ମହତ୍ତ୍ବାକାଂକ୍ଷା ହିଁ ମାନସିକ ଅବସାଦର କାରଣ
ଯୁବପିଢ଼ି ମଧ୍ୟରେ ଏବେ ମାନସିକ ଅସ୍ଥିରତା ତଥା ମାନସିକ ରୋଗ ଅଧିକ ଦେଖାଯାଉଛି। ଏହାର କାରଣ କ’ଣ?ଆଜିକାଲି ସବୁପ୍ରକାର ରୋଗ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ଦେଖାଗଲାଣି। ହୃଦ୍ରୋଗ, ମଧୁମେହ ପରି ବୟସାଧିକ୍ୟଜନିତ ରୋଗ ଏବେ କୈଶୋରରୁ ହିଁ ଦେଖାଗଲାଣି। ଏଭଳି ସମୟରେ ମାନସିକ ସ୍ବାସ୍ଥ୍ୟ ଠିକ୍ ରହିବ ବା କେମିତି? ମାନସିକ ସ୍ବାସ୍ଥ୍ୟ ବିଗିଡ଼ିବାର ମୁଖ୍ୟ କାରଣ ହେଉଛି ଚାପ ଓ ଜୀବନର ନିତିଦିନିଆ ଆହ୍ବାନ।
ନର୍ସରି ଶ୍ରେଣୀରୁ କୁନି ପିଲାଟିକୁ ପାଠପଢ଼ା ସହ ଏତେ ସଂଖ୍ୟାରେ ବିଭିନ୍ନ ପ୍ରତିଭା ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି ଯେ ସେ ସମ୍ପୂର୍ଣ୍ଣ ଚାପଗ୍ରସ୍ତ ହୋଇଯାଉଛି। ପୁଣି ଟିକେ ବଡ଼ ହେଉ ହେଉ ଡାକ୍ତର, ଇଞ୍ଜିନିଅର୍ ବା ପ୍ରାଶାସନିକ ଅଧିକାରୀ ହେବାର ଚାପ। ତା’ପରେ କର୍ମମୟ ଜୀବନର ଚାପ। ଏବେ ଯୁବପିଢ଼ି ଘାଣ୍ଟି ହୋଇପଡୁଛନ୍ତି, ଯାହାକି ସେମାନଙ୍କ ମାନସିକ ଅସ୍ଥିରତା ବଢ଼ାଉଛି।
ଏଥିପାଇଁ ଆମ ଶିକ୍ଷା ବ୍ୟବସ୍ଥା ଦାୟୀ ବୋଲି କୁହାଯାଇପାରିବ କି?
ଏବେ ଶିକ୍ଷା ବ୍ୟବସ୍ଥା ବୈଷୟିକ ତଥା ତଥ୍ୟଗତ ଜ୍ଞାନ ଉପରେ ଅଧିକ ଗୁରୁତ୍ବ ଦେଉଛି। ସ୍ବତନ୍ତ୍ର ବୃତ୍ତି ଲାଗି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଉଛି। ଫଳରେ ସେମାନେ ବୃତ୍ତିଗତ ଜୀବନରେ ସଫଳତା ପାଉଛନ୍ତି ସିନା ଜୀବନ ଜିଇଁବା ତଥା ଏହାକୁ ଉପଭୋଗ କରିବାର କୌଶଳ ଶିଖି ନପାରି ଅବସାଦର ଶିକାର ହେଉଛନ୍ତି। ଏଥିପାଇଁ ଆମ ଶିକ୍ଷା ବ୍ୟବସ୍ଥା ସହ ସମାଜ ଓ ବିଶେଷ କରି ଅଭିଭାବକମାନେ ମଧ୍ୟ ଦାୟୀ।
ଏବେ ଆତ୍ମହତ୍ୟା ପ୍ରବଣତା କାହିଁକି ବଢୁଛି?
ମହତ୍ତ୍ବାକାଂକ୍ଷା ଏବେ ଆମ ପାଇଁ କାଳ ହୋଇଛି। ଆମେ ପିଲାମାନଙ୍କ ଭିତରେ ମହତ୍ତ୍ବାକାଂକ୍ଷା ସୃଷ୍ଟି କରୁଛେ। ଫଳେର ସେମାନେ ଜୀବନର ମୂଲ୍ୟ ବୁଝିବା ପରିବର୍ତ୍ତେ ନିଜ ନିର୍ଦ୍ଧାରିତ ସ୍ବପ୍ନ, ଅଭିଳାଷ ଓ ଲକ୍ଷ୍ୟ ହାସଲ ପଛରେ ଅଣନିଶ୍ବାସୀ ହୋଇ ଧାଉଁଛନ୍ତି। ଏଥିରେ କିଛି ବ୍ୟତିକ୍ରମ ହେଲେ ସେମାନେ ଭାଙ୍ଗିପଡ଼ନ୍ତି। ଉତ୍କଣ୍ଠା ଓ ଅବସାଦ ଭଳି ମାନସିକ ସଂକଟର ଶିକାର ହେବା ସହ ବାସ୍ତବତାକୁ ସାମ୍ନା କରି ନ ପାରି ସେମାନେ ଆତ୍ମହତ୍ୟା କରନ୍ତି।
ଯୁବପିଢ଼ି ଏବେ ଭୁଲ ରାସ୍ତାରେ ଯାଉଛନ୍ତି କି? ଏଥିରୁ କେମିତି ରକ୍ଷା ପାଇବା?
ପୂର୍ବରୁ ପିଲାମାନେ ଖରାପ ହେବା ଲାଗି ବିଶେଷ ମାଧ୍ୟମ ନଥିଲା। ଏବେ ଟିଭି, ମୋବାଇଲ୍, ଇଣ୍ଟରନେଟ୍ଠାରୁ ଆରମ୍ଭ କରି ନିଶା ଓ ଡ୍ରଗ୍ସ ଅତି ସହଜରେ ଉପଲବ୍ଧ। ସେମାନେ ଠକାମି, ଚୋରି ବା କୁମନ୍ତ୍ରଣା ଆଦି ଖରାପ ଅଭ୍ୟାସ ବୋଲି ଜାଣିପାରୁନାହାନ୍ତି। ଏଣୁ ସମାଜ ଓ ଅଭିଭାବକ ପିଲାଙ୍କୁ ଏ ବାବଦରେ ବୁଝାଇବା ଆବଶ୍ୟକ। ପିଲାମାନଙ୍କ ଭିତରେ ଆତ୍ମ-ଦାୟିତ୍ବବୋଧ ସୃଷ୍ଟି କରିବା ହେଉଛି ଆଜିକା ସମୟର ସବୁଠାରୁ ବଡ଼ ଆହ୍ବାନ।
ଚଳଚ୍ଚିତ୍ର କାହାଣୀରେ ‘ଆଣ୍ଟିହିରୋ’ ଚରିତ୍ର ସମାଜ ଉପରେ କି ପ୍ରଭାବ ପକାଏ?
ସିନେମାରୁ ମଣିଷ ଶିେଖ। ଆଉ ଯୁବପିଢ଼ି ତ ହିରୋକୁ ଅନୁକରଣ କରନ୍ତି। ଏଣୁ ‘ଆଣ୍ଟିହିରୋ’ ଚରିତ୍ର ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଏ। ଖାଲି ସିନେମା କାହିଁକି, ଗଣମାଧ୍ୟମରେ ଏବେ ଅପରାଧ, ଦୁଷ୍କର୍ମ, ହତ୍ୟା ଆଦି ଖବରକୁ ପ୍ରାଥମିକତା ଦିଆଯାଉଛି। ଅବଶ୍ୟ ଏସବୁ ଅଘଟଣ ସମାଜ ଜାଣିବା ଉଚିତ, କିନ୍ତୁ ଜନମାନସକୁ ପ୍ରଭାବିତ କରିବା ଢଙ୍ଗରେ ନୁହେଁ। ଯୁବପିଢ଼ି ଖରାପ ଦେଖିଦେଖି ସମାଜରେ ଏମିତି ହିଁ ଚାଲେ ବୋଲି ଭାବି ଭୁଲ୍ ରାସ୍ତାରେ ଯାଉଛନ୍ତି।