମା ମିଳନି। ହଜାର ହଜାର ସଂଖ୍ୟାରେ ମହାତ୍ମା ଗାନ୍ଧୀ ମାର୍ଗରେ ଧାରଣା ଦେଇଛନ୍ତି। ଏ ସରକାର ମିସନ ଶକ୍ତି ବିଭାଗକୁ ଭାଙ୍ଗିବା ପାଇଁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି। ବଜେଟ୍ କମାଇ ଦିଆଯାଇଥିବାରୁ ଆଶଙ୍କା ବଢ଼ୁଛି। ଏ ସରକାରଙ୍କ ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ହେବା ଦରକାର। ବ୍ୟୋମକେଶ ରାୟ ବି ସମାନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ମିସନ୍ ଶକ୍ତିରେ ସିଆରପି, ଏମ୍ବିକେଙ୍କ ବଡ଼ ଭୂମିକା ରହିଛି। ସେମାନଙ୍କ କଥା ସରକାର ବୁଝନ୍ତୁ। ଜିପିଏଲଏଫ୍ ସୁଧରୁ ସେମାନଙ୍କୁ ପଇସା ଦେବାକୁ ନିର୍ଦ୍ଦେଶ ଯାଇଛି। ଏହା ଦ୍ବାରା ସମସ୍ୟାର ସମାଧାନ ହେବ ନାହିଁ। ଗୌତମବୁଦ୍ଧ ଦାସ କହିଲେ, ମିସନ ଶକ୍ତି ବନ୍ଦ ହେବା କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ରାଜ୍ୟ ସରକାର କିଛି ସ୍ପଷ୍ଟ କରୁନାହାନ୍ତି। ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଗୋଟିଏ ମଡେଲ ରାଜ୍ୟରେ ପରିଣତ ହୋଇଥିଲା। ଏନ୍ଆର୍ଏଲ୍ଏମ୍ ଗାଇଡଲାଇନ୍ ଆଧାରରେ ଏସ୍ଏଚ୍ଜି ଗଠନ କରାଯାଇ କାମ କରାଯାଉଥିଲା। ଏ ସରକାର ସମ୍ବେଦନହୀନ ନ ହୁଅନ୍ତୁ। ଧ୍ରୁବ ସାହୁ କହିଲେ, ମିସନ ଶକ୍ତି ଚାଲିବନି, ଦୌଡ଼ିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏବେ ତାହା ଅଚଳ ହୋଇଗଲାଣି। କେନ୍ଦ୍ରୀୟ ଯୋଜନାରେ ଏଥି ପାଇଁ ଅର୍ଥ ଆସେ ଏବଂ ରାଜ୍ୟ ସରକାର ବି ତାଙ୍କ ଭାଗ ବହନ କରନ୍ତି। ଏ ସରକାର ଚୁକ୍ତି ନବୀକରଣ କରୁ ନାହାନ୍ତି।
ବିରୋଧୀଙ୍କୁ ଜବାବ ଦେଇ ଶାସକ ଦଳ ସଭ୍ୟ ମାନସ ଦତ୍ତ କହିଲେ, ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲା ବେଳେ ଏସ୍ଏଚ୍ଜି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କ ମିତ୍ରମାନଙ୍କ କାର୍ଯ୍ୟର ଅବଧି ୨୦୨୪ ଏପ୍ରିଲରେ ଶେଷ ହୋଇଥିଲା। ପୂର୍ବ ସରକାର କାହିଁକି ଚୁକ୍ତି ନବୀକରଣ କରି ନଥିଲେ? ସେମାନଙ୍କୁ ମଝି ଦରିଆକୁ କିଏ ଠେଲି ଦେଇଥିଲା? ଏବେ ବର୍ତ୍ତମାନର ସରକାରଙ୍କୁ କାହିଁକି ଦୋଷ ଠେଲୁଛନ୍ତି? ଆଶ୍ରିତ ପଟ୍ଟନାୟକ କହିଥିଲେ, ପୂର୍ବ ସରକାର ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଛନ୍ତି ବୋଲି ଡିଣ୍ଡିମ ପିଟୁଥିଲେ। ବାସ୍ତବରେ ସେମାନେ ବିଜେଡିର ମହିଳା କର୍ମୀଙ୍କୁ ସଶକ୍ତ କରୁଥିଲେ। ସାଧାରଣ ମହିଳାଙ୍କୁ ନୁହେଁ। ୨୦୧୯ ମସିହାରେ ପ୍ରାୟ ୩୪ ହଜାର ସିଆର୍ପି, ଏମ୍ବିକେ, ବ୍ୟାଙ୍କ ମିତ୍ରଙ୍କୁ ୫ ବର୍ଷିଆ ଚୁକ୍ତିରେ ରଖାଯାଇଥିଲା। ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ୫ ବର୍ଷିଆ ଚୁକ୍ତିରେ ରଖାଯାଇଛି। ଯେଉଁମାନଙ୍କୁ ୨୦୧୯ରେ ରଖାଯାଇଥିଲା ସେମାନଙ୍କ ଚୁକ୍ତିର ଅବଧି ଗତ ଏପ୍ରିଲ ମାସରେ ଶେଷ ହୋଇଛି। ପୂର୍ବ ସରକାର କାହିଁକି ସେମାନଙ୍କ ଚୁକ୍ତିକୁ ନବୀକରଣ କରୁ ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ଜିପିଏଲ୍ଏଫରୁ ଦରମା ଦେବାକୁ ନିର୍ଦ୍ଦେଶ ଯାଇଛି। ବିଜେଡି ଅଯଥାରେ ମା’ଭଉଣୀମାନଙ୍କୁ ନେଇ ରାସ୍ତାରେ ଆନ୍ଦୋଳନ କରାଉଛି।
latest news
ganesh ram post image
ଆସନ୍ତା ମାସରେ ଆରମ୍ଭ ହେବ ହେବ ପକ୍ଷୀ ଗଣନା.: ମନ୍ତ୍ରୀ
www.ndtv.com post image
ପ୍ରଥମ ଦିନ ଅଫିସ୍ ଯାଇ ଘରକୁ ଫେରୁଥିଲେ ଯୁବତୀ; ଚାଲିଗଲା ଜୀବନ
ଜଚୁ post image
ହାଇୱେ ହୋଣ୍ଡା ପରିସରରେ ଆଦିତ୍ୟ ଗ୍ରୁପର ୨୧ ତମ ପ୍ରତିଷ୍ଠା ଦିବସ ପାଳିତ
dsx post image
ମହିଳାଙ୍କୁ ରାଜନୈତିକ ହତିଆର ଭାବେ ବ୍ୟବହାର କରୁଛି ବିଜେଡି: ଟଙ୍କଧର ତ୍ରିପାଠୀ
lalu prasad post image
ମହିଳାଙ୍କ ରାଲିକୁ ନେଇ ନୀତୀଶଙ୍କୁ ଆକ୍ଷେପ କରି ଏପରି କହିଲେ ଲାଲୁ