ଓଡିଶା

ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍‌: ବର୍ଷକରେ ୮୦% ବୃଦ୍ଧି – bajravana

[ad_1]

ଭୁବନେଶ୍ବର: ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବିଶେଷକରି ପଶ୍ଚିମ ଓଡ଼ିଶାର ୩-୪ ଜିଲ୍ଲାରେ ସ୍ଥିତି ଅତ୍ୟନ୍ତ ସଂଗିନ ରହିଛି। ଇତିମଧ୍ୟରେ କେନ୍ଦ୍ରୀୟ ଟିମ୍‌ ଏସବୁ ଜିଲ୍ଲା ପରିଦର୍ଶନ କରି ଫେରି ଯାଇଛନ୍ତି। ମାତ୍ର କାହିଁକି ଏସବୁ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍‌ ବ୍ୟାପିଲା ସେ ସଂପର୍କରେ କିଛି ସ୍ପଷ୍ଟ କରିନାହାନ୍ତି। ଏଭଳି ସଂକ୍ରମଣ ଆଉ କେତେଦିନ ଲାଗି ରହିବ ସେ ସଂପର୍କରେ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।
ରାଜ୍ୟରେ ଜୁନ୍ ମାସରୁ ଡେଙ୍ଗୁ ସଂକ୍ରମଣ ଲୋକଙ୍କୁ କଲବଲ କରୁଥିବା ବେଳେ ଏବେ ସ୍କ୍ରବ୍ ଟାଇଫସ୍‌ ଡେଙ୍ଗୁର ସ୍ଥାନ ନେଇଛି। ଡେଙ୍ଗୁ ମଶା କାମୁଡ଼ିବା ‌ଯୋଗୁଁ ବ୍ୟାପୁଥିବା ବେଳେ ସ୍କ୍ରବ୍ ଟାଇଫସ୍‌ ଚିଗର୍ସ(ଏକପ୍ରକାର ଟିଙ୍କ) କାମୁଡ଼ିବା ଦ୍ବାରା ହେଉଛି। ଦୁଇ ରୋଗର ଲକ୍ଷଣ ପ୍ରାୟତଃ ସମାନ ରହିଥିବାରୁ ଲୋକମାନେ ଏହାକୁ ନେଇ ଉଭୟ ରୋଗୀ ଓ ବିଶେଷଜ୍ଞ ଦ୍ବନ୍ଦ୍ବରେ ପଡ଼ୁଛନ୍ତି।
ଅନ୍ୟପକ୍ଷରେ ଗତ ୩ବର୍ଷ ଧରି ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ର ସଂକ୍ରମଣ ନଜରକୁ ଆସୁଛି। ମାତ୍ର ଚଳିତବର୍ଷ ଏହି ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି। ମାଲକାନଗିରି, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍‌ ସଂକ୍ରମଣ ଦେଖିବାକୁ ମିଳିଛି। ଧାନ ବିଲ ସହିତ ଜଙ୍ଗଲ ଆଦିକୁ ଯାଉଥିବା ଲୋକମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି।  ଚଳିତବର୍ଷ ରାଜ୍ୟରେ ୨୮୨୦ ସ୍କ୍ରବ୍ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କେନ୍ଦୁଝରରେ ସର୍ବାଧିକ ୭୫୨, ବଲାଙ୍ଗୀର ୪୬୨, ସମ୍ବଲପୁର ୨୮୦, ସୁନ୍ଦରଗଡ଼ ୨୨୩, ଖୋର୍ଧା ୧୦୫, ପୁରୀ ୧୫୩ ଓ କ୍ୟାପିଟାଲ ହସ୍ପିଟାଲରୁ ୯୨ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଛି। ମାତ୍ର ମୃତ୍ୟୁ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇନାହିଁ। ସ୍କ୍ରବ୍ ଟାଇଫସ୍‌ ଏହି ମାସଗୁଡ଼ିକରେ ବ୍ୟାପୁଥିବାରୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଗତବର୍ଷ ୧୫୮୩ ଆକ୍ରାନ୍ତ ଚିହ୍ନଟ ‌ହୋଇଥିଲେ। ଗତବର୍ଷ ତୁଳନାରେ ଚଳିତବର୍ଷ ସ୍କ୍ରବ୍ ଟାଇଫସ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ୮୦% ବୃଦ୍ଧି ହୋଇଛି।  ସେପଟେ ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି କେନ୍ଦ୍ରୀୟ ଟିମ୍ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଭିମ୍‌ସାର ବୁର୍ଲା ଓ ସମ୍ବଲପୁର ଜିଲ୍ଲା ଗସ୍ତ କରି ଅନୁଧ୍ୟାନ କରିଥିଲେ। ଗତକାଲି କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଘରୋଇ ହସ୍ପିଟାଲରେ ରାପିଡ୍‌ କିଟ୍‌ରେ ପରୀକ୍ଷା ହେଉଥିବାରୁ ଏହା ବଦଳରେ ଏଲିସା ପଦ୍ଧତିରେ ପରୀକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହ ଆବଶ୍ୟକ ସଂଖକ ଏଲିସା କିଟ୍‌ ଜିଲ୍ଲାସ୍ତରରେ ଉପଲବ୍ଧ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ମାତ୍ର ପଶ୍ଚିମ ଓଡ଼ିଶାରେ କେଉଁ ପରିସ୍ଥିତିରେ ସ୍କ୍ରବ୍ ଟାଇଫସ୍ ବ୍ୟାପିଲା ତାହା ସଂପର୍କରେ କେନ୍ଦ୍ରୀୟ ଟିମ୍ କିଛି ସ୍ପଷ୍ଟ କରିନାହାନ୍ତି। ସେମାନେ କେନ୍ଦ୍ର ସରକାରଙ୍କୁ ଏ ସଂପର୍କିତ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢ଼ୀ ମଧ୍ୟ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଦୁଇଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ତାହା ପଜିଟିଭ୍ ଆସିଛି। ଏବେ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ତେଣୁ କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ମଧ୍ୟ ସ୍କ୍ରବ୍ ଟାଇଫସ୍‌ ବ୍ୟାପୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟର ୨-୩ଟି ଜିଲ୍ଲାକୁ ବାଦ୍ ଦେଲେ ସ୍କ୍ରବ୍ ଟାଇଫସ୍‌ ଅନ୍ୟ ସବୁ ଜିଲ୍ଲାକୁ ବ୍ୟାପିଛି। ନିକଟରେ କେନ୍ଦ୍ରୀୟ ଟିମ୍ ସ୍କ୍ରବ୍ ଟାଇଫସ୍‌ ସମୀକ୍ଷା କରିବା ପାଇଁ ପଶ୍ଚିମ ଓଡ଼ିଶା ଗସ୍ତ କରିଥିଲେ। ସେମାନେ ଓଡ଼ିଶାର ପ‌ଦକ୍ଷେପକୁ ପ୍ରଶଂସା କରିଛନ୍ତି। ୨୦୧୯ ମସିହାରୁ ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ର ଟେଷ୍ଟିଂ ଚାଲିଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ସମୟରେ ସେମାନେ ରାଜ୍ୟକୁ ଟେଷ୍ଟିଂ ବଢ଼ାଇବା ସହିତ ଶୀଘ୍ର ଚିହ୍ନଟ ପାଇଁ ମୌଖିକ ଭାବେ ପରାମର୍ଶ ଦେଇଛନ୍ତି। ଖୁବଶୀଘ୍ର ସେମାନେ ଲିଖିତ ସୁପାରିସ ଦେବା ପରେ ରାଜ୍ୟ ସରକାର ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ। ଡାକ୍ତର ମିଶ୍ର ଆହୁରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଟିମ୍‌ ମଧ୍ୟ ବରଗଡ଼ ଓ ସୁନ୍ଦରଗଡ଼ ଯାଇ ସ୍କ୍ରବ୍ ଟାଇଫସ୍‌ରେ ହୋଇଥିବା ମୃତ୍ୟୁର ଯାଞ୍ଚ କରିଥିଲେ। ସମସ୍ତ ମୃତ୍ୟୁକୁ ନେଇ ଦ୍ବନ୍ଦ୍ବ ରହିଛି। କାରଣ ସମସ୍ତଙ୍କର ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଘରୋଇ ହସ୍ପିଟାଲଗୁଡ଼ିକରେ ଏଲିସା ପଦ୍ଧତି ବଦଳରେ ରାପିଡ୍‌ କିଟ୍‌ରେ ପରୀକ୍ଷା ହେଉଛି। କେବଳ ଏଲିସା ଟେଷ୍ଟିଂ ପ୍ରକୃତ ସ୍କ୍ରବ୍ ଟାଇଫସ୍‌ ରୋଗ ଚିହ୍ନଟ କରିପାରିବ ବୋଲି ଡା.ମିଶ୍ର କହିଛନ୍ତି।
ବର୍ଷ ଟେଷ୍ଟିଂ ଆକ୍ରାନ୍ତ
୨୦୨୧ ୩୧୫୦ ୪୯୪
୨୦୨୨ ୧୦୭୧୩ ୧୫୮୩
୨୦୨୩ ୨୨୦୭୭ ୨୮୨୦

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button