ଓଡିଶା

ହେମାନନ୍ଦଙ୍କ ଦୁଇଝିଅ ମଇଦାନରୁ ଉଭାନ – bajravana

[ad_1]

ସୁନ୍ଦରଗଡ଼: ଚଳିତ ନିର୍ବାଚନ ମଇଦାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ଦୁଇଝିଅ ସୁନିତା ଓ ଅମିତାଙ୍କୁ ଦେଖିବାକୁ ମିଳୁନାହିଁ। ନିର୍ବାଚନରେ ଦଳ ସୁଯୋଗ ଦେଇ ନଥିବାରୁ ଦୁହେଁ ଦଳୀୟ ପ୍ରଚାରରୁ ଦୂରେଇ ରହିଥିବା ଚର୍ଚ୍ଚା ହେଉଛି। ୨୦୧୯ରେ ରାଜନୀତିକୁ ପ୍ରବେଶ କରିଥିବା ହେମାନନ୍ଦଙ୍କ ସାନଝିଅ ଅମିତା ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ। ଏହାପରେ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଥିବାରୁ ତାଙ୍କୁ କଂଗ୍ରେସ ଗୁରୁତ୍ବ ଦେଇ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା, ନିର୍ବାଚନ କମିଟିର ସଦସ୍ୟା ଓ ସର୍ବଭାରତୀୟ ଆଦିବାସୀ ସେଲ୍‌ର ଯୁଗ୍ମ ସମ୍ପାଦିକା ଦାୟିତ୍ବ ଦେଇଥିଲା। ଚଳିତ ନିର୍ବାଚନରେ ସେ ତଳସରା ଆସନ ଉପରେ ନଜର ପକାଇଥିଲେ। ଭୂୟାଁ ଆଦିବାସୀ ପ୍ରତିନିଧିଙ୍କ ଆଧିପତ୍ୟ ଥିବା ଏହି କ୍ଷେତ୍ରରେ ସେହି ସମ୍ପ୍ରଦାୟର ଜଣକୁ ପ୍ରାର୍ଥୀ କରି କଂଗ୍ରେସ ନିଜ ଗଡ଼ ଫେରି ପାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଥିଲା। ତେଣୁ ଅମିତା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ଓ ଭୂୟାଁ ସମ୍ପ୍ରଦାୟର ପରିଚୟ ନେଇ ସେଠାରେ ପ୍ରାର୍ଥୀ ହେବାକୁ ଲବି ଚଳାଇଥିଲେ।

ଏପରିକି ବର୍ଷେରୁ ଅଧିକ ସମୟ ହେଲା ତଳସରା ଅଞ୍ଚଳରେ ଡେରା ପକାଇଥିଲେ। ହେଲେ, ଦଳ ଭାରତୀୟ ହକିର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଅମିତା ନିରାଶ ହୋଇଥିଲେ। ଅବଶ୍ୟ ଆଜି ଘୋଷିତ କଂଗ୍ରେସ ତାଲିକାରେ ପ୍ରବୋଧଙ୍କ ବଦଳରେ ଦେବେନ୍ଦ୍ର ଭିତରିଆଙ୍କୁ ପ୍ରାର୍ଥୀ କରାଯାଇଛି। ତଳସରା ଓ ସୁନ୍ଦରଗଡ଼ ବିଧାନସଭା ‌କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଜୋର୍ ଧରିଥିବାବେଳେ ଅମିତା ଏଥିରୁ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି। ସେହିପରି ୨୦୧୯ରେ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ହେମାନନ୍ଦଙ୍କ ବଡ଼ଝିଅ ସୁନିତା ବିଶ୍ବାଳ। କଂଗ୍ରେସରୁ ରାଜନୀତିକୁ ପ୍ରବେଶ କରିଥିବା ସୁନିତା ୨୦୧୯ ନିର୍ବାଚନ ପୂର୍ବରୁ ହଠାତ୍‌ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଦଳ ତାଙ୍କୁ ବିଜେପିର ବରିଷ୍ଠ ଆଦିବାସୀ ନେତା ଜୁଏଲ ଓରାମଙ୍କ ବିପକ୍ଷରେ ଛିଡ଼ା କରିଥିଲା। ସେ ନିର୍ବାଚନରେ ଜୁଏଲ ରେକର୍ଡ ସଂଖ୍ୟକ ୫,୦୦,୦୫୬ ଭୋଟ୍‌ରେ ବିଜୟୀ ହୋଇଥିଲେ। ସୁନିତାଙ୍କୁ ୨,୭୬,୯୯୧ ଭୋଟ୍‌ ମିଳିଥିଲା। ପରାଜୟ ସତ୍ତ୍ବେ ସୁନିତା ବିଜେଡିରେ ସକ୍ରିୟ ଥିଲେ। ପୁଣିଥରେ ସେ ପ୍ରାର୍ଥୀ ହେବାର ଆଶା ରଖିଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ, ଚଳିତ ନିର୍ବାଚନରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କିଙ୍କ ନାମ ଆଗରେ ଥିବା ଜଣାପଡ଼ିବା ପରେ ସୁନିତା ନିଜେ ଦୌଡ଼ରୁ ଓହରି ଯାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button