ଓଡିଶା

ମହାନଗର ବିଜେଡିରେ ବଢ଼ୁଛି ଗୋଷ୍ଠୀ କନ୍ଦଳ: ସଫଳ ହେଉନି ଦଳୀୟ କାର୍ଯ୍ୟକ୍ରମ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ବିଜେଡିରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଧାରଣ ନିର୍ବାଚନ ପୂର୍ବରୁ ଏଠାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଲାଗିରହିଥିଲା। କ୍ଷମତାରୁ ଯିବା ପରେ ବି ଏହି ବିବାଦ ଥମୁନାହିଁ। ବିଗତ କିଛି ଦଳୀୟ କାର୍ଯ୍ୟକ୍ରମକୁ ଦେଖିଲେ ଏକଥା ଜଳ ଜଳ ହୋଇ ଦେଖାଯାଉଛି। ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ଆସନରୁ ଦଳୀୟ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପୂର୍ବତନ ବିଧାୟକ ତଥା ଗୋପାଳପୁର ଆସନରୁ ପ୍ରାର୍ଥୀ ହୋଇଥିବା ବିକ୍ରମ ପଣ୍ଡାଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି।

ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା ବିଧାୟକ ଥିବା ସମୟରେ ପୌର ନିର୍ବାଚନ ହୋଇଥିଲା। ତାଙ୍କ ନେତୃତ୍ବରେ ଦଳ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ଲଢ଼ିବା ସହ ସଂଖ୍ୟାଧିକ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ। ବିଜୟୀ ହୋଇଥିବା ଅଧିକାଂଶ କର୍ପୋରେଟର୍ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କ ପ୍ରତି ଆନୁଗତ୍ୟ ରହିଛି। ଗତ ନିର୍ବାଚନରେ ଶ୍ରୀ ପଣ୍ଡାଙ୍କୁ ଗୋପାଳପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରାଯାଇଥିବା ବେଳେ ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକଙ୍କୁ ବ୍ରହ୍ମପୁରରୁ ପ୍ରାର୍ଥୀ କରାଯାଇଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ବିବାଦ ଶେଷରେ ରାଜ୍ୟ ନେତୃତ୍ବଙ୍କ ନିକଟରେ ପହଞ୍ଚିଥିଲା। ଏହି ବିବାଦର ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ପଡ଼ିଥିଲା। ଦଳ ଶାସନ କ୍ଷମତା ହାତରୁ ଯିବା ପରେ ମହାନଗର ବିଜେଡିର ଅଡ଼ୁଆ ବଢ଼ିବାରେ ଲାଗିଛି। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଏବେ ବି ଲାଗିରହିଛି। ଦଳ ପକ୍ଷରୁ ଆୟୋଜିତ ପଦଯାତ୍ରା ବେଳେ ଗୋଷ୍ଠୀ କନ୍ଦଳର ପ୍ରଭାବ ଦେଖିବାକୁ ମିଳିଥିଲା। ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକ ଦଳୀୟ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଉଦ୍ୟମ କରିଥିଲେ। ବିପକ୍ଷ ଗୋଷ୍ଠୀ ଏହା ଯେଭଳି ସଫଳ ନହେବ ସେନେଇ ଯୋଜନା କରୁଥିବା ସୂଚନା ମିଳୁଛି। ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକଙ୍କ ନେତୃତ୍ବକୁ ଉପର ଠଉରିଆ ଭାବେ ସମର୍ଥନ ଜଣାଇ ନିଜର କାଟ୍ତି ବଜାୟ ରଖିବା ପାଇଁ ଅପରଗୋଷ୍ଠୀ ଉଦ୍ୟମ ଜାରି ରଖିବା ଫଳରେ ଏହା ସଂଗଠନ ଉପରେ ପ୍ରଭାବ ପକାଉଥିବା ଦଳୀୟ ମହଲରେ ଆଲୋଚନା ହେଉଛି।

ଗତ ଦିନରେ ଜିଲ୍ଲାସ୍ତରୀୟ ସଦସ୍ୟ ଅଭିଯାନ କାର୍ଯ୍ୟକ୍ରମ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କ ତତ୍ତ୍ବାବଧାନରେ ହୋଇଥିବା ଯୋଗୁଁ ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକଙ୍କ ସମର୍ଥକମାନେ ଏଥିରେ ଯୋଗ ଦେଇନଥିଲେ। ଗତ ୧୭ ତାରିଖ ଦିନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସରେ ଆୟୋଜିତ ବହୁ ସାମାଜିକ କାର୍ଯ୍ୟକ୍ରମ ଗୁଡିକ ପୂର୍ବତନ ବିଧାୟକ ଶ୍ରୀପଣ୍ତାଙ୍କ ନେତୃତ୍ବରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧୢ ଚ୍ୟାଉବାବୁଙ୍କ ଗୋଷ୍ଠୀ ଦୂରେଇ ରହିଥିଲେ। ଗତକାଲି ପୂର୍ବତନ ବିଧାୟକ ଡା. ଚ୍ୟାଉପଟ୍ଟନାୟକ ଦଳର ଦ୍ବିତୀୟ ପର୍ଯ୍ୟାୟ ପତ୍ରାଦଯା ନେଇ ଏକ ପ୍ରସ୍ତୁତି ବୈଠକ କରିଥିଲେ। ଏହି ବୈଠକରେ ପୂର୍ବତନ ବିଧାୟକ ଶ୍ରୀପଣ୍ତାଙ୍କ ସମେତ ତାଙ୍କ ସମର୍ଥିତ ପ୍ରାୟ ୨୫ରୁ ଊର୍ଦ୍ଧ୍ବ କର୍ପୋରେଟର ଅନୁପସ୍ଥିତ ଥିଲେ। ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକ ଦଳୀୟ କର୍ମକର୍ତ୍ତା ଓ ତାଙ୍କ ସମର୍ଥିତ କିଛି କର୍ପୋରେଟରଙ୍କୁ ନେଇ ବୈଠକ କରିଥିଲେ।

ରାଜ୍ୟ ନେତୃତ୍ବ ଏଥିପ୍ରତି ଦୃଷ୍ଟି ଦେଇ ସମାଧାନ ନକରିଲେ ଆଗାମୀ ଦିନରେ ଏହାର ପ୍ରଭାବ ସଂଗଠନ ଉପରେ ପଡ଼ିବ ବୋଲି ରାଜନୈତକି ମହଲରେ ଆଲୋଚନା ହେଉଛି। ଏ ସଂପର୍କରେ ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକଙ୍କ ସହ ଯୋଗାଯୋଗ କରାଯିବାରେ ଦଳରେ ସେଭଳି କିଛି ଗୋଷ୍ଠୀ କନ୍ଦଳ ନାହିଁ ବୋଲି କହିଛନ୍ତି। ଗତକାଲିର ବୈଠକରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା ଅନୁପସ୍ଥିତ ରହିବେ ବୋଲି କହିଥିଲେ। ତେବେ କିଛି କର୍ପୋରେଟର୍ ଯୋଗ ଦେଇନଥିବା କଥାକୁ ସେ ସ୍ବୀକାର କରିଛନ୍ତି। କେବଳ ଗତକାଲିର ବୈଠକ ନୁହେଁ, ବିଭିନ୍ନ ସମୟରେ ବୈଠକ ବେଳେ କିଛି କିଛି କର୍ପୋରେଟର୍ ଅନୁପସ୍ଥିତ ରହୁଥିବା ସେ କହିଛନ୍ତି। ବିଗତ ଦିନରେ ଦଳର ସାଂଗଠନିକ କାର୍ଯ୍ୟକ୍ରମରେ ଆମେ ମିଳିତ ଭାବେ କାର୍ଯ୍ୟ କରିଛୁ ଏବଂ ଏଥିରେ ସମସ୍ତେ ସାମିଲ ରହିଥିଲେ ବୋଲି ଡା. ଚ୍ୟାଉପଟ୍ଟନାୟକ କହିଛନ୍ତି।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button