ଦେଶ ବିଦେଶ

ୟେମେନରେ ହୁତି ବିଦ୍ରୋହୀଙ୍କ ଠିକଣାକୁ ଟାର୍ଗେଟ କଲା ଆମେରିକାର B-2 ନ୍ୟୁକ୍ଲିୟର ଷ୍ଟିଲଥ୍ ବମ୍ବର, ଅସ୍ତ୍ର ଡିପୋ ଧ୍ୱଂସ୍ତ

ନୂଆଦିଲ୍ଲୀ ୧୭।୧୦: ଦୀର୍ଘ ବର୍ଷ ପରେ ଆମେରିକା ତାର ନ୍ୟୁକ୍ଲିୟର ଷ୍ଟିଲଥ୍ ବମ୍ବର ବି-ଟୁ ସ୍ପିରିଟକୁ ଉପଯୋଗ କରିଛି। ଏହା ଆମେରିକାର ସବୁଠୁ ମହଙ୍ଗା ଅସ୍ତ୍ର ମଧ୍ୟ। ୟେମେନରେ ଥିବା ହୁତି ବିଦ୍ରୋହୀଙ୍କ ଅସ୍ତ୍ରାଗାରକୁ ବୋମା ବର୍ଷା କରି ଧ୍ୱଂସ କରିଦେଇଛି। ହୁତି ବିଦ୍ରୋହୀଙ୍କ ଅସ୍ତ୍ରାଗାର ଅତ୍ୟନ୍ତ ସୁରକ୍ଷିତ ଭାବେ ମାଟି ତଳେ କଂକ୍ରିଟରେ ନିର୍ମାଣ କରାଯାଇଥିଲା।

ଏହି କଂକ୍ରିଟ ବଙ୍କରଗୁଡିକ ବି-ଟୁ ସ୍ପିରିଟ ବୋମା ମାଡ଼ କରି ଧ୍ୱଂସ କରିଦେଇଛି।

ଏହି ଅସ୍ତ୍ରଶସ୍ତ୍ର ବଳରେ ହୁତି ବିଦ୍ରୋହୀ ଲୋହିତ ସାଗର, ବାବ ଅଲ-ମାନଦେବ ଉପସାଗର ଓ ଏଡେନ ଉପସାଗରରେ ଅନ୍ତର୍ଜାତୀୟ ଜାହାଜଙ୍କୁ କ୍ଷେପଣାସ୍ତ୍ର, ରକେଟ ଓ ଡ୍ରୋନରେ ଟାର୍ଗେଟ କରୁଥିଲେ। ଏଣୁ ଆମେରିକାର ଏହି ଆକ୍ରମଣ ଅନ୍ତର୍ଜାତୀୟ ସମୁଦ୍ର ମାର୍ଗକୁ ସୁରକ୍ଷିତ କରିବା ପାଇଁ ବୋଲି ଜଣାପଡିଛି। ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିଛି। ଇସ୍ରାଏଲ ଏକ ସଙ୍ଗରେ ଅନେକ ସାମୁଖ୍ୟରେ ଯୁଦ୍ଧ ଲଢୁଛି। ହମାସ, ହିଜବୁଲ, ଇରାନ ଓ ହୁତିଙ୍କ ବିରୋଧରେ ଇସ୍ରାଏଲ ଲଢୁଥିବା ବେଳେ ହୁତିଙ୍କ ବିରୋଧରେ ଆମେରିକାର ପଦକ୍ଷେପ ଇସ୍ରାଏଲକୁ ଆସ୍ୱସ୍ତ କରିଛି।

ଆମେରିକା ନିକଟରେ ନିଜର ସବୁଠୁ ଘାତକ ନ୍ୟୁକ୍ଲିୟର ଷ୍ଟିଲଥ୍ ବମ୍ବରକୁ ହୀନ୍ଦ ମହାସାଗରରେ ଥିବା ଗୁପ୍ତ ମିଲେଟ୍ରି ବେସ୍ ଡିଏଗୋ ଗାର୍ସିୟାରେ ମୁତୟନ କରିଥିଲା। ଏହି ଦ୍ୱିପରୁ ଇସ୍ରାଏଲର ଦୂରତା ୫୮୪୨ କିଲୋମିଟର ହୋଇଥିବା ବେଳେ ଇରାନର ଦୂରତା ୪୮୪୨ କିଲୋମିଟର। ଏହି ବୋମାବର୍ଷକ ଚାହିଁଲେ ଉଭୟ ସ୍ଥାନକୁ ପହଞ୍ଚି ଯୁଦ୍ଧର ମୋଡ ବଦଳାଇ ଦେଇପାରେ। ଏଥିରେ ଡିୟେଗୋ ଗାର୍ସିୟାରୁ ୟେମେନର ଦୂରତା ୩୬୫୯ କିଲୋମିଟର ହୋଇଥିବା ବେଳେ ମାତ୍ର ୩ ଘଣ୍ଟାରେ ବି-ଟୁ ସ୍ପିରିଟ୍ ସେଠାରେ ପହଞ୍ଚି ପ୍ରଳୟ ରଚିଛି।

ଏହି ବୋମାବର୍ଷକର ରେଞ୍ଜ ୧୧ ହଜାର କିଲୋମିଟର। ବି-ଟୁ ନ୍ୟୁକ୍ଲିୟର ଷ୍ଟିଲଥ ବମ୍ବରକୁ ୨ ଜଣ ଉଡାନ୍ତି। ଏଥିରୁ ଜଣେ ପାଇଲଟ ହୋଇଥିବା ବେଳେ ଅନ୍ୟ ଜଣକ ମିସନ କମାଣ୍ଡର। ୬୯ ଫୁଟ ଲମ୍ବ ଏହି ବମ୍ବରର ଡେଣାର ଚୌଡା ୧୭୨ ଫୁଟ। ୧୭ ଫୁଟ ଉଚ୍ଚର ଏହି ଯୁଦ୍ଧ ବିମାନର ଖାଲି ଓଜନ ୭୧,୭୦୦ କେଜି। ପୁରା ଅସ୍ତ୍ରଶସ୍ତ୍ର ସହିତ ଏହାର ଓଜନ ୧.୭୦ ଲକ୍ଷ କେଜି ହୋଇଥାଏ। ଏହାର ଅଧିକତମ ଘଣ୍ଟାପ୍ରତି ବେଗ ୧୦୧୦ କିଲୋମିଟର ତେବେ ଏହା ସାଧାରଣତଃ ଘଣ୍ଟା ପ୍ରତି ୯୦୦ କିମି ବେଗରେ ଉଡିଥାଏ ଓ ଆକାଶରେ ୫୦ ହଜାର ଫୁଟ ଉଚ୍ଚତାକୁ ଉଠି ପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button