ଅଣ୍ଡର-୧୯ ଟି୨୦ ମହିଳା ଏସିଆ କପ୍: ବାଂଲାଦେଶକୁ ୪୧ ରନରେ ହରାଇ ଫାଇନାଲ ଜିତିଲା ଭାରତ
ବାଂଲାଦେଶକୁ ହରାଇ ଅଣ୍ଡର-୧୯ ମହିଳା ଏସିଆ କପ୍ ଟି୨୦ ଫାଇନାଲ ଜିତିଛି ଭାରତ । କ୍ବାଲାଲମ୍ପପୁରର ବାୟୁଏମାସ ଓଭାଲରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୧୭ ରନ୍ କରିଥିଲା । ଏହି ସ୍କୋରକୁ ପିଛା କରି ବାଂଲାଦେଶ ଟିମ୍ ୭୬ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ୪୧ ରନରେ ମ୍ୟାଚ ଜିତିଛି । ଗୋଗାଡି ତ୍ରିଶାଙ୍କୁ ଭଲ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଗୋଗାଡି ତ୍ରିଶା ୪୭ ବଲରେ ୫ ଚଉକା ଏବଂ ୨ଟି ଛକା ମାରି ୫୨ ରନ୍ କରିଥିଲେ । ଅନ୍ୟ କୌଣସି ଖେଳାଳି ୨୦ ରନରୁ ଅଧିକ କରିନଥିଲେ । ବାଂଲାଦେଶ ଟିମର ଫରଜାନା ଇସ୍ମିନ ସର୍ବାଧିକ ୪ ୱିକେଟ ନେଇଛନ୍ତି ।
୧୧୮ ରନକୁ ଟାର୍ଗେଟ କରି ବାଂଲାଦେଶ ଟିମ୍ ପ୍ରଥମରୁ ୱିକେଟ ହରାଇଥିଲା । ଟିମର ବ୍ୟାଟିଂ ପରଫରମାନ୍ସ ଭଲ ନଥିଲା । ଜୁଏରିୟା ଫିରଦୋସସ ସର୍ବାଧିକ ୨୨ ରନ୍ କରିଥିଲେ । ବାଂଲାଦେଶ ଟିମର ୯ ବ୍ୟାଟର ଏକକ ନମ୍ବରରେ ଆଉଟ୍ ହୋଇଥିଲେ । ଭାରତ ପାଇଁ ଆୟୁଷୀ ଶୁକ୍ଲା ୩ ୱିକେଟ ନେଇଛନ୍ତି ।
ସୁପର-୪ ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ପ୍ରତିପକ୍ଷ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରି ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟ ଏକ ମ୍ୟାଚରେ ନେପାଳକୁ ୯ ୱିକେଟରେ ପରାସ୍ତ କରି ମୋଟ ୬ ପଏଣ୍ଟ ସହ ବାଂଲାଦେଶ ଫାଇନାଲରେ ପ୍ରବେଶ କରିଥିଲା ।