ଓଡିଶା

ଡରାଉଛି ତିତ୍‌ଲି: ଲୋକେ ଭୟଭୀତ, ପୁରୀ ବେଳାଭୂମି ଖାଁ ଖାଁ

Image result for puri sea beach denger look
ପୁରୀ:- ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ପୁରୀ ଉପକୂଳବାସୀ। ବାତ୍ୟା ତିତ୍‌ଲି ଯେତେ ସ୍ଥଳଭାଗ ମୁହାଁଉଛି ତାହା ଅଧିକ ଭୟଙ୍କର ରୂପ ଧାରଣ କରୁଥିବାରୁ ଲୋକେ ଛାନିଆଁ ହୋଇପଡୁଛନ୍ତି। ୧୯୯୯ ମହାବାତ୍ୟା, ଫାଇଲିନ୍‌ ଏବଂ ହୁଡୁହୁଡ୍‌କୁ ଦେଖିଥିବା ପୁରୀବାସିନ୍ଦା ଏବେ ତିତ୍‌ଲିକୁ ଆଶଙ୍କାରେ ରହିଛନ୍ତି। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ଲାଗି ନିଜକୁ ପ୍ରସ୍ତୁତ କରିଛି ଜିଲା ପ୍ରଶାସନ। ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟି ଅର୍ଥାତ୍‌ ବାତ୍ୟାରେ ଜଣେ କେହି ହେଲେ ବି ମୃତାହତ ନ ହୁଅନ୍ତି ତାହାକୁ ଆଖି ଆଗରେ ରଖି ସଜାଜ ରହିଛି । ପୁରୀ ଓ ଅସ୍ତରଙ୍ଗରେ ଏନ୍‌ଡିଆରଏଫ୍‌ ଟିମ୍‌ ସଜାଗ ରହିଥିବା ବେଳେ କୃଷ୍ଣପ୍ରସାଦ ବ୍ଲକରେ ଓଡ୍ରାଫ ଟିମ୍‌ ରହିଛନ୍ତି ।
ମଙ୍ଗଳବାର ପାଗ ମେଘୁଆ ରହିଥିଲା। ରାତିରୁ ବର୍ଷା ଆରମ୍ଭ ହୋଇଥିଲା। ବୁଧବାର ସକାଳୁ କୋହଲା ପବନ ସାଙ୍ଗକୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳ ୮ଟାରୁ ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ଅର୍ଥାତ୍‌ ୨୪ ଘଣ୍ଟାରେ ପୁରୀ ସହରରେ ୧୪ ମିଲିମିଟର ବର୍ଷା ହୋଇଛି। ଏହି ସମୟ ମଧ୍ୟରେ କାକଟପୁରରେ ସର୍ବାଧିକ ୩୮ ମିଲିମିଟର, ଅସ୍ତରଙ୍ଗରେ ୩୦, ଗୋପ ୨୫, ସତ୍ୟବାଦୀ ୨୨, ବ୍ରହ୍ମଗିରି ୬, ପିପିଲି ୮, ନିମାପଡ଼ାରେ ୩ ମିଲିମିଟର ବର୍ଷା ହୋଇଛି। କଣାସ, ଡେଲାଙ୍ଗ ଓ କୃଷ୍ଣପ୍ରସାଦରେ ଆଦୌ ବର୍ଷା ହୋଇନାହିଁ। ଅନ୍ୟପକ୍ଷରେ ଲଘୁଚାପ ଓ ବାତ୍ୟାର ପ୍ରକୋପରେ ପୁରୀ ସମୁଦ୍ର ଉଗ୍ର ହେବାରେ ଲାଗିଛି। ଅତି ଉଚ୍ଚରେ ଢେଉ ଆସି କୂଳରେ ବାଡେଇ ହେଉଛି। ପ୍ରତି ୭ ସେକେଣ୍ଡରେ ବର୍ତ୍ତମାନ ଦେଢ ମିଟରରୁ ୨ ମିଟର ଉଚ୍ଚରେ ଜୁଆର ଆସୁଛି। ତିତ୍‌ଲି ସ୍ଥଳଭାଗକୁ ଛୁଇଁବା ବେଳେ ଏହା ବୃଦ୍ଧି ପାଇ ୪ରୁ ୫ ମିଟର ହେବ ବୋଲି କୁହାଯାଉଛି। ଅର୍ଥାତ୍‌ ସମୁଦ୍ର କୂଳ ଲଘିଂବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ବର୍ତ୍ତମାନ ପୁରୀ ବେଳାଭୂମି ଖାଁ ଖାଁ  ହୋଇପଡିଛି। ସମୁୁଦ୍ର ସ୍ନାନକୁ ବିପଦପୂର୍ଣ୍ଣ ଘୋଷଣା କରାଯାଇ ବେଳାଭୂମିରେ ରେଡ୍‌ ଫ୍ଲାଗ (ନାଲି ପତାକା) ଲଗାଯାଇଛି। ଅନ୍ୟପକ୍ଷରେ ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ପେଣ୍ଠକଟା ଏବଂ ଚନ୍ଦ୍ରଭାଗାର ମତ୍ସ୍ୟଜୀବୀ ରହୁଥିବା ଅଞ୍ଚଳରେ ସମୁଦ୍ର ଭିତରକୁ ନ ଯିବା ଲାଗି ମାଇକ୍‌ ଜରିଆରେ ସଚେତନ କରାଯାଉଛି। ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ ପ୍ରମୁଖ ପ୍ରଶାସନିକ ଅଧିକାରୀ ବେଳାଭୂମିରେ ବୁଲି ପର୍ଯ୍ୟଟକଙ୍କୁ ସମୁଦ୍ରରେ ନ ଗାଧୋଇବା ପାଇଁ କହିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଅସ୍ତରଙ୍ଗ ଉପକୂଳ ସମୁଦ୍ର ବୁଧବାର ମଧ୍ୟାହ୍ନରୁ ଅଶାନ୍ତ ହୋଇପଡିଛି। ବଡ଼ ବଡ଼ ଜୁଆର ଆସି ବେଳାଭୂମିରେ ମାଡ଼ ହେଉଛି। ଜାହାନିଅଁା, ନୂଆଗଡ଼, ଡାଳୁଅକଣି, କେଉଟଜଙ୍ଗା ପ୍ରଭୃତି ସ୍ଥାନରେ ସମୁଦ୍ର ଜନବସତିମୁହଁା ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେହିପରି ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳ ଅରଖକୁଦା, ସାନପାଟଣା, ଗବକୁଣ୍ଡ, ମିର୍ଜାପୁର, ବ୍ରହ୍ମଗିରିର ମୋଟ ଆଦି ଗ୍ରାମ ପ୍ରତି ବିପଦ ଦେଖାଦେଇଛି। ମଙ୍ଗଳବାର ଅମାବାସ୍ୟା ଯୋଗୁ ଚିଲିକା ପାଣି ଅରଖକୁଦାରେ ପଶି ଛାଡିଥିଲେ ମଧ୍ୟ ସମ୍ଭାବ୍ୟ ବାତ୍ୟାକୁ ନେଇ ଏହି ଅଞ୍ଚଳବାସୀ ପୁଣି ଭୟଭୀତ ହୋଇପଡିଛନ୍ତି।
ଜିଲାର ସବୁ ସ୍କୁଲ, କଲେଜ ବୁଧବାର ବନ୍ଦ ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୧ ଓ ୧୨ ତାରିଖ ଦୁଇଦିନ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଅନ୍ୟପକ୍ଷରେ ଗୁରୁବାର ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ମଧ୍ୟ ବାତିଲ କରାଯାଇଛି। ଜିଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହି କଣ୍ଟ୍ରୋଲରୁମ୍‌ ଦାୟିତ୍ୱରେ ସିଫ୍ଟ ଅନୁଯାୟୀ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ବ୍ଲକସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିଛି। ପ୍ରତି ବ୍ଲକରେ ଚୁଡ଼ା, ଚିନି ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍‌ ରଖିବା ଲାଗି ଜିଲା ଯୋଗାଣ ବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯୋଗାଣ ବିଭାଗ ମଧ୍ୟ ଏହି ଅନୁଯାୟୀ ପ୍ରସ୍ତୁତି ଚଳାଇଛି।
ପୁରୀ ଜିଲାରେ ୧୮୨ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ରହିଛି। ସେଗୁଡ଼ିକ ପ୍ରସ୍ତୁତ କରି ରଖାଯାଇଛି। ଏହାସହିତ ଆବଶ୍ୟକ ପଡିଲେ ସ୍କୁଲଗୁଡ଼ିକରେ ଲୋକଙ୍କୁ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ସମୁଦ୍ର ଏବଂ ଚିଲିକା କୂଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୀ ଜିଲାର ଉପକୂଳିଆ ୬ଟି ବ୍ଲକ ବ୍ରହ୍ମଗିରି, କୃଷ୍ଣପ୍ରସାଦ, କାକଟପୁର, ଅସ୍ତରଙ୍ଗ, ପୁରୀ ସଦର ଓ ଗୋପକୁ ଫୋକରେ ରଖିଛି ପ୍ରଶାସନ। ପ୍ରତି ବ୍ଲକ ପାଇଁ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button