ଖେଳ ଖବର

ଆଜିଠୁ ବୁଦାପେଷ୍ଟରେ ବିଶ୍ବ ଦୌଡ଼କୁଦ: ସ୍ବର୍ଣ୍ଣ ଲକ୍ଷ୍ୟରେ ନୀରଜ – bajravana

[ad_1]

କିଶୋରଙ୍କୁ ଭିସା ମିଳିଲା

ନୂଆଦିଲ୍ଲୀ: ଅଲିମ୍ପିକ୍‌ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସୋ’‌ କେସ୍‌ରେ କେବଳ ବିଶ୍ବ ‌ଦୌଡ଼କୁଦ ଚାମ୍ପିଅନ୍‌ସିପ୍‌ ସ୍ବର୍ଣ୍ଣକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପ୍ରତିଯୋଗିତାର ପଦକ ଶୋଭା ପାଉଛି। ତେଣୁ ଶନିବାରଠୁ ବୁଦାପେଷ୍ଟରେ ଆରମ୍ଭ ହେଉଥିବା ବିଶ୍ବ ଚାମ୍ପିଅନ୍‌ସିପ୍‌ରୁ ନୀରଜଙ୍କ ଅଭିଯାନ ଆରମ୍ଭ ହେବ। ପୂର୍ବରୁ ଅଲିମ୍ପିକ୍ସ (୨୦୨୧), ଏସୀୟ କ୍ରୀଡ଼ା (୨୦୧୮), ରାଜ୍ୟଗୋଷ୍ଠୀ କ୍ରୀଡ଼ା (୨୦୧୮) ରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଗତବର୍ଷ ଡାଏମଣ୍ଡ ଲିଗ୍‌ରେ ବିଜେତା ହୋଇଥିଲେ। ଏହାବାଦ୍‌ ଗତବର୍ଷ ଆମେରିକାରେ ହୋଇଥିବା ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ସେ ରୌପ୍ୟ ପଦକ ପାଇଥିବାରୁ ଏଥର ସ୍ବର୍ଣ୍ଣ ହାତେଇବା ଲକ୍ଷ୍ୟ ରଖିଛନ୍ତି। ଯଦି ଏଠାରେ ସେ ସ୍ବର୍ଣ୍ଣ ପଦକ ଜିତୁଛନ୍ତି, ତାହେଲେ ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଅଲିମ୍ପିକ୍‌ ଓ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ସ୍ବର୍ଣ୍ଣ ପାଇବାରେ କୀର୍ତ୍ତିମାନ କରିବେ। ବିନ୍ଦ୍ରା ୨୦୦୮ରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ପାଇଥିଲା ବେଳେ ୨୦୦୬ରେ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଶୀର୍ଷ ସ୍ଥାନରେ ରହି ପୋଡିୟମ୍‌ ଫିନିସ୍‌ କରିଥିଲେ।

ନୀରଜଙ୍କ ସହିତ ସ୍ବର୍ଣ୍ଣ ପାଇଁ ଏକାଧିକ ଦାବିଦାର ଏହି ପ୍ରତିଯୋଗିତାରେ ଅଛନ୍ତି। ଅଲିମ୍ପିକ୍ସରେ ନୀରଜଙ୍କ ପଛକୁ ରୌପ୍ୟ ପାଇଥିବା ଚେକ୍‌ ରିପବ୍ଲିକ୍‌ର ଜାକୁବ୍‌ ଭଦଲେଜେକ୍‌, ଗତବର୍ଷ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ କାଂସ୍ୟ ପାଇଥିବା ଜର୍ମାନିର ଜୁଲିଆନ୍‌ ୱେବର ଓ ଗତଥରର ବିଜେତା ଆଣ୍ଡରସନ୍‌ ପିଟର୍ସ ମଧ୍ୟ ସ୍ବର୍ଣ୍ଣ ପାଇଁ ପ୍ରତିନ୍ଦ୍ବନ୍ଦ୍ବିତା କରିବେ। ଲୌସାନ୍‌ରେ ନୀରଜଙ୍କ ୮୮.୬୭ ମିଟର ପ୍ରଦର୍ଶନ ତାଙ୍କୁ ବିଶ୍ବରେ ତୃତୀୟ ସ୍ଥାନରେ ରଖିଥିଲା। ଏଥିସହିତ ଅପରାଜେୟ ଭାବେ ସେ ବିଶ୍ବ ଚାମ୍ପିଅନ୍‌ସିପ୍‌ ଯୋଗ୍ୟତା ଅର୍ଜନ କରିଥିଲେ। ତେଣୁ ସ୍ବର୍ଣ୍ଣ ଧାରା ବଜାୟ ରଖିବାକୁ ହେଲେ ଉପରୋକ୍ତ ତିନିଜଣଙ୍କୁ ହରାଇବା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ। କେବଳ ନୀରଜ ନୁହଁନ୍ତି ଅନ୍ୟତମ ଭାରତୀୟ ଡିପି ମନୁ ଓ କିଶୋର କୁମାର ଜେନା ମଧ୍ୟ ପଦକ ଆଶାୟୀଙ୍କ ମଧ୍ୟରେ ସାମିଲ ଅଛନ୍ତି। ରବିବାର ଜାଭଲିନ୍ ଇଭେଣ୍ଟ ଖେଳାଯିବ।

କେବଳ ଜାଭଲିନ୍‌ ନୁହେଁ, ପୁରୁଷ ଲମ୍ବଡିଆଁରେ ଜେସୱିନ୍‌ ଅଲଦ୍ରିନ୍‌ ଏବଂ ମୂରଲୀ ଶ୍ରୀଶଙ୍କର ଚଳିତ ଋତୁର ବିଶ୍ବ ତାଲିକାର‌ ଶୀର୍ଷ ସ୍ଥାନରେ ରହିଆସୁଛନ୍ତି। ତେବେ ଅଲଦ୍ରିନ୍‌ଙ୍କ ଅପେକ୍ଷା ଶ୍ରୀଶଙ୍କର ଅଧିକ ସ୍ଥିର ପ୍ରଦର୍ଶନ ଦେଉଛନ୍ତି। ଶ୍ରୀଶଙ୍କର ଗତ ଜୁନ୍‌ରେ ଭୁବନେଶ୍ବରରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୮.୪୧ ମିଟର) ଦେଇଥିଲା ବେଳେ ବ୍ୟାଙ୍କକ୍‌ରେ ୮.୩୭ ମିଟର ସହ ରୌପ୍ୟ ପଦକ ପାଇ ବିଶ୍ବ ଚାମ୍ପିଅନ୍‌ସିପ୍‌ ଯୋଗ୍ୟତା ଅର୍ଜନ କରିଥିଲେ। ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ୨୦ କିଲୋମିଟର ଚାଲିରୁ ଭାରତର ଅଭିଯାନ ଆରମ୍ଭ ହେବ। ଆକାଶଦୀପ ସିଂହ, ବିକାଶ ସିଂହ ଓ ପରମଜୀତ ସିଂହ ଏହି ଇଭେଣ୍ଟରେ ଭାରତକୁ ପ୍ରତିନିଧିତ୍ବ କରୁଥିଲେ ବି ଏଥିରୁ ପଦକ ଆସିବା ସମ୍ଭାବନା କ୍ଷୀଣ ରହିଛି। ଏଥିସହିତ ମହିଳା ଲମ୍ବ ଡିଆଁରେ ସାଇଲି ସିଂହ, ପୁରୁଷ ୧୫୦୦ ମିଟର ଦୌଡ଼ରେ ଅଜୟ କୁମାର ସରୋଜ, ପୁରୁଷ ଟ୍ରିପଲ୍‌ ଜମ୍ପରେ ପ୍ରବୀଣ ଚିତ୍ରାଭେଲ୍‌, ଅବଦୁଲ୍ଲା ଅବୁବାକର ଓ ଇଲଧୋସି ପଲ୍‌ ପ୍ରତିଦ୍ବନ୍ଦ୍ବିତା କରିବେ।

କିଶୋରଙ୍କୁ ଭିସା ମିଳିଲା
ନୂଆଦିଲ୍ଲୀ: ଓଡ଼ିଆ ଜା‌ଭଲିନ୍‌ ଫିଙ୍ଗାଳି କିଶୋର କୁମାର ଜେନାଙ୍କୁ ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବା ପଥ ପରିସ୍କାର ହୋଇଛି। ଶୁକ୍ରବାର ହଙ୍ଗେରୀ ଦୂତାବାସ କିଶୋରଙ୍କୁ ବୁଦାପେଷ୍ଟ ଯିବା ପାଇଁ ସାକ୍ଷାତକାର କରିବା ପରେ ଭିସା ପ୍ରଦାନ କରିଛି। ପୂର୍ବରୁ ବୁଧବାର କିଶୋରଙ୍କ ଭିସା ଆବେଦନକୁ ହଙ୍ଗେରୀ ଦୂତାବାସ ବାତିଲ କରିଦେଇଥିଲା। ଏହା ଉପରେ ପ୍ରତିକ୍ରିୟାଶୀଳ ହୋଇ ଭାରତୀୟ ଦୌଡ଼କୁଦ ସଂଘ ଦୂତାବାସ ସହିତ ଆଲୋଚନା ଆରମ୍ଭ କରିଥିଲା ବେଳେ ଅଲିମ୍ପିକ୍‌ ପଦକ ବିଜେତା ନୀରଜ ଚୋପ୍ରା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କିଶୋର ଶ୍ରୀଲଙ୍କାରେ ଶେଷ ହୋଇଥିବା ଜାତୀୟ ଚାମ୍ପିଅନ୍‌ସିପ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୮୪.୩୮ ମିଟର) ଦେବା ସହ ବିଶ୍ବ ମାନ୍ୟତା କୋଟାରେ ବୁଦାପେଷ୍ଟ ଟିକେଟ୍‌ ହାତେଇଥିଲେ। କିଶୋରଙ୍କୁ ଭିସା ମିଳିବା ପରେ କ୍ରୀଡ଼ା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରାଳୟ, ଭାରତୀୟ ଦୌଡ଼କୁଦ ସଂଘ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ନିକଟରେ କୃତଜ୍ଞତା ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button