ଜାତୀୟ କ୍ରୀଡ଼ା ଦିବସ: ସାଇକ୍ଲିଂର ସ୍ବର୍ଣ୍ଣିମ ସମ୍ଭାବନା ସ୍ବସ୍ତି – bajravana
[ad_1]
ମିନତି ମହାପାତ୍ରଙ୍କ ପରେ ସାଇକେଲ୍ଚାଳନାରେ ଓଡ଼ିଶାର ଦ୍ବିତୀୟ କ୍ରୀଡ଼ାବିତ୍ ଭାବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ରାଉରକେଲାର ଯୁବ ତାରକା ସ୍ବସ୍ତି ସିଂହ। ବହୁମୁଖୀ ପ୍ରତିଭାର ଅଧିକାରୀ ସ୍ବସ୍ତିଙ୍କ ସାଇକଲଚାଳନା କ୍ଷେତ୍ରରେ ଆସିବା ଆକସ୍ମିକ ଥିଲା। ଜଣେ ମେଧାବୀ ଛାତ୍ରୀ ହେବା ସହ ପିଲା ଦିନରୁ ନୃତ୍ୟ, ଗୀତରେ ତଥା କବାଡ଼ି ଓ ଦୌଡ଼ ଭଳି କ୍ରୀଡ଼ାରେ ରୁଚି ରଖିଥିଲେ ସ୍ବସ୍ତି। କିନ୍ତୁ ସାଇକେଲ୍ଚାଳନାରେ ଏତେ ବାଟ ଯିବେ ବୋଲି କେବେ ଚିନ୍ତାକରି ନଥିଲେ। ୨୦୧୫ ସେପ୍ଟେମ୍ବର ମାସର କଥା। ରାଉରକେଲା ଇସ୍ପାତ କାରଖାନାର କ୍ରୀଡ଼ା ବିଭାଗ ପକ୍ଷରୁ ସାଇକେଲ୍ଚାଳନା ପ୍ରଶିକ୍ଷଣ ପାଇଁ ବିଜ୍ଞପ୍ତି ବାହାରି ଥିଲା। ତାକୁ ଦେଖି ସ୍ବସ୍ତି କୌତୁହଳବଶତଃ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ଆସି ପ୍ରଶିକ୍ଷଣ ନେବାକୁ ନାମ ପଞ୍ଜୀକରଣ କରିଥିଲେ। ସେଇଠି ହିଁ ପ୍ରଥମଥର ପାଇଁ ସ୍ପୋର୍ଟସ ସାଇକଲ୍ ଚଳାଇବା ଅନୁଭବ ପାଇଥିଲେ। ଏହା ତାଙ୍କ ମନକୁ ଏମିତି ଛୁଇଁଲା ଯେ ସେ ନିୟମିତ ସାଇକେଲ୍ଚାଳନା ଆରମ୍ଭ କଲେ। ପୂର୍ବ ଅନ୍ତର୍ଜାତୀୟ ସାଇକଲ୍ଚାଳକ ଏବଂ ପ୍ରଶିକ୍ଷକ ସୁଶୀଲ କୁମାର ଦାସ ତାଙ୍କୁ ଏହି କ୍ରୀଡ଼ାର ବିଭିନ୍ନ କୌଶଳ ଶିଖାଇଲେ।
ମାତ୍ର ୨ ମାସ ପରେ ନଭେମ୍ବର ମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ଡ୍ରିମ୍ସ କଲେଜ୍ ପଡ଼ିଆରେ ଅନୁଷ୍ଠିତ ୩୮ତମ ରାଜ୍ୟ ସାଇକେଲ୍ଚାଳନା ପ୍ରତିଯୋଗିତାରେ ସ୍ବସ୍ତି ଏକାକୀ ୪ଟି ସ୍ବର୍ଣ୍ଣପଦକ ଜିତିଥିଲେ। ସେତିକିବେଳେ ୧୪ ବର୍ଷୀୟା ସ୍ବସ୍ତି ୧୭ ଓ ୧୯ ବର୍ଷ ବାଳିକା ବର୍ଗରେ ଅଂଶଗ୍ରହଣ କରି ନିଜଠାରୁ ବୟସରେ ବଡ଼ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟିନୀ ହୋଇଥିଲେ। ଏହି ସଫଳତା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପୂର୍ବରୁ କେବେ ଚିନ୍ତା କରି ନଥିବା ସ୍ବସ୍ତି ନିଜ ପ୍ରତିଭା ଓ ଦକ୍ଷତା ସଂପର୍କରେ ଅବଗତ ହେବାପରେ ସାଇକେଲ୍ଚାଳନାକୁ ହିଁ କ୍ୟାରିୟର୍ କରିବାକୁ ମନସ୍ଥ କରିଥିଲେ। ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ଅମର ସିଂହ ଏବଂ ଉମା ଦେବୀଙ୍କ ଝିଅ ସ୍ବସ୍ତି ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।
୨୦୧୭ରେ ସେ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ସାଇକଲ ଏକାଡେମିକୁ ମନୋନୀତ ହୋଇ ଏବେ ସେଇଠି ଜାତୀୟ ପ୍ରଶିକ୍ଷକମାନଙ୍କ ତତ୍ତ୍ବାବଧାନରେ ଅଭ୍ୟାସ କରୁଛନ୍ତି। ଏହାପରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଆଜି ନିଜକୁ ଦେଶର ଅନ୍ୟତମ ଶ୍ରେଷ୍ଠ ମହିଳା ସାଇକଲ୍ଚାଳକ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି। ୨୨ ବର୍ଷ ବୟସରେ ସେ ଅନ୍ତର୍ଜାତୀୟସ୍ତରରେ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ, ୨ଟି କାଂସ୍ୟ ଓ ଜାତୀୟସ୍ତରରେ ୧୯ଟି ପଦକ ପାଇ ସାରିଛନ୍ତି। ଏହି ସଫଳତା ପାଇଁ ସେ ଗତ ବର୍ଷ ଏକଲବ୍ୟ ପୁରସ୍କାର ଏବଂ ଚଳିତ ବର୍ଷ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ତରଫରୁ ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇଛନ୍ତି।
ବର୍ତ୍ତମାନ କିଟ୍ ବିଶ୍ବବିଦ୍ୟାଳୟରେ ବିଏ ପ୍ରଥମ ବର୍ଷ ଛାତ୍ରୀ ସ୍ବସ୍ତି ‘ସମ୍ବାଦ’ ସହ କଥାବାର୍ତ୍ତାବେଳେ (ଦିଲ୍ଲୀରୁ ଟେଲିଫୋନ୍ ଯୋଗେ) ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଆନନ୍ଦ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିଜ ଭବିଷ୍ୟତ ଯୋଜନା ସଂପର୍କରେ କହିଛନ୍ତି ଯେ ଏବେ ସେ କେବଳ ସାଇକେଲ୍ଚାଳନା ଉପରେ ହିଁ ସବୁ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଏହା ବ୍ୟତୀତ ଆଉ କିଛି ଚିନ୍ତା କରୁ ନାହାନ୍ତି। ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶର ପ୍ରତିନିଧିତ୍ବ କରି ସଫଳତା ହାସଲ କରିବା ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି।
[ad_2]