ଓଡିଶା

ବଢ଼ିଲାଣି କୃଷି ଶ୍ରମିକ ସଙ୍କଟ: ଚାଷକୁ ବିପଦ – bajravana

[ad_1]

ଭୁବନେଶ୍ବର: ଓଡ଼ିଶାରେ ଧାନ ରୁଆ, ବଛାରେ ନିୟୋଜିତ ହେଉଛନ୍ତି ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରମିକ। କେବଳ ଏଇ ଗୋଟିଏ ରାଜ୍ୟ ନୁହେଁ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ର ଶ୍ରମିକ ବି ଓଡ଼ିଶାର ଚାଷ କାର୍ଯ୍ୟ କରୁଥିବା ପରିଲକ୍ଷିତ ହୋଇଛି। ହଠାତ୍, ଏମିତି କ’ଣ ହେଲା ଯେ ଓଡ଼ିଶାରେ କୃଷି ଶ୍ରମିକ ସଙ୍କଟ ସୃଷ୍ଟି ହେଲା? ଏଭଳି ଗୋଟିଏ ପ୍ରସଙ୍ଗ କୃଷି ବିଶେଷଜ୍ଞମାନଙ୍କୁ ଆନ୍ଦୋଳିତ କଲାଣି। ପ୍ରାରମ୍ଭିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ କୃଷି ଶ୍ରମିକଙ୍କ ପାଇଁ କୃଷି କ୍ଷେତ୍ରରେ ବର୍ଷକୁ ମାତ୍ର ୩ ମାସର ରୋଜଗାର ରହୁଛି। ଜାତୀୟ ନମୁନା ସର୍ଭେକ୍ଷଣ(୨୦୧୭-୧୮) ଅନୁଯାୟୀ, ଦେଶରେ ଓଡ଼ିଶାର କୃଷି ଶ୍ରମିକଙ୍କ ମଜୁରୀ ସର୍ବନିମ୍ନ ଅର୍ଥାତ ଦୈନିକ ମାତ୍ର ୨୦୨ ଟଙ୍କା ଅଟେ। ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ ପୂର୍ବରୁ ଯେଉଁ ଶ୍ରମିକମାନେ ଆଡ଼ି ପ୍ରସ୍ତୁତି, ପହ୍ଲା ପକାଇବା, ରୁଆ, ଲଟା କାଟିବା, ବାଛିବା, ଧାନ କାଟିବା ଭଳି ଚାଷର ଅଧା କାର୍ଯ୍ୟ କରି ଦେଉଥିଲେ ସେମାନେ ବର୍ତ୍ତମାନ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ସୁରତ, କେରଳରେ ପ୍ରବାସୀ ଶ୍ରମିକ ସାଜିଛନ୍ତି। ଓଡ଼ିଆ ଚାଷୀଙ୍କ ଶ୍ରମିକ ସଙ୍କଟ ଯୋଗୁଁ କିଛି ଚାଷ ଜମି ପଡ଼ିଆ ପଡ଼ୁଛି।

୨୦୧୧ ଜନଗଣନା ସମୟରେ ରାଜ୍ୟରେ ସମୁଦାୟ ୬୭ ଲକ୍ଷ ୩୯ ହଜାର ୯୯୩ କୃଷି ଶ୍ରମିକ ଥିଲେ। ଏମାନଙ୍କ ମଧ୍ୟରେ କ୍ଷୁଦ୍ର କୃଷି ଶ୍ରମିକଙ୍କ ସଂଖ୍ୟା ୪୩ ଲକ୍ଷ ୧୯ ହଜାର ୫୪୨ ଅଟେ। ଓୟୁଏଟି କୃଷି ବିଶେଷଜ୍ଞଙ୍କ ହିସାବ ଅନୁସାରେ, ଆଜି ଚାଷ ଏତେ ଖର୍ଚ୍ଚ ବହୁଳ ହେବାର ପ୍ରମୁଖ କାରଣ ମଧ୍ୟରେ ଅନ୍ୟତମ ଅଟେ ଶ୍ରମିକଙ୍କ ଅଭାବ। ସାମାଜିକ ଏବଂ ଆର୍ଥିକ ଭାବରେ କୃଷି ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ ଏବଂ ଦଳିତ, ଆଦିବାସୀ ବର୍ଗର ଅଟନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କୃଷି ଶ୍ରମିକଙ୍କୁ ରାଜ୍ୟ କୃଷି କିମ୍ବା ଶ୍ରମ ବିଭାଗ କେହି ମଧ୍ୟ ନିଜର ବୋଲି କହୁ ନାହାନ୍ତି। ଫଳରେ ଉଭୟ ବିଭାଗ ପକ୍ଷରୁ ଏହି ବିରାଟ ସଂଖ୍ୟାକୁ ନେଇ କୌଣସି ଯୋଜନା ନାହିଁ। ଚାଷୀ ନେତା ସରୋଜଙ୍କ କହିବା ଅନୁସାରେ, ପୁରୁଣା କୃଷି ବ୍ୟବସ୍ଥାରେ କୃଷି ଶ୍ରମିକମାନେ ବଡ଼ ଚାଷୀଙ୍କ ଘରେ ଏକପ୍ରକାର କ୍ରୀତଦାସ ଭଳି ଥିଲେ। ଆବଶ୍ୟକ ସମୟରେ କିଛି ଟଙ୍କାର ଋଣ ଦେଇ ବଂଶାନୁକ୍ରମରେ ଦାସ ଭଳି କାର୍ଯ୍ୟ କରୁଥିଲେ। ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ପୂର୍ବରୁ ଦାରିଦ୍ର୍ୟ ଏଭଳି ଥିଲା ଯେ କିଛି ଖାଦ୍ୟ ଏବଂ ନାମମାତ୍ର ମଜୁରୀରେ ସେମାନେ ହାଡ଼ ଭଙ୍ଗା ପରିଶ୍ରମ କରୁଥିଲେ। ଖାଦ୍ୟ ସୁରକ୍ଷା ଯୋଜନା, ମନରେଗା ସହିତ କାରଖାନା ଏବଂ ରାଜ୍ୟ ବାହାରେ ବର୍ଷ ତମାମ ଅଧିକ ପ୍ରାପ୍ୟ ସହିତ ରୋଜଗାର ବ୍ୟବସ୍ଥା ସୃଷ୍ଟି ପରେ ନୂଆ ପିଢ଼ି କୃଷି ଶ୍ରମିକ ହେବାକୁ ଚାହୁଁ ନାହାନ୍ତି।

୩ ମାସର ରୋଜଗାର, ସ୍ବଳ୍ପ ମଜୁରି ଯୋଗୁଁ ରାଜ୍ୟ ଛାଡ଼ୁଛନ୍ତି
ଛତିଶଗଡ଼, ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ଓଡ଼ିଶା ଚାଷୀ
ସରକାରଙ୍କ ନିଘା ନାହିଁ, କୃଷି ଶ୍ରମିକଙ୍କୁ କେହି ଆପଣାଉନାହାନ୍ତି

ଏଣେ ଚାଷ ବ୍ୟୟ ବହୁଳ ହେବା ସହିତ ଅଭାବୀ ବିକ୍ରି ସମସ୍ୟା ଯୋଗୁଁ ଛୋଟ ଏବଂ ନାମମାତ୍ର ଚାଷୀ ଚାହିଁଲେ ମଧ୍ୟ ଅଧିକ ପ୍ରାପ୍ୟ ଦେଇ କୃଷି ଶ୍ରମିକଙ୍କୁ ଆକର୍ଷିତ କରିପାରୁ ନାହାନ୍ତି। ଏସବୁ କାରଣରୁ ଚାଷ ବିଳମ୍ବିତ ହେଉଛି ଏବଂ ଅନେକ କ୍ଷେତ୍ରରେ ଚାଷୀ ଚାଷ ଛାଡ଼ିବା ପଛର ଏହା ଏକ କାରଣ।
ସମ୍ବଲପୁର ଚାଷୀ ଅଶୋକ ପ୍ରଧାନଙ୍କ କହିବା କଥା, ଗାଁରେ କୃଷି ଶ୍ରମିକ ମିଳୁନଥିବାରୁ ପଶ୍ଚିମ ଓଡ଼ିଶାର ଅଧିକାଂଶ ଚାଷୀ ଛତିଶଗଡ଼ର ଠିକା କୃଷି ଶ୍ରମିକଙ୍କ ଉପରେ ନିର୍ଭରଶୀଳ। ପ୍ରତ୍ୟେକ ଚାଷୀଙ୍କୁ ଅନ୍ୟୂନ ୧୨ରୁ୧୫ ଶ୍ରମିକଙ୍କ ଆବଶ୍ୟକତା ହୁଏ। ଧାନ କାଟିବା ସମୟରେ ଛତିଶଗଡ଼ ଶ୍ରମିକ ଦଳଙ୍କୁ ଯୋଗାଯୋଗ କରାଯାଏ। ୫୦ ଜଣ ଶ୍ରମିକ ସ୍ବଳ୍ପ ସମୟରେ ଏକାଧିକ ଚାଷୀଙ୍କ ସହିତ କାର୍ଯ୍ୟ କରି ଫେରି ଯାଆନ୍ତି। ଶ୍ରମିକ ଦଳଙ୍କ ମଧ୍ୟରେ ଅଧିକାଂଶ ମହିଳା ଥାଆନ୍ତି। ଛତିଶଗଡ଼ ଉପରେ ନିର୍ଭରଶୀଳତା ଯୋଗୁଁ ନିର୍ବାଚନ ଏବଂ ୨୦୨୦ ମସିହାର ଲକଡାଉନ ଯୋଗୁଁ ଧାନ କାଟିବା ବିଳମ୍ବିତ ହୋଇଥିଲା। ଗଞ୍ଜାମ ଚାଷୀ ସୀମାଞ୍ଚଳ ନାଏକ, ନୟାଗଡ଼ ଚାଷୀ ପିତବାସଙ୍କ କହିବା ଅନୁସାରେ, ତାଙ୍କ ଜିଲ୍ଲାରେ କୃଷି ଶ୍ରମିକ ଅଭାବ ରହିଥିଲେ ମଧ୍ୟ ବାହାର ରାଜ୍ୟର କେହି ଏଠି କାମ କରୁନାହାନ୍ତି। ବର୍ତ୍ତମାନ ଅନେକ ଚାଷ କାର୍ଯ୍ୟ ମେସିନ ଦ୍ବାରା ହେଉଥିବାରୁ କୃଷି ଶ୍ରମିକଙ୍କ କାର୍ଯ୍ୟ ସଙ୍କୁଚିତ ହେଉଛି।

ଭୁବନେଶ୍ବର କୃଷି ଶ୍ରମିକ ରବିନ୍ଦ୍ର ଦାସଙ୍କ କହନ୍ତି, ସେ ନିଜେ ଜଣେ ଚାଷୀ ଏବଂ ଅନ୍ୟ ଜମିରେ କୃଷି ଶ୍ରମିକ ଅଛନ୍ତି। ଏତେ ପରିଶ୍ରମ ପରେ ବି ଘରର ଆର୍ଥିକ ସମସ୍ୟା ଦୂର କରିପାରନ୍ତି ନାହିଁ। ତାଙ୍କ ସନ୍ତାନ ଏହି କାର୍ଯ୍ୟ ପାଇଁ ଆଗ୍ରହୀ ନାହାନ୍ତି। ସାମାଜିକ କର୍ମକର୍ତ୍ତା ଉମି ଡାନିଏଲଙ୍କ ମତ ହେଉଛି, ଅଧିକାଂଶ ପ୍ରବାସୀ ଶ୍ରମିକ ହେଲେ କୃଷି ଶ୍ରମିକ କିମ୍ବା ସେହି ପରିବାରର ଅଟନ୍ତି। ବର୍ତ୍ତମାନ ସ୍ଥିତି ଏଭଳି ଯେ କେରଳର ଅନେକ ଚାଷୀ ଅଧିକ ରୋଜଗାର ପାଇଁ ନିଜ ଜମି ଛାଡ଼ି ବାହାର ଦେଶକୁ ଚାଲି ଯାଇଛନ୍ତି। ସେମାନଙ୍କ ଛାଡ଼ି ଯାଉଥିବା ଜମିରେ ଓଡ଼ିଆ ଶ୍ରମିକ କର ନେଇ ଚାଷ କରୁଛନ୍ତି। ବର୍ତ୍ତମାନ ସ୍ଥିତିରେ କୃଷି କ୍ଷେତ୍ରରେ କୃଷି ଶ୍ରମିକ ସଙ୍କଟ ସମସ୍ୟାକୁ ଏଣିକି ସରକାର ଗୁରୁତ୍ବର ସହିତ ବିଚାର କରିବାର ଆବଶ୍ୟକତା ରହିଛି। ଶ୍ରମିକ ଅଳସୁଆ ହେଲେଣି କହି ଏହାକୁ ଅବହେଳା କଲେ ଆହୁରି ବଡ଼ ସଙ୍କଟ ସୃଷ୍ଟି ହେବ ବୋଲି ଅଧିକାଂଶ ବିଶେଷଜ୍ଞ ମତ ଦିଅନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button