ବାତ୍ୟା ଆଣୁଛି ପ୍ରବଳ ବର୍ଷା: ଆଜିଠୁ ବଦଳିବ ପାଗ, ୬ ଯାଏ ରହିବ – bajravana
[ad_1]
୪ ଓ ୫ ତାରିଖରେ ଛେଚିବ, ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ବିପଦ, ଚାଷକୁ ବରବାଦ୍ କରିପାରେ
ଭୁବନେଶ୍ବର: ଆସନ୍ତାକାଲି ଠାରୁ ଧୀରେଧୀରେ ବଦଳିବ ପାଗ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମର କିଛି ସ୍ଥାନରେ ଆରମ୍ଭ ହୋଇଯିବ ବର୍ଷା। ଉପକୂଳ ଓଡ଼ିଶା ସମେତ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ବି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
୪ ତାରିଖ ବେଳକୁ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଆସିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିର କିଛି ସ୍ଥାନରେ ୭ରୁ ୧୧ ସେମି ଯାଏ ବର୍ଷା ହେବା ବିଚିତ୍ର ନୁହେଁ। ୧୩ ଜିଲ୍ଲାରେ ପ୍ରଭାବ ରଖିବ। ୫ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିବ। ଅର୍ଥାତ୍ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ପରିମାଣ ବଢ଼ି ୨୦ ସେମି ଯାଏ ଛୁଇଁଯାଇପାରେ। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀରେ ସେଦିନ ୭ରୁ ୧୧ ସେମି ଯାଏ ବର୍ଷାର ଭୟ ରହିଛି। ନୟାଗଡ଼, ଜଗତସିଂହପୁର, ଖୋର୍ଧା, କଟକ ମଧ୍ୟ ବର୍ଷାରେ ଭିଜିବେ। ୬ ତାରିଖରେ ବି ବର୍ଷାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି।
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ଗଭୀର ଅବପାତ ଆନ୍ଧ୍ର ଉପକୂଳକୁ ମାଡ଼ି ଆସି ୧୨ ଘଣ୍ଟା ମଧ୍ୟରେ (୩ ତାରିଖରେ) ବାତ୍ୟା ରୂପ ନେବା ସହିତ ଓଡ଼ିଶାକୁ ଏମିତି ଢଙ୍ଗରେ ତିନି ଦିନ ଧରି ଅସ୍ତବ୍ୟସ୍ତ କରିବ। ଏହି ବାତ୍ୟାର ନାମ ରଖାଯାଇଛି ମିଚୋଁଗ୍। ଯଦିଓ ବାତ୍ୟା ଆନ୍ଧ୍ର ଉପକୂଳ ସଂଲଗ୍ନ ନେଲୋର-ମଚ୍ଛଲିପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ, ତଥାପି ଓଡ଼ିଶାରେ ବର୍ଷାର ଭୀଷଣ ପ୍ରଭାବ ପଡ଼ିବ। ବିଶେଷକରି ପାଚିଲା ଧାନ କିଆରିକୁ ଜଳାର୍ଣ୍ଣବ କରିଦେବ। ପନିପରିବା ଚାଷକୁ ବିପର୍ଯ୍ୟୟ ମୁହଁକୁ ଟାଣିନେବ। କେବଳ ସେତିକି ନୁହେଁ, କିଛି ସ୍ଥାନକୁ ଜଳମଗ୍ନ କରିବ ଏବଂ କଚ୍ଚା ଘର ପ୍ରତି ବିପଦ ଆଣିପାରେ। କାନ୍ଥ ଭୁଶୁଡ଼ିବାର ମଧ୍ୟ ଭୟ ରହିଛି। ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବା ଲାଗି ବାରଣ କରାଯାଇଛି।
ପାଣିପାଗ ରିପୋର୍ଟ କହୁଛି ଯେ ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେଇ ଉତ୍ତର ପଶ୍ଚିମ ମୁହାଁ ହେବ। ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡ଼ୁ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ। ଏହା ପରେ ଉତ୍ତର ଆଡ଼କୁ ଗତି କରିବ ଏବଂ ଦକ୍ଷିଣ ଆନ୍ଧ୍ର କୂଳେ କୂଳେ ଆଗକୁ ବଢ଼ିବ। ୫ ତାରିଖରେ ଏହା ନେଲୋର-ମଚ୍ଛଲିପଟନମ୍ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ଓ ସେତେବେଳେ ପବନର ବେଗ ସର୍ବାଧିକ ୮୦ରୁ ୯୦ କିଲୋମିଟର ରହିପାରେ। ସ୍ଥଳ ବିଶେଷରେ ଏହା ୧୦୦ କିଲୋମିଟର ଛୁଇଁବ। ପାଣିପାଗ ବିଭାଗର ଆକଳନ କହୁଛି ଯେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପପୁରରେ ୪ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ମଧ୍ୟରେ ରହିପାରେ। ବେଳେ ବେଳେ ୫୫ କିଲୋମିଟର ବେଗରେ ପବନ ବହିବ। ୫ ତାରିଖରେ ପବନ ସାମାନ୍ୟ ବଢ଼ିବ ( ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର) ଓ କେବେକେବେ ୬୦ କିଲୋମିଟର ଛୁଇଁପାରେ। ଏହା ପରେ ପବନ କମିବ। ସେହିଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ାର ଲୋକେ ସର୍ବାଧିକ ଘଣ୍ଟାପ୍ରତି ୫୦ କିଲୋମିଟର ପର୍ଯ୍ୟନ୍ତ ପବନ ଅନୁଭବ କରିପାରନ୍ତି। କିନ୍ତୁ ୬ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ।
[ad_2]