ଚିଟ୍ଫଣ୍ଡ ସତ୍ୟପାଠରେ ଫୁଟିଗଲାଣି ଛତୁ: ୭ ଲକ୍ଷ କ୍ଷତିଗ୍ରସ୍ତ ଜମାକାରୀଙ୍କ ନ୍ୟାୟ ପାଇଁ ବାଟ ବନ୍ଦ – bajravana
[ad_1]
କଟକ: ଚିଟ୍ଫଣ୍ଡରେ ଟଙ୍କା ଜମା କରି ନିଜର ସର୍ବସ୍ବ ହରାଇଥିବା ସାଧାରଣ ଲୋକଙ୍କୁ ଆଉ ନ୍ୟାୟ ମିଳିବାର ଆଶା ନାହିଁ। ସେମାନେ ନିଜର ଅଭିଯୋଗ ଓ କ୍ଷତି ସଂପର୍କରେ ବିଚାରବିଭାଗୀୟ ତଦନ୍ତ କମିସନଙ୍କ ନିକଟରେ ସତ୍ୟପାଠ ଆକାରରେ ଯାହା ଦାଖଲ କରିଥିଲେ, ତାହା ଏବେ ଆଉ ପ୍ରମାଣଯୋଗ୍ୟ ଦସ୍ତାବିଜ୍ ସ୍ଥିତିରେ ନାହିଁ। ଉଈ ଲାଗି କିଏ ସଂପୂର୍ଣ୍ଣ ନଷ୍ଟ ହେଲାଣି ତ କାହା ଉପରେ ଲଟା ମାଡ଼ିବା ସହିତ ଛତୁ ଫୁଟିଲାଣି।
କଟକ ବକ୍ସିବଜାର ପୁଲିସ ଲାଇନ୍ ସ୍ଥିତ ବିଚାର ବିଭାଗୀୟ ଚିଟଫଣ୍ଡ କମିସନଙ୍କ କାର୍ଯ୍ୟାଳୟରେ ପଡ଼ି ରହିଥିବା ଜମାକାରୀଙ୍କ ଅଭିଯୋଗ ଓ ସତ୍ୟାପାଠର ଏଭଳି ସ୍ଥିତି ସେମାନଙ୍କ ପାଇଁ ଟଙ୍କା ଫେରି ପାଇବା ଆଶାକୁ ଉପହାସ କରୁଛି। ୧୦ ବର୍ଷ ତଳେ ଚିଟଫଣ୍ଡ ଦୁର୍ନୀତିକୁ ନେଇ ରାଜ୍ୟ ହୁଲୁସ୍ତୁଲ ହେଉଥିବା ବେଳେ ସରକାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲେ। ୨୦୧୩ ଜୁଲାଇ ୯ରେ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଜଣିକିଆ କମିସନ୍ ଗଠନ କରିଥିଲେ। ଏଥି ସହିତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୩ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ। ସରକାର ତଦନ୍ତ ପାଇଁ ୬.୧୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ପରେ ଚିଟଫଣ୍ଡ ତଦନ୍ତକୁ ୨୦୨୦ରୁ ଏକ ପ୍ରକାର ଭୁଲି ଯାଇଛନ୍ତି। ୨୦୨୦ ଫେବ୍ରୁଆରି ୪ରୁ ଚିଟଫଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ କମିସନଙ୍କ କାର୍ଯ୍ୟାଳୟ ବାହାରୁ ତାଲା ପଡ଼ିରହିଛି। କାର୍ଯ୍ୟାଳୟରେ ନୂଆ ଓ ପୁରୁଣା ସତ୍ୟପାଠ, ଆସବାବପତ୍ର, କମ୍ପ୍ୟୁଟର, ବିଭିନ୍ନ କମ୍ପାନିକୁ ଜାରି କରାଯାଇଥିବା ନୋଟିସ୍, ତଦନ୍ତ ସମୟରେ କେତେକ କମ୍ପାନି ଦାଖଲ କରିଥିବା ଜବାବ, କମିସନ ତଦନ୍ତ ସମୟରେ ସଂଗ୍ରହ କରିଥିବା ତଥ୍ୟ ପ୍ରମାଣ ଆଦି ଏକପ୍ରକାର ନଷ୍ଟ ହେବା ସ୍ଥିତିରେ ପଡ଼ି ରହିଛି।
୨୦୧୩ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର.କେ.ପାତ୍ର ତଦନ୍ତ କମିସନର ପ୍ରଥମ ଅଧ୍ୟକ୍ଷ ରହିଥିବା ବେଳେ ଜଷ୍ଟିସ ପାତ୍ରଙ୍କ ପରଲୋକ ପରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମଦନ ମୋହନ ଦାସଙ୍କୁ ୨୦୧୫ ଫେବ୍ରୁଆରି ୫ରେ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ସେ ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତଦନ୍ତ କମିସନ୍ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଏ ପର୍ଯ୍ୟନ୍ତ ମାତ୍ର ୨୧ଶହ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। କିନ୍ତୁ କମିସନଙ୍କ ନିକଟରେ ପ୍ରାୟ ୭ ଲକ୍ଷ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକରୀ ସତ୍ୟପାଠ ଦାଖଲ କରି ନ୍ୟାୟ ଅପେକ୍ଷାରେ ରହିଛନ୍ତି।
[ad_2]