ଦେଶ ବିଦେଶ

ମୁଁ କେବଳ ୫୦୦ ଟଙ୍କାର ନୋଟ୍ ନେଇ ସଂସଦ ଯାଏ, ବିଡ଼ା ମୋର ନୁହେଁ…’, ସିଟରୁ ଟଙ୍କା ବିଡ଼ା ମିଳିବା ପରେ ସ୍ପଷ୍ଟୀକରଣ ଦେଲେ ଅଭିଷେକ ମନୁ ସିଂଭି

ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନ ମଧ୍ୟରେ ଆଜି ରାଜ୍ୟସଭାରେ ପ୍ରବଳ ହଙ୍ଗାମା ହୋଇଛି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଗତକାଲି ଗୃହର କାର୍ଯ୍ୟ ସ୍ଥଗିତ ହେବା ପରେ ଯେତେବେଳେ ରୁଟିନ୍ ଯାଞ୍ଚ କରାଯାଇଥିଲା, ସିଟ୍ ନମ୍ବର ୨୨୨ରୁ ଏକ ନୋଟ୍ ବିଡ଼ା ମିଳିଥିଲା । ଏହି ସିଟ୍ ତେଲଙ୍ଗାନାରୁ ନିର୍ବାଚିତ ଅଭିଷେକ ମନୁ ସିଂଭିଙ୍କୁ ଆବଣ୍ଟିତ କରାଯାଇଛି ।

ଦିନକ ପୂର୍ବରୁ କଂଗ୍ରେସ ସଦସ୍ୟଙ୍କ ସିଟରୁ ୫୦୦ ଟଙ୍କାର ୧୦୦ ଟଙ୍କିଆ ନୋଟ୍ ବିଡ଼ା ମିଳିଥିଲା । ରାଜ୍ୟସଭା ନିରାପତ୍ତା ରକ୍ଷୀମାନେ ସ୍ୱାଭାବିକ ଭାବେ ସିଟ୍‌ ସବୁ ଯାଞ୍ଚ କରୁଥିବା ବେଳେ ଅଭିଷେକ ମନୁ ସିଂଭିଙ୍କ ଆସନରୁ ଟଙ୍କା ବିଡ଼ା ପାଇଥିବା ଜଗଦୀପ ଧନଖଡ଼ କହିଛନ୍ତି ।

ସେପଟେ ଅଭିଷେକ ମନୁ ସିଂଭି ଏହି ପ୍ରସଙ୍ଗରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ଏହି ଟଙ୍କା ବିଡ଼ା ତାଙ୍କର ନୁହେଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ‘ପ୍ରଥମ ଥର ଏମିତି ଶୁଣିବାକୁ ମିଳିଲା । ଯେତେବେଳେ ବି ମୁଁ ରାଜ୍ୟସଭା ଯାଏ, ଏକ ୫୦୦ ଟଙ୍କିଆ ନୋଟ୍ ନେଇ ଯାଏ । ମୁଁ ଗତକାଲି ଅପରାହ୍ନ ୧୨ଟା ୫୭ରେ ଗୃହ ଭିତରକୁ ଗଲି ଏବଂ ଗୃହ କାର୍ଯ୍ୟ ୧ଟାରେ ଆରମ୍ଭ ହୋଇଥିଲା । ଏହାପରେ ମୁଁ ୧ଟା ୩୦ରେ ସାଂସଦ ରାମି ରେଡ୍ଡୀଙ୍କ ସହ କ୍ୟାଣ୍ଟିନରେ ବସି ତା’ପରେ ସଂସଦ ଛାଡ଼ିଥିଲି’ ।

ତେବେ ଆଜି ଗୃହ କାର୍ଯ୍ୟ ବେଳେ ରାଜ୍ୟସଭା ଅଧ୍ୟକ୍ଷ ଯେମିତି ନୋଟ୍ ବିଡ଼ା ମିଳିବା କଥା କହିଥିଲେ, ଗୃହରେ ପ୍ରବଳ ହୋ ହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭା ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଯେପର୍ଯ୍ୟନ୍ତ ମାମଲାର ଯାଞ୍ଚ ଚାଲିଛି ଏବଂ ସବୁ କିଛି ସ୍ପଷ୍ଟ ନ ହୋଇଛି, ଆପଣଙ୍କୁ ତାଙ୍କ ନାମ ନେବାର ନ ଥିଲା । ଖଡ଼ଗେଙ୍କ ବୟାନରେ ଶାସକ ଦଳର ସାଂସଦମାନେ ଗୃହରେ ହଙ୍ଗାମା କରିଥିଲେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button