ଦେଶ ବିଦେଶ

ଅନ୍ତଃସତ୍ତ୍ବା ଭାରତୀୟ ମହିଳାଙ୍କ ମୃତ୍ୟୁ ଯୋଗୁଁ ଇସ୍ତଫା ଦେଲେ ପର୍ତ୍ତୁଗାଲ୍‌ ସ୍ବାସ୍ଥ୍ୟମନ୍ତ୍ରୀ

ଲିସ୍‌ବନ୍‌: ଲିସ୍‌ବନ୍‌ରେ ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତରଣ ହେଉଥିବା ବେଳେ ଜଣେ ଅନ୍ତଃସତ୍ତ୍ବା ଭାରତୀୟ ପର୍ଯ୍ୟଟିକାଙ୍କର ମୃତ୍ୟୁ ଘଟିବାର କିଛି ସମୟ ପରେ ପର୍ତ୍ତୁଗାଲ୍‌ର ସ୍ବାସ୍ଥ୍ୟମନ୍ତ୍ରୀ ମର୍ତା ତେମିଦୋ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ‘ରଏଟର୍ସ’ ରିପୋର୍ଟ କରିଛି।

‘ରଏଟର୍ସ’ ରିପୋର୍ଟ ଅନୁସାରେ, ଲିସ୍‌ବନ୍‌ର ମୁଖ୍ୟ ଡାକ୍ତରଖାନା ସାଣ୍ଟିଆ ମାରିଆରେ ‘ନିଓନାଟାଲୋଜି ୟୁନିଟ୍‌’ ପୂର୍ଣ୍ଣ ହୋଇଯାଇଥିବାରୁ ୨୪ ବର୍ଷୀୟ ଅନ୍ତଃସତ୍ତ୍ବା ଭାରତୀୟ ପର୍ଯ୍ୟଟିକାଙ୍କୁ ଆମ୍ବୁଲାନ୍‌ସ୍‌ ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ତୁରନ୍ତ ଜରୁରୀକାଳୀନ ‘ସିଜରିୟାନ୍‌’ କରାଯାଇ ତାଙ୍କ ଗର୍ଭରେ ଥିବା ପିଲାଟିକୁ ଜନ୍ମ କରାଯାଇଛି ଏବଂ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

କୋଭିଡ୍‌-୧୯ ମହାମାରୀ ସମୟରେ ଦେଶରେ ଟିକାକରଣ ଅଭିଯାନର ସଫଳ ପରିଚାଳନା କରିଥିବା ମାର୍ତା ତେମିଦୋ ଡାକ୍ତରଙ୍କ ଅଭ‌ାବ ଯୋଗୁଁ ଜରୁରୀକାଳୀନ ପ୍ରସୂତୀ ସେବା ସାମୟିକ ଭାବେ ସ୍ଥଗିତ ରଖିଥିବା ପାଇଁ ନିଷ୍ପତ୍ତି ନେଇଥିବା କାରଣରୁ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିଲେ।

ଡାକ୍ତର ତେମିଦୋଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ କୋଭିଡ୍‌-୧୯ ସମୟର ଭଲ କାମ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିବା କଥା ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା କହିଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ସଂସ୍କାର ଅଣାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କୋଷ୍ଟା ପ୍ରତିଶ୍ରୁତି ଦେଇଛନ୍ତି।

ପର୍ତ୍ତୁଗାଲ୍‌ ନିଉଜ୍‌ ଏଜେନ୍‌ସି ‘ଲୁସା’ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ କୋଷ୍ଟା ଆହୁରି ମଧ୍ୟ କହିଛନ୍ତି ଯେ, ତେମିଦୋଙ୍କ ଇସ୍ତଫା ଦେବା ପାଇଁ ପଥ ପରିଷ୍କାର କରିଥିବା ଉକ୍ତ ମହିଳାଙ୍କ ମୃତ୍ୟୁ ଥିଲା ସ୍ବାସ୍ଥ୍ୟ କ୍ଷେତ୍ରରେ ଶେଷ ଅଘଟଣ। ଅଳ୍ପ କିଛି ମାସ ହେବ ପର୍ତ୍ତୁଗାଲ୍‌ରେ ଏଭଳି କିଛି ଅଘଟଣ ଘଟିଛି। ଅନ୍ତଃସତ୍ତ୍ବା ମହିଳାମାନଙ୍କୁ ଗୋଟିଏ ଡାକ୍ତରଖାନାରୁ ଆମ୍ବୁଲାନ୍‌ସ୍‌ ଯୋଗେ ଆଉ ଗୋଟିଏ ଡାକ୍ତରଖାନାକୁ ନେବାରେ ଦୀର୍ଘ ସମୟ ବିଳମ୍ବ ହେବାରୁ ୨ଜଣ ଶିଶୁ ପ୍ରାଣ ହରାଇଥିଲେ।

ଆଉ ପଦବୀରେ ରହିବାର ଅବସ୍ଥା ନାହିଁ ବୋଲି ଡାକ୍ତର ମାର୍ତା ତେମିଦୋ ହୃଦୟଙ୍ଗମ କରିପାରିଥିବା କଥା ପର୍ତ୍ତୁଗାଲ୍‌ ସରକାର କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button