ଗିରିଗାଁ ସୀମାରୁ ବେଆଇନ ବାଲି ଲୁଟ
ହାଟଡିହି, (ବିକାଶ ବିଶ୍ୱାଳ):ବୈତରଣୀ ନଦୀର ବାଲିପଦା, ଆଗିରିଆ, ଗିରିଗାଁ, ଆମ୍ବୋ ସୀମାରୁ ଲୁଟ ହେଉଛି ଟ୍ରିପ ଟ୍ରିପ ବାଲି। ହାତ ବାନ୍ଧି ବସିଛି ମାଇନିଙ୍ଗ ବିଭାଗ। ବୈତରଣୀ ନଦୀ ଗର୍ଭରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ମାଲେ ମାଲ ହେଉଛନ୍ତି ବାଲି ମାଫିଆ। କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧୀନରେ ଥିବା ଲିଜ ଖଣି ଗୁଡ଼ିକ ବନ୍ଦ ହୋଇଥିବା ବେଳେ ୩ଦିନ ହେଲା କିଛି ଲିଜଖଣିରୁ ବାଲି ଉତ୍ତୋଳନ ହେଉଛି।
କିନ୍ତୁ ବାଲିପଦା, ଆଗିରିଆ, ଗିରିଗାଁ ଆମ୍ବୋ ସୀମାରୁ ବେଆଇନ ଭାବେ ଶହ ଶହ ଟ୍ରାକ୍ଟର ରେ ବାଲି ଚୋରା ଚାଲାଣ ହେଉଛି। ଏପରିକି ଟ୍ରାକ୍ଟରରେ ବାଲି ଆଣି ନିକଟସ୍ଥ ସ୍ଥାନ ମାନଙ୍କରେ ଗଚ୍ଛିତ ରଖି ହାଇୱା ଯୋଗେ ବାହାରକୁ ଚାଲାଣ କରୁଛନ୍ତି। ହାଟଡିହିରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି ବାଲି ମାଫିଆଙ୍କ ଲିଙ୍କ। ସ୍ଥାନୀୟ ଲୋକମାନେ ବିରୋଧ କରିବାକୁ ଭୟ କରୁଛନ୍ତି।
ଆଗିରିଆରେ ଗୋଟିଏ ସାହିର ୧୦ପରିବାର ଏକାଠି ହୋଇ ପ୍ରତିଦିନ ଟ୍ରିପ ଟ୍ରିପ୍ ବାଲି ଚୋରା ଚାଲାଣ କରୁଛନ୍ତି। ପ୍ରତି ଟ୍ରାକ୍ଟର ପାଖରୁ ରୟଲଟି ନାମରେ ୪ଶହ ଟଙ୍କା ରଖା ଯାଉଛି। ସେହିପରି ବାଲିପଦା ଘାଟରୁ ଦୈନିକ ରାତିରେ ଶହ ଶହ ଟ୍ରାକ୍ଟର ବାଲି ଉତ୍ତୋଳନ କରାଯାଇ ବାହାରକୁ ଚାଲାଣ ହେଉଛି। ଗିରିଗାଁ, କରଗୋଳା ଓ ଆମ୍ବୋ ଘାଟରୁ ଦିନରାତି ବାଲି ବୁହା ଚାଲିଛି।
ପ୍ରତିଯୋଗିତା ଭିତ୍ତିରେ ବାଲି ଚାଲାଣ ହେଉଥିବାରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ଘଟୁଛି। ଖଣି ବିଭାଗର ଅଧିକାରୀ ମାନେ ଏଥିରେ ସଂପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ତହସିଲ ଅଧୀନରେ ଲଘୁ ଖଣିଜ ସମ୍ପଦ ଥିବା ବେଳେ ଲୋକେ ସହଜରେ ଏପରି ବାଲି ଉତ୍ତୋଳନ କରି ପାରୁ ନଥିଲେ। ମାତ୍ର ଏବେ ନା ଅଛି ତହସିଲ ଭୟ ନା ଅଛି ପୁଲିସ ଭୟ , ତେଣୁ କୌଣସି ଭୟ ନଥିବାରୁ ବାଲି ମାଫିଆ ମାନେ ଲଗାମଛଡ଼ା ହୋଇଯାଇଛନ୍ତି। ଏଣୁ ଜିଲ୍ଳା ପ୍ରଶାସନ ଏହା ଉପରେ ରୋକ ଲଗାଇବା ଜରୁରୀ ହୋଇପଡିଛି ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ ଦାବି କରିଛନ୍ତି।