ଉତ୍ତର ପ୍ରଦେଶ: ବିବାହ ଭୋଜି ଖାଇ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ୧୧ ମୃତ, ୧୦ ଗୁରୁତର
ଉତ୍ତର ପ୍ରଦେଶରେ ଦୁଇଟି ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୧ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ପୃଥକ ଦୁର୍ଘଟଣା ଘଟିଛି ପିଲିଭିତ୍ ଓ ଚିତ୍ରକୂଟରେ । ଉଭୟ ଘଟଣାରେ ବିବାହ ସମାରୋହରୁ ଫେରୁଥିବା ଦୁଇ ପରିବାର ଦୁର୍ଘଟଣାର ଶିକାର ହୋଇଛନ୍ତି । ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପିଲିଭିତ୍ ଜିଲ୍ଲା ନ୍ୟୁରିଆ ଥାନା ଅଧୀନ ଟନକପୁର ରାଜପଥରେ ଏକ ଦୁର୍ଘଟଣା ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଏକ କାର୍ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ଵ ଗଛ ସହିତ ପିଟି ହୋଇଯିବାରୁ ଗାଡ଼ିରେ ଥିବା ସମସ୍ତ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିଲେ ।
ପୋଲିସ ସୂଚନା ମୁତାବକ, ସମସ୍ତେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ପିଲିଭିତର ଚନ୍ଦୋଇ ଗାଁ ଯାଇଥିଲେ । କନ୍ୟା ଘରର ୧୧ ଜଣ ଲୋକ ଭୋଜି ଖାଇ ଉତ୍ତରାଖଣ୍ଡର ଖଟିମା ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ ।
ଶୁକ୍ରବାର ସକାଳେ ମଧ୍ୟ ଚିତ୍ରକୂଟରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ବସ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟିଛି ରାପୁରା ଥାନା ଅଧୀନ ୩୫ ନଂ. ଜାତୀୟ ରାଜପଥରେ । ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ସମସ୍ତେ ମଧ୍ୟପ୍ରଦେଶର ଏକ ପରିବାରର ବୋଲି ଜଣାପଡ଼ିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କିଛି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରିଭା ସ୍ଥାନାନ୍ତର କରାଯାଇଛି ।