ଓଡିଶା

ଅସ୍ଥାୟୀ ଡାଇଭର୍ସନକୁ ଭାଙ୍ଗିଲା ପ୍ରଶାସନ, ବୈଶିଙ୍ଗା-ମାଣତ୍ରୀ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍

ବେତନଟୀ, ୨୭।୧୦: ପୂର୍ତ୍ତବିଭାଗ ନିରୀକ୍ଷଣରେ ଏମଡିଆର-୭୦ ରାସ୍ତାର ନିର୍ମାଣକାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଅନ୍ୟପଟେ ମାନଗୋବିନ୍ଦପୁର ତାଳଗଛଠାରେ ଅସମ୍ପୂର୍ଣ୍ଣ ପୋଲ ପାଇଁ ନିର୍ମିତ ଅସ୍ଥାୟୀ ଡାଇଭର୍ସନ ଯୋଗୁଁ ଏକର ଏକର ଚାଷଜମି ଜଳମଗ୍ନ ହୋଇଯାଇଛି । ଏନେଇ ରବିବାର ସକାଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଜିଲ୍ଲାପାଳ, ଏସପି ଏବଂ ବିଡିଓଙ୍କ ହସ୍ତକ୍ଷେପରେ ଅସ୍ଥାୟୀ ଡାଇଭର୍ସନକୁ ଖୋଳି ବର୍ଷାଜଳ ନିଷ୍କାସନ କରାଯାଇଛି ।

ଫଳରେ ବୈଶିଙ୍ଗା-ମାଣତ୍ରୀ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ବୈଶିଙ୍ଗା-ମାଣତ୍ରୀ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ମାନଗୋବିନ୍ଦପୁର ତାଳଗଛ ଛକ ନିକଟରେ ଏକ ପୋଲ ନିର୍ମାଣ କରାଯାଉଛି । ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଠିକାଦାରଙ୍କ ମନମୁଖୀ କାମ ପାଇଁ ଦୀର୍ଘଦିନ ଧରି ପୋଲକାମ ଅଧପନ୍ତରିଆ ହୋଇ ରହିଛି । ପୋଲ ପାଇଁ ନିର୍ମିତ ଅସ୍ଥାୟୀ ଡାଇଭର୍ସନ ଦେଇ ଦୈନିକ ଶହଶହ ଯାନବାହନ ଚଳାଚଳ କରୁଛି ।

ତେବେ ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ଲଗାଣବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିଥିବା ବେଳେ ଅନେକ ଛୋଟବଡ଼ ନଦୀନାଳରେ ଜଳସ୍ତର ବଢ଼ିଯାଇଛି । ଏଭଳି ସ୍ଥିତିରେ ମାନଗୋବିନ୍ଦପୁର ତାଳଗଛ ଛକ ନିକଟରେ ନିର୍ମାଣାଧୀନ ପୋଲ ପାଇଁ ଥିବା ଅସ୍ଥାୟୀ ଡାଇଭର୍ସନ ବର୍ଷାଜଳ ନିଷ୍କାସନର ମୁଖ୍ୟ ବାଧକ ସାଜିଥିଲା । ଫଳରେ ଏକର ଏକର ଚାଷଜମି ଜଳମଗ୍ନ ହୋଇଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଚାଷୀ ଏବଂ ଜନସାଧାରଣଙ୍କ ମଧ୍ୟରେ ରବିବାର ସକାଳେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା । ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଶେଷରେ ଜଳନିଷ୍କାସନର ଅନ୍ୟ ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଅସ୍ଥାୟୀ ଡାଇଭର୍ସନକୁ କାଟିଦିଆ ଯାଇଥିଲା । ଫଳରେ ବୈଶିଙ୍ଗା-ମାଣତ୍ରୀ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ବନ୍ୟାସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ଜିଲ୍ଲାପାଳ ହେମକାନ୍ତ ସଏ ଏବଂ ଏସପି ବରୁଣ ଗୁଣ୍ଟୁପାଲିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହିତ ଯଥାଶୀଘ୍ର ଉକ୍ତ ରାସ୍ତାର ମରାମତି ନେଇ ପ୍ରତିଶୃତି ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button