ବଢ଼ିବନି ବୟସ୍କ, ଭିନ୍ନକ୍ଷମ ଭତ୍ତା – bajravana
[ad_1]
ଭୁବନେଶ୍ବର: ରାଜ୍ୟରେ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କୁ ଦିଆଯାଉଥିବା ଭତ୍ତା ରାଶିରେ ବୃଦ୍ଧି ହେବ ନାହିଁ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ଏହା ସ୍ପଷ୍ଟ କରିଛନ୍ତି। ଫଳରେ ଅନ୍ୟ ରାଜ୍ୟରେ ଏହି ବର୍ଗର ଲୋକଙ୍କ ଭତ୍ତା ପରିମାଣ ଅଧିକ ଥିବା ବେଳେ ଓଡ଼ିଶାରେ ଏହାକୁ ବୃଦ୍ଧି ନେଇ ଯେଉଁ ଦାବି ହେଉଥିଲା ତହିଁରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନାରେ ରାଜ୍ୟରେ ସମୁଦାୟ ୫୩ଲକ୍ଷ ୮ହଜାର ୯୬୭ଜଣ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ମାସିକ ସେମାନେ ୫ଶହ, ୭ଶହ ଓ ୯ଶହ ଟଙ୍କା ଭତ୍ତା ପାଉଛନ୍ତି। ଏହି ଯୋଜନାରେ ଆହୁରି ୨ଲକ୍ଷ ୪୭୧ଜଣ ଭତ୍ତା ପାଇବା ଅପେକ୍ଷାରେ ରହିଛନ୍ତି। ସେମାନଙ୍କୁ ପର୍ଯ୍ୟାୟକ୍ରମେ ଭତ୍ତା ପ୍ରଦାନ କରାଯିବ। ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାରେ ଭତ୍ତା ମଞ୍ଜୁର ହେବା ପରେ କିଛି ହିତାଧିକାରୀମାନେ ବ୍ୟାଙ୍କ ଆକାଉଣ୍ଟରୁ ମାସିକ ଭତ୍ତା ଉଠାଇବାରେ ଅସମର୍ଥ ହେଉଛନ୍ତି। ସେମାନଙ୍କୁ ବ୍ୟାଙ୍କିଂ କରେସପଣ୍ଡେନ୍ସ ଓ କଷ୍ଟମର ସର୍ଭିସ ପଏଣ୍ଟ(ସିଏସ୍ପି) ଜରିଆରେ ସେମାନଙ୍କ ଗାଁ ତଥା ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟରେ ନଗଦ ଆକାରରେ ପ୍ରଦାନ କରାଯାଉଛି। ସେହିପରି ଭିନ୍ନକ୍ଷମ ତଥା ବୟସ୍କ ଦୃଷ୍ଟିରୁ ଶଯ୍ୟାଶାୟୀ ହିତାଧିକାରୀଙ୍କୁ ସେମାନଙ୍କ ଘରେ ନଗଦ ଆକାରରେ ଭତ୍ତା ଦିଆଯାଉଛି।
ଅପରପକ୍ଷରେ ରାଜ୍ୟରେ ଭିନ୍ନକ୍ଷମମାନଙ୍କୁ ଘରୋଇ ଉଦ୍ୟୋଗରେ ଚାକିରି କ୍ଷେତ୍ରରେ ସଂରକ୍ଷଣର ବ୍ୟବସ୍ଥା ନାହିଁ। ଭିନ୍ନକ୍ଷମ ଅଧିକାର ଅଧିନିୟମ, ୨୦୧୬ ଅନୁଯାୟୀ ରାଜ୍ୟ ସରକାର ସମସ୍ତ ସରକାରୀ ଅନୁଷ୍ଠାନରେ ନିଯୁକ୍ତି କ୍ଷେତ୍ରରେ ଭିନ୍ନକ୍ଷମଙ୍କ ପାଇଁ ୪% ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି। ଧାରା ୩୩ ଅନୁଯାୟୀ ସରକାରୀ କାର୍ଯ୍ୟାଳୟରେ ଭିନ୍ନକ୍ଷମଙ୍କ ପାଇଁ ଉପଯୁକ୍ତ ପଦବି ଚିହ୍ନଟ ଲାଗି ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହି ଆଇନ ଅନୁଯାୟୀ ପ୍ରତି ୩ବର୍ଷରେ ଚିହ୍ନଟ ପଦବିର ସମୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ପ୍ରତ୍ୟେକ ବିଭାଗ ସହିତ ବୈଠକ କରାଯାଇ ବିଭାଗରେ ପଦବି ଚିହ୍ନଟ ତାଲିକା ମଗାଯାଇଛି। ସବୁ ବିଭାଗରୁ ଭିନ୍ନକ୍ଷମାନଙ୍କ ପାଇଁ ପଦବି ଚିହ୍ନଟ ତାଲିକା ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
[ad_2]