୧୬ ଛୁଆ, ବାଃ ! ଅନ୍ତର୍ଜାତୀୟ ମ୍ୟାଚ୍ରେ ପାକିସ୍ତାନୀ ଖେଳାଳିଙ୍କୁ ଥଟ୍ଟା କଲେ ଓ୍ବାସିମ ଆକ୍ରମ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଦିନିକିଆ ମେଲବର୍ଣ୍ଣରେ ଖେଳାଯାଇଛି । ପାକିସ୍ତାନ ଲାଗି କାମରାନ ଗୁଲାମ ଡେବ୍ୟୁ କରିଛନ୍ତି । କିନ୍ତୁ ପୂର୍ବତନ ପାକିସ୍ତାନୀ କ୍ରିକେଟର ଓ୍ବାସିମ ଆକ୍ରମ ଲାଇଭ କେମଣ୍ଟ୍ରି ସମୟରେ କାମରାନ ଗୁଲାମଙ୍କ ପରିବାରକୁ ଥଟ୍ଟା କରିଛନ୍ତି । ଆଡାମ ଗିଲଖ୍ରୀଷ୍ଟ ଏବଂ ମାଇକେଲ ଓ୍ବନଙ୍କ ସହ ଓ୍ବାସିମ ଆକରମ କମେଣ୍ଟ୍ରି କରୁଥିଲେ ।
ଏହି ସମୟରେ ଓ୍ବାସିମ ଆକ୍ରମ କହିଥିଲେ, କାମରାନ ଗୁଲାମ ଏକ ବଡ଼ ପରିବାରରୁ ଆସିଛନ୍ତି । ସେ ୧୨ ଜଣ ଭାଇଙ୍କ ମଧ୍ୟରେ ୧୧ ନମ୍ବର । ଏହା ବ୍ୟତୀତ ତାଙ୍କର ୪ ଭଉଣୀ ଅଛନ୍ତି । ଏହା ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଓ୍ବନ ମଜା କରି କହିଥିଲେ, ୧୬ ଛୁଆ…ବାଃ ! ଏଜ୍ ଗ୍ୟାପ (ବୟସ ତାରତମ୍ୟ) କେତେ ହେବ ଜାଣିଲେ ଭଲ ହୁଅନ୍ତା ।
ମାଇକେଲ ଓ୍ବନଙ୍କ ଏଭଳି ପ୍ରତିକ୍ରିୟା ପରେ ଗିଲଖ୍ରୀଷ୍ଟ ମଧ୍ୟ ଥଟ୍ଟା କରି କହିଥିଲେ, ‘ପାକିସ୍ତାନ ସିଲେକ୍ସନ କମିଟି’। ଏବେ ଏହି ୩ ଜଣ ପୂର୍ବତନ କ୍ରିକେଟରଙ୍କ ପ୍ରତିକ୍ରିୟା ଭାଇରାଲ ହେବାରେ ଲାଗିଛି । ଏହା ସହ ଆଡାମ ଗିଲଖ୍ରୀଷ୍ଟ, ମାଇକେଲ ଓ୍ବନ ଏବଂ ଓ୍ବାସିମ ଆକ୍ରମ ସମାଲୋଚନାର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ୟୁଜର୍ସ କହିଛନ୍ତି, ଏହି ୩ ପୂର୍ବତନ କ୍ରିକେଟରଙ୍କୁ ଏଭଳି କମେଣ୍ଟ ଦେବାରୁ ବିରତ ରହିବା ଆବଶ୍ୟକ । ସେପଟେ ଏହାକୁ ନେଇ ଓ୍ବାସିମ ଆକ୍ରମଙ୍କ ସହ ଆଲୋଚନା କରିପାରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ।
ଅନ୍ୟପକ୍ଷରେ, ମେଲବର୍ଣ୍ଣ ଦିନିକିଆରେ ପାକିସ୍ତାନକୁ ୨ ଓ୍ବିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଟିମ୍ ୪୬.୪ ଓଭରରେ ୨୦୩ ରନ୍ କରିଥିଲା । ପାକିସ୍ତାନ ପାଇଁ ଓ୍ବିକେଟ କିପର ବ୍ୟାଟର ମହମ୍ମଦ ରିଜଓ୍ବାନ ସବୁଠୁ ଅଧିକ ୭୧ ରନ୍ କରିଥିଲେ । ନସିମ ଶାହ ୪୦ ରନ୍, ବାବର ଆଜମ ୩୭ ରନ୍ କରି ଆଉଟ ହୋଇଥିଲେ । ଏହାର ଜବାବରେ ଅଷ୍ଟ୍ରେଲିଆ ୩୩.୩ ଓଭରରେ ୮ ଓ୍ବିକାଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା ।