ଦେଶ ବିଦେଶ

ସୋନିଆଙ୍କ ମିଶନ ୨୦୧୯: ନୈଶଭୋଜିରେ ମେଣ୍ଟ ନେତା ଏକାଠି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଆଉ ବେଶି ଦୂରରେ ନାହିଁ । ରାଜନୀତି ପାଣିପାଗର ଠିକଠିକଣା ନାହିଁ । ତେଣୁ ମଉକା ଦେଖି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ମଙ୍ଗଳବାର ନୈଶଭୋଜିର ଆସରକୁ ଉପା ମେଣ୍ଟର ବରିଷ୍ଠ ନେତାଙ୍କୁ ଆମନ୍ତ୍ରଣ କରି ରଣନୀତି ପାଇଁ ବାଟ ଖୋଲିଛନ୍ତି । ନୈଶଭୋଜିରେ ଏନସିପି ନେତା ଶରଦ ପାୱାର, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ବିଏସପି ନେତା ସତିଶ ମିଶ୍ର, ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ନେତା ବାବୁଲାଲ ମାରାଣ୍ଡି, ଡିଏମକେ ନେତ୍ରୀ କାନିମୋଝି, ରାଷ୍ଟ୍ରୀୟ ଲୋକଦଳ ନେତା ଅଜିତ ସିଂହ, ଏଆଇୟୁଡିଏଫ ନେତା ବଦ୍ରୁଦ୍ଦିନ ଆଜମଲ, ଆରଜେଡିର ତେଜସ୍ୱିନୀ ଯାଦବ, ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚାର ନେତା ଜିତନ ରାମ ମାଞ୍ଝି ଓ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଦେଖିବାକୁ ମିଳିଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମନମୋହନ ସିଂହ, ଗୁଲାମ ନବୀ ଆଜାଦ ଓ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଭଳି ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ନୈଶଭୋଜିକୁ ସ୍ୱାଗତ କରି କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଆମନ୍ତ୍ରିତ ଅତିଥିଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ବିରୋଧୀ ଦଳ ସୋନିଆଙ୍କ ଭୋଜିକୁ ରାଜନୀତି ଦୃଷ୍ଟିକୋଣରୁ ବିଚାର କରନ୍ତୁନି । ଦଳ ଦଳ ଭିତରେ ବନ୍ଧୁତ୍ୱ ଅତୁଟ ରଖିବା ପାଇଁ ଏହା ଏକ ଛୋଟିଆ ଉଦ୍ୟମ ମାତ୍ର ।

ମାଞ୍ଝି ଏନଡିଏ ଛାଡ଼ି ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ ସହ ହାତ ମିଳାଇଛନ୍ତି । ସୋନିଆ ଡିଏମକେ କାର୍ଯ୍ୟକାରୀ ସଭାପତି ଏମକେ ଷ୍ଟାଲିନଙ୍କୁ ଆମନ୍ତ୍ରଣ କରିଥିଲେ । ତେବେ ମାର୍ଚ୍ଚ ୧୫ରୁ ତାମିଲନାଡ଼ୁ ନିର୍ବାଚନ ଆରମ୍ଭ ହେଉଥିବାରୁ ଷ୍ଟାଲିନଙ୍କ ପରିବର୍ତ୍ତେ କାନିମୋଝି ନୈଶଭୋଜିରେ ଯୋଗ ଦେଇଛନ୍ତି । ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ପ୍ରସାଦ ଯାଦବ ଏବେ ରାଞ୍ଚି ଜେଲରେ ଅଛନ୍ତି ।

ଦଳ ଦଳ ମଧ୍ୟରେ ଥିବା ଛୋଟଛୋଟ ମନାନ୍ତରକୁ ପଛକୁ ପକାଇ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ଏକ ହୋଇ ଆସନ୍ତା ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବାକୁ ସୋନିଆ ଆହ୍ୱାନ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button