ଓଡିଶା

୩ ଲକ୍ଷରେ ବିକ୍ରି ହେଉଛି ସରକାରୀ ଜମି: ଖସି ଯାଉଛି ଦଲାଲ, ଫସୁଛନ୍ତି କ୍ରେତା – bajravana

[ad_1]

୧୩ ଜଣଙ୍କୁ ନୋଟିସ୍‌, ଗରିବଙ୍କର ଭାଙ୍ଗିଲେ, ଦଲାଲଙ୍କୁ ଅନୁକମ୍ପା

ଭୁବନେଶ୍ୱର: ସରକାରୀ ଜାଗା‌ରେ ପ୍ରଥମେ ବାଉଁଶ ପୋତା ହେଉଛି। ତା’ ଉପରେ ପାଲ ପଡ଼ୁଛି। ୭ ଦିନ ପରେ କଂକ୍ରିଟ୍‌ ଖୁଣ୍ଟ ସାଙ୍ଗକୁ ଇଟାକାନ୍ଥ। ପୁଣି ଆଜ୍‌ବେଷ୍ଟସ୍‌। ଏମିତି ଜାଗା ସହିତ ଘର ନେଲେ ୫ ଲକ୍ଷ। ୪ଶହ ବର୍ଗଫୁଟ୍‌ର ଖାଲିଜାଗା ନେଲେ ୩ ଲକ୍ଷ। ଆଉ କିଛି ଅଧିକା ଦେଲେ ଦଲାଲ ଉଚ୍ଛେଦ କିମ୍ବା ଗୁଣ୍ଡାଗର୍ଦ୍ଦିରୁ ସୁରକ୍ଷା ବି ଦେବେ। ଜବର ଦଖଲରେ ଆଗରୁ ଏହି ଜମିର ଦାମ୍‌ ଲକ୍ଷେ ଟଙ୍କାରୁ କମ୍‌ ଥିବାବେଳେ ବସ୍ତିବାସିନ୍ଦାଙ୍କୁ ଜାଗା ମିସନରେ ଭୂମି ଅଧିକାର ମିଳିବା ପରଠାରୁ ଦର ବଢ଼ିବା ସହ ଦଲାଲ ସକ୍ରିୟ ହୋଇଯାଇଛନ୍ତି। ଭୂମି ଅଧିକାର ଲୋଭରେ ଜଣେ ଜଣେ ଲୋକ ଏପରି ଏକାଧିକ ସରକାରୀ ପ୍ଲଟ୍‌ କିଣୁଛନ୍ତି। ଶ୍ୟାମପୁର ଅଞ୍ଚଳରେ ଏଭଳି ଅଭିଯୋଗ ହେବା ପରେ ଆଜି ବିଡିଏ ୧୩ ଜଣଙ୍କୁ ନୋଟିସ୍‌ କରିଛି। ତୁରନ୍ତ ଘର ଛାଡ଼, ନଚେତ୍‌ ଭାଙ୍ଗି ଦିଆଯିବ ବୋଲି ଚେତାବନୀ ଦେଇଛି। ୧୬ଜଣଙ୍କ ନାମରେ ଅଭିଯୋଗ ଥିଲେ ମଧ୍ୟ ୩ଜଣଙ୍କୁ ନୋଟିସ୍‌ ଦିଆଯାଇ ପାରିନାହିଁ।
ଶ୍ୟାମପୁର ମୌଜା ପ୍ଲଟ୍‌ ନଂ. ୨୭୭ରେ ବିଡିଏର ୬୮ ଏକର ଜମି ରହିଛି।

ଏଠାରେ ପ୍ଲଟିଂ ବା ଗୃହ ନିର୍ମାଣ ଯୋଜନା ପାଇଁ ବିଡିଏ ପ୍ରସ୍ତୁତ ହେଉଛି। ଜିଏ ବିଭାଗରୁ ଏହି ଜମି ବିଡିଏକୁ ହସ୍ତାନ୍ତର କରାଯାଇଛି। ଏହି ଜାଗାକୁ ଲାଗି ପଣ୍ଡାକୁଦିଆରେ ତିଆରି ହୋଇଥିବା‌ ଟ୍ରାଞ୍ଜିଟ୍‌ ହାଉସ୍‌ରେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯିବା ପରେ ରଖାଯାଉଛି। ଏଠାରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ବିଏମ୍‌ସି ଘର ଯୋଗାଇ ଦେବ। ଏଣୁ ଏମାନଙ୍କ ପାଖରେ କୁଡ଼ିଆ କରି ରହିଲେ ଘର ମିଳିବ ବୋଲି ଦଲାଲମାନେ ଘୋଷଣା କରିଛନ୍ତି। ତା’ପରେ ଖାଲି ପଡ଼ିଥିବା‌ ବିଡିଏର ଏହି ଜାଗାର ଚାହିଦା ବଢ଼ିଯାଇଛି। ଦଲାଲ ଜମିକୁ ପ୍ରଥମେ ବାଉଁଶ ପୋତି ଭାଗ ଭାଗ କରିଦେଉଛି। ଏହା ପରେ ରାତିଅଧିଆ ଘର ତିଆରି ହେଉଛି ଓ କଲୋନିର ବି ନାମକରଣ ହୋଇଯାଉଛି। ପ୍ରଶ୍ନ ଉଠୁଛି, ଦୀର୍ଘ ୬ ମାସ ଧରି ଏଭଳି କାରବାର ଚାଲିଥିଲେ ମଧ୍ୟ ବିଡିଏ କିଭଳି ଜାଣି ପାରୁନଥିଲା? ପୂର୍ବରୁ ବିଡିଏ ଅଭିଯୋଗ ପାଇବା ପରେ ସିଧା ଉଚ୍ଛେଦ କରୁଥିବା ବେଳେ ନିଜ ଜାଗାରୁ ଉଚ୍ଛେଦ ପାଇଁ ଡରିଯାଇ ନୋଟିସ୍‌ କଲା କାହିଁକି? ତେବେ କେବଳ ଏହି ଶ୍ୟାମପୁର ନୁହେଁ, ସାରା ସହରରେ ଏଭଳି ଜବରଦଖଲ ବଢ଼ିବାରେ ଲାଗିଛି। ଜାଗା ମିସନ୍‌ରେ ଜମି ପାଇବା ପାଇଁ ଯିଏ ପାରୁଛି ସେ ସରକାରୀ ଜାଗା ଜବରଦଖଲ କରୁଛି। ଏଭଳି କଳାରାହାଙ୍ଗରେ ୧୨୫ ଏକର ସରକାରୀ ଜମିକୁ ଦଲାଲମାନେ ପ୍ଲଟିଂ କରି ବାଣ୍ଟି ଦେଇଛନ୍ତି। ଏଥିରେ ଦେଢ଼କୋଟି ଟଙ୍କାର କାରବାର ହୋଇଛି। ଥରେ ଜବରଦଖଲ ହେଲେ ଉଚ୍ଛେଦ ଅସମ୍ଭବ ହେଉଛି। ୨୦୧୫ ମସିହାରେ ଏଭଳି ଜବରଦଖଲ ହଟାଇବାକୁ ବିଡିଏ ନୟାନ୍ତ ହୋଇଥିଲା। ଚନ୍ଦ୍ରଶେଖରପୁର କନ୍ୟାଶ୍ରମ ନିକଟରେ ସରକାରୀ ପ୍ଲଟ୍‌ରୁ ଜବରଦଖଲ ହଟାଇବାକୁ ବିଡିଏକୁ ବର୍ଷେ ଲାଗିଥିଲା। ବିଡିଏର ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ୩୦୦ରୁ ଊର୍ଦ୍ଧ୍ବ ଲୋକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

ସହରର ଉପକଣ୍ଠର ଆହୁରି ଅନେକ ଜାଗା ଉପରେ ଦଲାଲମାନେ ନଜର ପକାଇଛନ୍ତି। ପଳାସୁଣିରୁ ଉଚ୍ଛେଦ ପରେ ଖାଲି ହୋଇଥିବା ପ୍ରାୟ ୨ ଏକର ଜମିକୁ ମାଫିଆ ମାଡ଼ିବସି ଘରକରି ବିକ୍ରି କରୁଛନ୍ତି। ସୁବୁଦ୍ଧିପୁର ମୌଜା ପ୍ଲଟ୍‌ ନମ୍ବର ୮୦ ଓ ୧୧୦ରେ ୩୦ ଏକରରୁ ଅଧିକ ଜାଗା ଦଲାଲ୍‌ଙ୍କ କବ୍‌ଜାରେ ରହିଛି। ଭରତପୁରରେ ୩ ଏକର ଜାଗା ପ୍ଲଟିଂ ହୋଇଛି। ଜବରଦଖଲ ଜାଗା ଅଧିକାଂଶ ଜିଏ ବିଭାଗର ରହିଛି। ଜବରଦଖଲ ଧରିବା ପାଇଁ ବିଡିଏ ବ୍ୟବସ୍ଥା କରିଛି। ସରକାରୀ ଜମିରେ ହୋଇଥିବା ଘରକୁ ବିଦ୍ୟୁତ୍‌ ଓ ପାଣି ସଂଯୋଗ ଦିଆଯାଉଛି। ଦଲାଲ ସହ ଏହି ସବୁ ସରକାରୀ ସଂସ୍ଥା ମିଶି ଏହି ବେପାର ଚଳାଉଥିବା ଅଭିଯୋଗ ହେଉଛି। କିନ୍ତୁ ଧରାପଡ଼ିବା ବେଳେ କେବଳ ଯିଏ ଟଙ୍କା ଦେଇ ସରକାରୀ ଜମି କିଣୁଛି ସେ ହିଁ ଧରାପଡ଼ୁଛି ଓ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛି। ବାକି ଦଲାଲ ଓ ବାବୁ ଖସି ଯାଉଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button